ହେଡଲାଇନସ୍:

ଅଧ୍ୟକ୍ଷ ପ୍ରଦୀପ କୁମାର ହୋତା ଓ ଶିକ୍ଷକ ପ୍ରମୋଦ କୁମାର ନାଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା:ଝାରସୁଗୁଡ଼ା ଡିଏଭି ପରିବାର ତରଫରୁ ବନ୍ଧବହାଲ ଡିଏଭିରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ହୋତା ଓ ଝାରସୁଗୁଡ଼ା ଡିଏଭି ଶିକ୍ଷକ ପ୍ରମୋଦ କୁମାର ନାଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦୀର୍ଘ ତିନି ଦଶନ୍ଧି ଧରି ଜଣେ ସଫଳ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ ସାଙ୍ଗକୁ ଓଡ଼ିଶାରେ ଓଡ଼ିଆ ଭାଷାର ବିକାଶ ଦିଗରେ ବିଶେଷ ଭୂମିକା ନିର୍ବାହ କରିଥିବା ଭାଷା ବିଶେଷଜ୍ଞ, କଥାକାର ତଥା ଶିକ୍ଷାବିତ ପ୍ରଦୀପ କୁମାର ହୋତା ଓ ତାଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ । ଶ୍ରୀ ହୋତା ତାଳଚେରଠାରୁ ଆରମ୍ଭ କରି ଝାରସୁଗୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ଡିଏଭିରେ ଅଧ୍ୟକ୍ଷ ଦାୟିତ୍ୱ ତୁଳାଇବା ସହିତ ଜଣେ ଦକ୍ଷ ପ୍ରଶାସକ, ଓଡ଼ିଆ ଭାଷା ବିଶେଷଜ୍ଞ ଭାବେ ବେଶ ପରିଚିତ । ସେହିପରି ଶିକ୍ଷକତା କାର୍ଯ୍ୟକାଳ ଅବଧି ପରିସମାପ୍ତି କାରଣରୁ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ନାଥଙ୍କୁ ଔପଚାରିକ ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଡିଏଭି ବିଦ୍ୟାଳୟର ପ୍ରଗତି କ୍ଷେତ୍ରରେ ଶ୍ରୀ ନାଥଙ୍କ ଦୀର୍ଘ ବର୍ଷର ଶିକ୍ଷକତା ଓ ସମର୍ପଣ ଭାବ ଅତୁଳନୀୟ । ଡିଏଭି ପରିବାର ତରଫରୁ ଶ୍ରୀ ହୋତା ଓ ଶ୍ରୀ ନାଥଙ୍କୁ ପୁଷ୍ପମାଲ୍ୟ, ଉପହାର ଓ ସ୍ମୃତି ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷ ଶ୍ରୀ ଦେବତାଙ୍କ ସମେତ ପ୍ରାକ୍ତନ ଶିକ୍ଷକ ଏମ.ଭି.ଏଲ.ଏନ ରାଓ ମଧ୍ୟ ଉପସ୍ଥିତ ଥିଲେ। ଏତଦସହିତ ଅନ୍ୟ ଡିଏଭିକୁ ସଦ୍ୟ ସ୍ଥାନାନ୍ତରିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଡ. ମଞ୍ଜୁଶ୍ରୀ ବେଦୁଲା, ସରିତା ମିଶ୍ର ଓ ସୁଶୋଭନ ଭୌମିକଙ୍କୁ ମଧ୍ୟ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ନୀଳିମା ପଟେଲ, ଅକ୍ଷୟ ପାଣି, ବିଜୟ ଦାଶ, ବିଶ୍ୱରଞ୍ଜନ ପାଢ଼ୀ, ବିଜୟ କ୍ରିଷ୍ଣା ଛତ୍ରିଆ, ପ୍ରଦୀପ ପ୍ରଧାନ, ଦୁଷ୍ମନ୍ତ ପରିଡ଼ା, ଶୁଭଦତ୍ତ ପ୍ରଧାନ, ଅଲେଖ ବିହାରୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା ସଭା ସଞ୍ଚାଳନରେ ସହଯୋଗ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଭାଗିତାରେ ଶ୍ରୀ ଓ ଶ୍ରୀମତୀ ହୋତା, ଶ୍ରୀ ଦେବତା ଓ ଶ୍ରୀ ନାଥ ମିଳିତ ଭାବରେ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ । ସହକାରୀ ଆଞ୍ଚଳିକ ଅଫିସର ଡ. ସୁଜାତା ସାହୁ ଆଭାସୀ ମାଧ୍ୟମରେ ଶ୍ରୀ ନାଥଙ୍କ ସୁଖ ଶାନ୍ତିମୟ ଅବସର ଜୀବନ ଲାଗି ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ତାଙ୍କ ଅବସରକାଳ ତଥା ଦ୍ଵିତୀୟ ଇନିଂସ ସୁଖମୟ, ଶାନ୍ତିଯୁକ୍ତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେଉ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ, ଶୁଭେଚ୍ଛୁ, ଅଭିଭାବକ ମହଲ ତରଫରୁ ଈଶ୍ୱରଙ୍କୁ ପ୍ରାର୍ଥନା କରାଯାଇଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ନାଥଙ୍କୁ ବିଦ୍ୟାଳୟଠାରୁ ଆରମ୍ଭ କରି ତାଙ୍କ ବାସଗୃହ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନେଇ ତାଙ୍କ ଅବସର ଜୀବନର ଉତ୍ତରୋତ୍ତର କାମନା କରିଥିଲେ ।

0
0
0
s2sdefault