ଅଧିକ୍ଷକଙ୍କ ଦାୟିତ୍ୱହୀନତା, ଉଦାସୀନ ପ୍ରଶାସନ
ବରଗଡ :- ବରଗଡ଼ ଜିଲ୍ଲାର ପାଇକମାଲ ନୃସିଂହନାଥ ରାସ୍ତାରେ ସ୍ୱାଧୀନତା ସଂଗ୍ରାମୀ ବଡ଼ ମାଁ ପାର୍ବତୀ ଗିରୀଙ୍କର ପ୍ରତକ୍ଷ ତତ୍ୱବାଧାନ ଓ ବଡ଼ ମାଁ ଙ୍କର ଦ୍ୱାରା ସ୍ଥାପନ କରାଯାଇଥିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନ । ଏହାର ମୁଖ୍ୟ ଉଦେଶ୍ୟ ଥିଲା ଅନାଥ ଛୁଆମାନଙ୍କୁ ଭଲଭାବରେ ପାଳିପୋଷି ଭଲ ମଣିଷ କରି ତୋଳିବା । ସେତେ ବେଳେ ଏହି ଅନୁଷ୍ଠାନକୁ ବଡ଼ ମାଁ ନିଜେ ଲୋକଙ୍କର ସହଯୋଗ ରେ ପରିଚାଳନା କରୁଥିଲେ । ସରକାରୀ ସାହାଯ୍ୟ ସେତେବେଳେ ସମୂଦ୍ର କୁ ଶଙ୍ଖେ ସଦୃଶ ଥିଲା । କିନ୍ତୁ ସେତେବେଳ ଅନୁଷ୍ଠାନର ପରିବେଶ ଓ ଛୁଆ ମାନଙ୍କର ପାଳନ ପୋଷଣ ଅତି ଉନ୍ନତ ମାନର ଥିଲା । ଏହାର ଏକ ମାତ୍ର କାରଣ ଥିଲା ବଡ଼ ମାଁ ଙ୍କର ଛୁଆ ମାନଙ୍କର ପ୍ରତି ଭଲ ପାଇବା ଓ ନିଃସ୍ୱାର୍ଥପର ସେବା ।
ଆଜି କିନ୍ତୁ ଏହି ଅନୁଷ୍ଠାନ ର ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ମୁଖ୍ୟତଃ ଏହି ଅନୁଷ୍ଠାନ କୁ ସରକାରୀ ଅନୁଦାନ ପ୍ରାପ୍ତ ହେବା ପରଠାରୁ ଓ ଏହି ଅନୁଷ୍ଠାନରେ ଦରମାପ୍ରାପ୍ତ ପରିଚାଳକ ନିଯୁକ୍ତ ହେଲାପରେ ଏହି ଅନୁଷ୍ଠାନରେ ଅନୁଷ୍ଠାନର ଏକଛତ୍ରବାଦ ଶାସନ ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି | ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୁପରିଟେଣ୍ଡେଣ୍ଟଙ୍କର ଅନେକ ପ୍ରକାର ଅନିୟମିତତା ଓ ଅବହେଳା ତଥା ତୁଗଲକୀ କାରବାର ଏଠି ଚାଲିଛି । ଛୁଆମାନଙ୍କର ପାଇଁ ରାଜ୍ୟ ସରକାରଙ୍କର ଦ୍ୱାରା ପ୍ରଦାନ କରାଯାଇଥିବା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଘଟଣା ବର୍ତ୍ତମାନ ଲୋକାଯୁକ୍ତ ଙ୍କର ପାଖରେ ବିଚାରାଧୀନ ରହିଛି । ଛୁଆମାନଙ୍କର ଅର୍ଥରେ ଛୁଆମାନଙ୍କ ପାଇଁ ଦରମା ପାଇଥିବା ଅନୁଷ୍ଠାନ ର ଅଧିକ୍ଷକ ଛୁଆମାନଙ୍କର ସୁରକ୍ଷା ପାଇଁ ସମ୍ପୁର୍ଣ୍ଣ ଭାବରେ ଦାଇତ୍ୱହୀନ ବୋଲି ଅଭିଯୋଗ ହୋଇଛି । ଅନୁଷ୍ଠାନର ଚାରି ପଟେ ଥିବା ସୁରକ୍ଷା କାନ୍ଥରୁ ତାହା ଜଳଜଳ । ଏହି ଅନୁଷ୍ଠାନରେ ବିଭିନ୍ନ ବୟସ ବର୍ଗର ଅନେକ ଯୁବତୀ ଓ ଝିଅମାନେ ଅଛନ୍ତି । ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଏହି ଅନୁଷ୍ଠାନରେ ଅନ୍ତେବାସୀମାନଙ୍କର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠେଇବା ସହିତ ଅନ୍ତେବାସୀ ମାନଙ୍କର ସୁରକ୍ଷା ନିମନ୍ତେ ଅନେକ ପ୍ରକାର ନିର୍ଦେଶ ଦେଇଥିଲେ । ହେଲେ ସବୁ ଫେଲ | ଅନ୍ତେବାସୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସାମାନ୍ୟତମ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉ ନଥିବା ଅନୁଷ୍ଠାନ ର ଚାରିପଟେ ଥିବା କାନ୍ଥର ଅବସ୍ଥା ଦେଖିଲେ ଯିଏ କେହିବି କହିବ । ଏଠାରେ ସୂଚନାଯୋଗ୍ୟ ଯେ ବିଗତ କିଛି ବର୍ଷ ହେଲା କାନ୍ଥ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଛି । ମରାମତି ପାଇଁ ଅନୁଷ୍ଠାନ ମୁଖ୍ୟଙ୍କର ଇଛା ଶକ୍ତିର ଅଭାବ କାରଣରୁ ବର୍ତ୍ତମାନ ଅନ୍ତେବାସୀ ମାନଙ୍କର ସୁରକ୍ଷା ପ୍ରତି ପ୍ରଶ୍ନବାଚି ସୃଷ୍ଟି ହେଲାଣି । ଏହି ଅନୁଷ୍ଠାନର ଭଲମନ୍ଦ ବୁଝିବା ପାଇଁ ରହିଥିବା ଜିଲ୍ଲାସ୍ତରର ଅଫିସ ଓ ଏହାର ଅଧିକାରୀ ମାନେ ମଧ୍ୟ ଏହି ଗୁରୁତ୍ୱ ପୂର୍ଣ ସମସ୍ୟା ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିବା ଅନୁମାନ କରାଯାଉଛି । ଯଦି ଭବିଷ୍ୟତ ରେ କୋଣସି ଅଘଟଣ ଘଟେ ତେବେ କାହାକୁ ଦୋଷୀ ସାବ୍ୟସ୍ତ କରାଯିବ ଦେଖିବାକୁ ବାକି ରହିଲା ।