ଅବହେଳିତ ମୟୂରଭଞ୍ଜର ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ସୀତାକୁଣ୍ଡ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ୧୯ଟି ସ୍ପଟଗୁଡିକ ମଧ୍ୟରେ ସୀତାକୁଣ୍ଡ ଅନ୍ୟତମ । ଏହା ଶାମାଖୁଣ୍ଟା ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ଅଧୀନରେ ରହିଥିବା ବେଳେ ଜିଲ୍ଲାର ସଦର ମହକୁମାଠାରୁ ୨୨ କି.ମି ଏବଂ ଶିମିଳିପାଳର ପ୍ରବେଶ ପଥ ପିଠାବଟା(ଲୁଲୁଙ୍ଗ)ଠାରୁ ପ୍ରାୟ ୩ କି.ମି ଦୂରରେ ଅବସ୍ଥିତ । ଏଥି ସହିତ କିମ୍ବଦନ୍ତୀ ଅନୁସାରେ ସୀତାକୁଣ୍ଡ ତ୍ରେତୟା ଯୁଗ ସହିତ ଜଡ଼ିତ ରହିଛି । ମହାପ୍ରଭୂ ରାମଚନ୍ଦ୍ର ପିତୃସତ୍ୟ ପାଳନ ନିମନ୍ତେ ବନବାସରେ ଆସିଥିବା ସମୟରେ ପର୍ବତରେ ଥିବା କୁଣ୍ଡରେ ସ୍ନାନ କରିଥିବାରୁ ନାମ କରଣ ସୀତାକୁଣ୍ଡ ହୋଇଛି ବୋଲି କିମ୍ବଦନ୍ତୀରୁ ଜଣାପଡେ଼ ।
ସେହିପରି ପର୍ବତର ଶୃଙ୍ଗରୁ ପାଦ ଦେଶ ପର୍ଯ୍ୟନ୍ତ ୭ଟି ଝରଣାର ପାଣି ଆସି ୭ଟି କୁଣ୍ଡରେ ମିଶିଛି । କୁଳୁକୁଳୁ ନାଦରେ ପର୍ବତ ଶିଖରରୁ ପ୍ରବାହିତ ଝରଣାର ଜଳ ରାଶି ଗୋଟାଏ ପରେ ଗୋଟାଏ କୁଣ୍ଡକୁ ଅତିକ୍ରମ କରି ଶେଷରେ ପାଦଦେଶରେ ଥିବା କୁଣ୍ଡରେ ପଡ଼ିଛି । କୁଣ୍ଡରୁ ପାଇପ୍ ଯୋଗେ ପାଣିକୁ ନିକଟସ୍ଥ ଗ୍ରାମଗୁଡ଼ିକୁ ଯୋଗାଇ ଦିଆଯାଉଛି । ପର୍ବତଟି ତୀଖ ଭାବେ ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଥିବାରୁ ଏହାକୁ ଚଢ଼ିବା ଅତ୍ୟନ୍ତ ବିପଦ ପୂର୍ଣ୍ଣ । ପର୍ବତରେ ହନୁମାନ ଓ ମହାଦେବଙ୍କ ମୂର୍ତ୍ତି ରହିଥିବାର ଦେଖିବାକୁ ମିଳେ ।ମୟୂରଭଞ୍ଜ ଜିଲ୍ଲାରେ ଛୋଟ ହେଉ ଅଥବା ବଡ଼ କୌଣସି ଶିଳ୍ପ ନ ଥିବାରୁ କେବଳ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ବିକାଶ ସମ୍ଭବ ହୋଇ ପାରିଲେ ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାର ସମ୍ଭାବନା ରହିଛି ।
ମାତ୍ର ସରକାର ଓ ପ୍ରଶାସନିକ ଅବହେଳା , ଇଚ୍ଛାଶକ୍ତି ଏବଂ ଆନ୍ତରିକତାର ଅଭାବ କାରଣରୁ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ବିକାଶ ସମ୍ଭବ ହୋଇ ପାରି ନାହିଁ । ସୀତାକୁଣ୍ଡ ଜଳପ୍ରପାତ ମର୍ତ୍ତ୍ୟର ନନ୍ଦନକାନ ଶିମିଳିପାଳ ଅଭୟାରଣ୍ୟର ପଶ୍ଚିମ ଭାଗରେ ଅବସ୍ଥିତ ହୋଇଥିବା ବେଳେ ଏଠାକୁ ବର୍ଷର ସବୁ ସମୟରେ ଓଡ଼ିଶା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ହଜାର ହଜାର ପର୍ଯ୍ୟଟକ ଭ୍ରମଣରେ ଆସିଥାନ୍ତି । ୨୦୧୭ରେ ୩୧ ହଜାର ୫୬୯ ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮ରେ ୩୨ ହଜାର ୭୪୦ ଏବଂ ୨୦୧୯ରେ ୩୬ ହଜାର ୪୬୪ ଜଣ ଭାରତୀୟ ପର୍ଯ୍ୟଟକ ଓ ୨ ଜଣ ବିଦେଶୀ ପର୍ଯ୍ୟଟକ ଭ୍ରମଣରେ ଆସିଥିଲେ ।
ମାତ୍ର ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳକୁ ଯାତାୟତ ନିମନ୍ତେ ଭଲ ରାସ୍ତା ଟିଏ ନାହିଁ । ସେହିପରି ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ଉପଲବ୍ଧ ହୋଇ ପାରି ନାହିଁ । କିନ୍ତୁ, ସେଠାକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକମାନଙ୍କ ନିକଟରୁ ଏଣ୍ଟ୍ରି ଫି ବାବଦକୁ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଇ ଆସୁଛି । ପୁଣି ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ଅଥବା ସୁବିଧା ଉପଲବ୍ଧ ନାହିଁ । ବିଭିନ୍ନ ସମୟରେ ଏଠାରେ ଗଣ୍ଡଗୋଳ, ମାରପିଟ ହେଉଥିବାର ନଜିର ମଧ୍ୟ ରହିଅଛି । ସୀତାକୁଣ୍ଡ ଭ୍ରମଣରେ ଯାଇଥିବା ପର୍ଯ୍ୟଟକ ସନ୍ତୋଷ କୁମାର ବରଜଙ୍କ କହିବା ଅନୁସାରେ ପର୍ଯ୍ୟଟନ ବିଭାଗ ସୀତାକୁଣ୍ଡକୁ ଏକ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛି । ମାତ୍ର ପର୍ଯ୍ୟଟନସ୍ଥଳର ସାମଗ୍ରିକ ବିକାଶ କ୍ଷେତ୍ରରେ ପଳାୟନପନ୍ଥୀ ମନୋଭାବକୁ ଆପଣେଇ ନେଇଥିବାର ସେଠାକାର ସ୍ଥିତାବସ୍ଥା ସେ ଦିଗରେ ସୂଚନା ଦେଉଛି । ଏଣୁ ପର୍ଯ୍ୟଟନ ବିଭାଗ ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳିର ବିକାଶ ଦିଗରେ ଯତ୍ନବାନ ହେଲେ ଅଧିକରୁ ଅଧିକ ପର୍ଯ୍ୟଟନ ଆକୃଷ୍ଟ ହୋଇ ଆସିବେ ବୋଲି ମତ ପ୍ରକାଶ କରିଥିଲେ ।