ମାଟିଲଗ୍ନା ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବନ୍ଧୁମିଳନ ।
ବିରମହାରାଜପୁର/ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ : ଯେଉଁ ଜାତିର ଭାଷା ଯେତିକି ଉନ୍ନତ, ସେହି ଜାତି ସେତିକି ସମୃଦ୍ଧ । ଭାଷା ଭିତ୍ତିରେ ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ସମଗ୍ର ଭାରତରେ ପ୍ରଥମ । ଓଡ଼ିଆ ଭାଷାର ସୁରକ୍ଷା ସହିତ ଏହାର ପ୍ରସାର କରିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ ବୋଲି ମାଟିଲଗ୍ନା ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବନ୍ଧୁମିଳନ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ନିକଟସ୍ଥ ଧର୍ମଶାଳା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସାରସ୍ଵତ ଉତ୍ସବରେ ଜିଲ୍ଲା ଶାଖାର ସଭାପତି ଘନଶ୍ୟାମ ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ତଥା ସଭାପତି କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ବୀରମହାରାଜପୁର ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ହିମାଂଶୁ ଶେଖର ପାଢୀ ମୁଖ୍ୟ ବକ୍ତା ଏବଂ ବର୍ଷୀୟାନ କବୟତ୍ରୀ ନୁରାବତୀ ସାହୁ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦୀନବନ୍ଧୁ ବେଜ, ଜଗନ୍ନାଥ ପଧାନ, ଗୋଦାବରୀଶ ଦାସ, ଏବଂ ମିଥୁନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସଭାର ସଂଯୋଜନା, ପ୍ରାରମ୍ଭିକ ସୂଚନା, ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁବକବି ଶୁଭ୍ରାଂଶୁ ଶେଖର ପାଢୀ ।ସଭାପରେ କବି ଡକ୍ଟର ଅନିରୁଦ୍ଧ କୁରୁକୁରିଆ ଓ କବି ଲକ୍ଷ୍ମୀ ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ୍ୟୋତ୍ସବରେ ଅର୍ଦ୍ଧଶତାଧିକ କବି କବିତା ପାଠ କରିଥିଲେ ।ସଭା ଶେଷରେ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୁଶୀଲ କୁମାର ମହାପାତ୍ର, ବାଙ୍କା ବିହାରୀ ମହାକୁର, ସନ୍ତୋଷ କୁମାର ଅଦାବର ପ୍ରମୁଖ ସହଯୋଗ କରିଥିଲେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।