ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ରାମଚନ୍ଦ୍ର ଖୁଣ୍ଟିଆଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ କାର୍ଯ୍ୟର ସ୍ଥାୟୀତ୍ବ, ନିରାପତ୍ତା, କେନ୍ଦ୍ର ସରକାରଙ୍କ ନୂତନ ଶ୍ରମିକ ଆଇନ ଓ ବିଭିନ୍ନ ଦାବୀକୁ ନେଇ ଆଜି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିଲା। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ଏହି ଦାବିପତ୍ର ଗ୍ରହଣ କରିଥିଲେ।
ଉକ୍ତ ଦାବିପତ୍ରରେ ମଜଦୁର କଂଗ୍ରେସ ଉଲ୍ଲେଖ କରିଛନ୍ତି ଯେ କୋରୋନା ମହାମାରୀ ସମୟରେ ଯେତେବେଳେ ଲୋକେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ବିଦ୍ୟୁତ ଶୁଳ୍କ ଛାଡ଼ ନ କରି ଲୋକଙ୍କ ଉପରେ ୟୁନିଟ୍ ପ୍ରତି ୨୦ ପଇସା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହା ବ୍ୟତୀତ ରାଜ୍ୟ ସରକାର ବିଦ୍ୟୁତ ବୋର୍ଡ଼କୁ ଘରୋଇ କମ୍ପାନୀ ହାତରେ ଟେକି ଦେଇଥିବା ବେଳେ ଶ୍ରମିକମାନଙ୍କ କୌଣସି ଅଧିକାର ଉପରେ କମ୍ପାନୀସହ ସର୍ତ୍ତ ରଖି ନାହାଁନ୍ତି। ଏହା ଫଳରେ ସେମାନଙ୍କର ଚାକିରୀର ସ୍ଥାୟୀତ୍ବ, ସାମାଜିକ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା, ମଜୁରୀ, ବୋନସ ସବୁକିଛି ବିପଦରେ ସଂକଟାପନ୍ନ ହୋଇ ପଡ଼ିଛି। ଏତଦ ବ୍ୟତୀତ, କୋରୋନା ସମୟରେ କାର୍ଯ୍ୟ କରୁଥିବା ବିଦ୍ୟୁତ ଶ୍ରମିକଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କୋରୋନା ଯୋଦ୍ଧା ଭାବରେ ଘୋଷଣା କରୁ ନାହାଁନ୍ତି ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର।
ରାଜ୍ୟ ସରକାର ୩୦ ଲକ୍ଷ ରେଜିଷ୍ଟ୍ରିଭୁକ୍ତ ନିର୍ମାଣ ଶ୍ରମିକମାନଙ୍କ ପାଇଁ କରିଥିବା ୧,୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ, ମାତ୍ର ଏପର୍ଯ୍ୟନ୍ତ ଅନେକଙ୍କୁ ଏହା ମିଳିନାହିଁ ବୋଲି ଜଣାଇଛି ମଜଦୁର ସଂଘ। ନିର୍ମାଣ ଶ୍ରମିକମାନଙ୍କର ରେଜିଷ୍ଟ୍ରେସନକୁ ନବୀକରଣ କରିବା ପାଇଁ, ସେମାନଙ୍କୁ ଭବିଷ୍ୟନିଧି ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ କରାଯାଇଛି।
ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ନୂତନ କୃଷି ବିଲ୍, ନୂଆ ଲେବର କୋର୍ଡ ପ୍ରଭୃତିକୁ ନେଇ ମଜଦୁର କଂଗ୍ରେସ ବିରୋଧ କରିଛନ୍ତି। ଏହି ନୂତନ ଶ୍ରମ ଆଇନ; କେନ୍ଦ୍ର ସରକାରଙ୍କ ଦ୍ରୁତ ଘରୋଇକରଣ; ଲାଭଜନକ ସରକାରୀ ସଂସ୍ଥାଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର; ଶ୍ରମିକଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବା; ବିମାନବନ୍ଦର, ରେଳବାଇ, ବ୍ୟାଙ୍କ,ଖଣି ପ୍ରଭୃତିକୁ ବିକ୍ରି କରିବା ଯୋଗୁଁ ଦେଶର କୋଟି କୋଟି ଶ୍ରମିକ ନିଜର ରୋଜଗାର ହରାଇବେ ଓ ମାଲିକମାନେ ଶ୍ରମିକଙ୍କୁ ଶୋଷଣ କରିବେ ବୋଲି ଏହି ପତ୍ରରେ ଆଶଙ୍କା ପ୍ରକାଶ କରାଯାଇଛି।
ଏଣୁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆସନ୍ତା ୨୬/୧୧/୨୦୨୦ ଦିନ ଭାରତ ବନ୍ଦ ଡାକରାକୁ ମଜଦୁର କଂଗ୍ରେସ ସମର୍ଥନ ଜଣାଇବ ଓ ୩/୧୧,୪/୧୧, ୫/୧୧ /୨୦୨୦ ଦିନ ୩ ଦିନ ଧରି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ, ପ୍ରଶାନ୍ତ ତ୍ରିପାଠୀ, ରାଜେଶ ସହିସ,ପ୍ରଭାକର ଓରାମ, ସଞ୍ଜୟ ମହାପାତ୍ର, ପ୍ରଶାନ୍ତ ବିଶି, ଶାହରୁଖ ଖାନ, ରାହୁଲ ଠାକୁର, ସୁଜିତ ଶର୍ମା, ପ୍ରଦୀପ ମୁଣ୍ଡା, ପିଣ୍ଟୁ ସିଂ, ତ୍ରିଲୋଚନ ଡନସେନା, ଲିଙ୍ଗରାଜ ପ୍ରଧାନ, ସୁନୀଲ ଖଡ଼ିଆ, ନିରାକାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।