ଭୁବନେଶ୍ୱର : କୃଷି କ୍ଷେତ୍ରରୁ କର୍ପୋରେଟ୍ ହଟାଅ-କୃଷି ଓ କୃଷକ ବଂଚାଅ, କୃଷକ ଓ କୃଷି ଧ୍ୱଂସକାରୀ କୃଷି ଆଇନ-୨୦୨୦ ବାତିଲ ଦାବୀରେ ଆଜି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଚକାଜାମ ଓ ପ୍ରିତିବାଦ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଟିଂନ ଛକରେ ବିଭିନ୍ନ କୃଷକ ସଂଗଠନ ମାନଙ୍କ ପକ୍ଷରୁ ସର୍ବଶ୍ରୀ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ରାଧାକାନ୍ତ ସେଠୀ, ସୁରେଶ ପାଣିଗ୍ରାହୀ, ଶଶି ଭୂଷଣ ସ୍ୱାଇଁ, ମହେନ୍ଦ୍ର ପରିଡ଼ା, ଜଗନ୍ନାଥ ମିଶ୍ର, ଜ୍ୟୋତି ରଂଜନ ମହାପାତ୍ର, ଅଭିରାମ ବେହେରା, ଜୟନ୍ତ ଦାସ, ମାନସ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା । ପରେ ପ୍ରତିବାଦ କାରୀମାନେ ରାଜରାସ୍ତାକୁ ଓହ୍ଲାଇ ମହାତ୍ମା ଗାନ୍ଧୀ ମାର୍ଗକୁ ଅବରୋଧ କରି ସ୍ଲୋଗାନ ଦେବା ଫଳରେ ଯାନବାହାନ ଚଳାଚଳରେ କିଛି ସମୟ ପାଇଁ ବ୍ୟାଘାତ ହୋଇଥିଲା । କେନ୍ଦ୍ର ସରକାର କୃଷକର ସର୍ବନାଶକାରୀ କର୍ପୋରେଟ୍ ମଡ଼େଲ କୃଷି ଆଇନ ବିରୋଧରେ ଏକାଠି ହେବାକୁ ପ୍ରତିବାଦ ସ୍ଥଳରେ ଆହ୍ୱାନ ଦିଆଯିବା ସହ କୃଷକକୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ପଂଜାବ ସରକାର ଓ କେରଳ ସରକାର ଆଣିଥିବା ବିଲ୍ ସଦୃଶ ଓଡ଼ିଶା ସରକାର ଆସନ୍ତା ବିଧାନ ସଭାରେ ଅନୁରୂପ ବିଲ୍ ଆଣିବାକୁ ଦାବୀ କରାଯାଇଛି । ମୋଦୀ ସରକାର ଗୋଟିଏ ବଜାର ସ୍ଲେଗାନ ଦେଉଥିବା ବେଳେ ସରକାରୀ ମଣ୍ଡି ବ୍ୟବସ୍ଥା ବାତିଲକରି କର୍ପୋରେଟ୍ ତଥା ପ୍ରାଇଭେଟ୍ ବେପାରୀମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରି ବାସ୍ତବରେ ଦୁଇଟି ବଜାର କାର୍ଯ୍ୟକାରୀ କରୁଛନ୍ତି, ଯାହା କୃଷକମାନଙ୍କ ସର୍ବନାଶ ପାଇଁ ଉଦ୍ଦିଷ୍ଟ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରି କର୍ପୋରେଟ୍ ଦଲାଲରାଜ୍ ବିରୋଧରେ ପ୍ରତ୍ୟେକ ଅଂଚଳରେ ଜନସାଧାରଣଙ୍କୁ ସଚେତନ ଓ ସଂଗଠିତ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଜନବିରୋଧୀ କୃଷି ଆଇନ ବିରୋଧରେ ଆଗାମୀ ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ଗ୍ରାମାଅଂଚଳ ଠାରୁ ସହର ବଜାର ପର୍ଯ୍ୟନ୍ତ ବନ୍ଦ କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ ଫଳରେ କଳାବଜାରୀ ଓ ଅସାଧୁ ବ୍ୟବସାୟୀମାନେ ମାଲେମାଲ୍ ହେଉଛନ୍ତି, କିନ୍ତୁ କୃଷକମାନଙ୍କ ସମେତ ସାଧାରଣ ଖାଉଟି ଶୋଷଣର ଶିକାର ହେଉଛନ୍ତି ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଅଭିଯୋଗ କରାଯିବା ସହ କେନ୍ଦ୍ର ସରକାରଙ୍କ କୃଷି, କୃଷକ ସର୍ବୋପରୀ ସାଧାରଣ ମଣିଷର ବିରୋଧି ଏହି ଆଇନଗୁଡ଼ିକ ବିରୋଧରେ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ତିବ୍ରତର କରିବାକୁ ସାଧାରଣ ଜନତାଙ୍କୁ ବିକ୍ଷୋଭ ସ୍ଥଳରେ କୃଷକ ନେତାମାନେ ବକ୍ତବ୍ୟ ରଖି ଆହ୍ୱାନ ଦେଇଛନ୍ତି l
ରାଜ୍ୟ
କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚକାଜାମ୍ ଆନ୍ଦୋଳନ
- Hits: 220