ଝାରସୁଗୁଡ଼ା :(ସୁଭାଷ ସହାରେ) :ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି ଦିଲ୍ଲୀରେ। ଏହାନେଇ ସରକାର ଓ ବିରୋଧୀ ଦଳମାନଙ୍କ ଉପରେ ସମଗ୍ର ଦେଶର ନଜର ରହିବ। ମାତ୍ର ସଂସଦର ଅଧିବେଶନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ବରଗଡ଼ ସାଂସଦ ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇ ଯାଇଛନ୍ତି । ଆଉ ମହାରାଷ୍ଟ୍ରର ମହିଳା ସାଂସଦ ତଥା ଶରଦ ପାୱାରଙ୍କ ସୁକନ୍ୟା ସୁପ୍ରିୟା ସୁଲେ ନିଜେ ଟୁଇଟ କରି ସମ୍ବଲପୁରୀ ମାସ୍କ ପାଇଁ ସୁରେଶଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |
ଆଜି ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବଣ୍ଟନ କରିଥିଲେ ସାଂସଦ ସୁରେଶ ପୂଜାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଆତ୍ମନିର୍ଭର ଭାରତ' ଆହ୍ବାନକୁ କାର୍ଯ୍ୟରେ ପରିଣତ କରି ପଶ୍ଚିମ ଓଡ଼ିଶାର ହସ୍ତକଳାକୁ ସଂସଦରେ ପହଞ୍ଚାଇବା ଓ ଏହାକୁ ଜନପ୍ରିୟ କରିବା ପାଇଁ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଏହି ମାସ୍କ ପିନ୍ଧି ଅନେକ ସାଂସଦ ଫଟୋ ଉଠାଇଥିଲେ।ଏଥିସହ ସାଂସଦ ପୂଜାରୀଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମାସ୍କ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସଦ ପୁଜାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ 'ଲୋକାଲ ଫର ଭୋକାଲ' ଆହ୍ବାନକୁ ସତ୍ୟରେ ପରିଣତ କରିବାକୁ ସେ ସମ୍ବଲପୁରୀ ବସ୍ତ୍ର ବିଶ୍ବଦରବାରରେ ଯେପରି ଆଦୃତ ହେବ, ସେଥିପାଇଁ କାର୍ଯ୍ୟ କରିବେ।
ସୂଚନାଯୋଗ୍ୟ ଯେ ସମ୍ବଲପୁରୀ ଲୁଗାର ଏକ ନିଜସ୍ୱ ବଜାର ରହିଛି। ମାତ୍ର ବଜାରରେ ଏହାର ଚାହିଦା ବଢ଼ାଇବାକୁ ହେଲେ ସରକାରମାନଙ୍କ ଯେଉଁ ପ୍ରଚେଷ୍ଟା ରହିବା ଉଚିତ୍, ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏହି ଲୁଗାର ଜନପ୍ରିୟତା ବଢ଼ାଇବାକୁ ହେଲେ ସମସ୍ତ ପ୍ରକାରର ସରକାରୀ ପ୍ରୋତ୍ସାହନ ଛଡ଼ା ଅନ୍ତର୍ଜାତୀୟ ବଜାରରେ ଏହାକୁ ଭିନ୍ନ ଭାବରେ ଉପସ୍ଥାପନ କରିବାକୁ ହେବ। ଏପର୍ଯ୍ୟନ୍ତ ସମ୍ବଲପୁରୀ ଲୁଗାର ପ୍ରଚାର ଓ ପ୍ରସାର କେବଳ ଜନତାଙ୍କ ଦ୍ବାରା ହିଁ ସମ୍ଭବ ହୋଇପାରିଛି। ମାତ୍ର ଏହାର ବିଜ୍ଞାପନ ପାଇଁ ଯେଉଁ ସବୁ ପଦକ୍ଷେପ ନେବା ଉଚିତ୍, ତାହା ହୋଇ ନପାରିବାରୁ, ସମ୍ବଲପୁରୀ ଲୁଗାର କାରିଗରମାନେ ବ୍ୟବସାୟିକ ଭାବରେ ବିଶ୍ବବଜାରରେ ପ୍ରତିଯୋଗିତା କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି।











