ପଡିଆ,(ବି ଶ୍ରୀନିବାସ ପାତ୍ର): ମାଲକାନାଗିରି ଜିଲ୍ଲା ପଡିଆ ବ୍ଲକ ଭେଞ୍ଚନପଲ୍ଲୀ ଗ୍ରାମରେ ପ୍ରାୟ ୧୦ ଜଣ ଲୋକଙ୍କ ହାତଗୋଡ ଫୁଲିବା ସହ ଶରୀର ଦୁର୍ବଳ ହେବା ଭଳି ଲକ୍ଷଣ ଦେଖାଯିବା ସହ ଗତ ଦୁଇମାସ ମଧ୍ୟରେ ଗ୍ରାମର ୫ ଜଣଙ୍କ ଜୀବନ ହାନୀ ହୋଇଥିବା ଗ୍ରାମବାସୀ କହିଛନ୍ତି। ସୂଚନା ମୁତାବକ ଦୁଇମାସ ପୂର୍ବେ ଗ୍ରାମର ମୁକା ତେଲାମ ଙ୍କ ହାତ, ଗୋଡ଼ ଓ ପେଟ ଫୁଲିବା ସହ ଶରୀର ରେ ପୀଡା ଅନୁଭବ ହେଲା। ମୁକା ଖାଦ୍ୟ ଗ୍ରହଣ କରି ନପାରିବାରୁ ଧୀରେ ଧୀରେ ଶରୀର କ୍ଷୀଣ ହେବାକୁ ଲଗିଲା ଓ ଏଭଳି ରୋଗରେ ଗ୍ରାମର ପ୍ରଥମ ବ୍ୟକ୍ତି ଭାବେ ମୃତ୍ୟୁବରଣ କରିଥିଲେ। ଏହାପରେ ଗ୍ରାମର ବାଟା ଗଙ୍ଗା (୩୬), ଯୋଗେନ୍ଦ୍ର ବାଟା (୩୫), ଗଙ୍ଗା ବାଟା(୪୦) ଓ ବେଟୀ ଲାଛା ଙ୍କ ଠାରେ ଅନୁରୂପ ଲକ୍ଷଣ ପରିଲକ୍ଷିତ ହେବା ସହ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏଥିସହ ଏହି ଗ୍ରାମର ୫୭ ବର୍ଷିୟ ବେକ ମୁକେ, ସୋମା ମାଡ଼ି,ଗଙ୍ଗା କାରାମ, ଇର୍ମା ମାଡ଼ି ଙ୍କ ସମେତ ରୋଡଗୁଡା ଗ୍ରାମର ସୋୟାମ୍ ମୁକା ଙ୍କ ହାତ ଗୋଡ଼ ଓ ପେଟ ଫୁଲିବା ସହ କେତେକଙ୍କ ଠାରେ ପେଟ ବ୍ୟଥା ହେଉଥିବା କହିଛନ୍ତି। କରୋନା ଯୋଗୁଁ ଗ୍ରାମବାସୀ ମେଡିକାଲ ଯିବାକୁ ଭୟ କରୁଥିବା ବେଳେ ଦେଶୀ ଓୌଷଧ ସହ ଗୁଣିଗାରେଡ଼ି ଭରସାରେ ବଞ୍ଚିରହିଛନ୍ତି । ଗତକିଛିଦିନ ଧରି ସୋୟାମ୍ ମୂକା ର ସ୍ୱାସ୍ଥ୍ୟାବସ୍ତା ଗୁରୁତର ହେବାରୁ ଜଣେ ଦିଶାରୀ ପାଖରେ ଚିକିତ୍ସିତ ହେଉଥିବା ଗ୍ରାମବାସୀ କହିଛନ୍ତି। ଏପରି ସ୍ଥିତିରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳଯାଇଥିବା ବେଳେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ତୁରନ୍ତ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ବେଟୀ ମାଲା, ମାଡ଼ି ଜଗା, ଇଶ୍ଵର ସାଉଲାମ୍, ମୂଲି ଗଙ୍ଗା,ମାଡ଼ି ନିଲା ସମେତ ଗ୍ରାମବାସୀ ନିବେଦନ କରିଛନ୍ତି। ପ୍ରକାଶ ଥାଉକି ଦୁଇ ମାସ ପୂର୍ବରୁ ପଡିଆ ବ୍ଳକର ବାପ଼ନପଲ୍ଲୀ ଗ୍ରାମରେ ଲୋକଙ୍କ ହାତଗୋଡ ଫୁଲିବା ସହ ଶରୀର ଧୀରେ ଧୀରେ କ୍ଷୀଣ ହୋଇ ମାସକ ମଧ୍ୟରେ ୯ ଜଣ ମୃତ୍ୟୁବରଣ କରିଥିବା ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିଲା। ଏହାର କିଛି ଦିନ ପରେ ନୀଲିଗୁଡା ଅଞ୍ଚଳରେ ମଧ୍ୟ ସେହିପରି ଲକ୍ଷଣ ପରିଲକ୍ଷିତ ହେବା ସହ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ପଡିଆ ବ୍ଳକ ର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ ଏଭଳି ରୋଗ ପରିଲକ୍ଷିତ ହେବା ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଲୋକଙ୍କ ଠାରେ ହିମୋଗ୍ଲୋବିନ ଅଭାବ ଯୋଗୁଁ ଏଭଳି ହେଉଥିବା ପୂର୍ବରୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଭେଞ୍ଚନପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଏଭଳି ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅଧିକାରୀ ଙ୍କୁ ଯୋଗଯୋଗ କରା ଯାଇଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିଲେ।
ରାଜ୍ୟ
ହାତଗୋଡ ଫୁଲି ୫ ଜଣଙ୍କ ଗଲାଣି ଜୀବନ : ପୁଣି ଆଉ ଏକ ଗ୍ରାମ ଆକ୍ରାନ୍ତ, ଆତଙ୍କରେ ଗ୍ରାମବାସୀ
- Hits: 264