ହେଡଲାଇନସ୍:

ପାଟଣାଗଡ଼କୁ ମିଳିଲା ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ହାତରେ ଲୋକାର୍ପିତ,

  • ପରିବହନ କ୍ଷେତ୍ରରେ ଯୋଡ଼ିଲା ନୂଆ ଅଧ୍ୟାୟ

ପାଟଣାଗଡ଼, ୨୭/୦୬ (ଶାସକ ପ୍ରଶାସକ): ପାଟଣାଗଡ଼ ସହରର ବିକାଶ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଦୀର୍ଘଦିନର ପ୍ରତୀକ୍ଷାର ଅବସାନ ଘଟାଇ ଆଜି ନବନିର୍ମିତ ‘ଅଟଳ ବସ୍ ଷ୍ଟାଣ୍ଡ’ର ଭବ୍ୟ ଉଦ୍ଘାଟନ କରିଛନ୍ତି ଓଡ଼ିଶାର ସମ୍ମାନୀୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ଫିତା କାଟି ଓ ଫଳକ ଉନ୍ମୋଚନ କରି ସେ ବସ୍ ଷ୍ଟାଣ୍ଡକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ।
ଏହି ଉଦ୍ଘାଟନୀ ସମାରୋହରେ ଏସ୍‌ଡିସି ଚେୟାରପର୍ସନ୍ ବଳଭ ଧରୁଆ, ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଏସ୍‌ଡିପିଓ ସଦାନନ୍ଦ ପୂଜାରୀ, ବ୍ଲକ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ, ପୌର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ତହସିଲଦାର ରୁଦ୍ର ନାୟକ, DES Pvt. Ltd.ର ପ୍ରତିନିଧି ପାର୍ଥିବ ମେହେତା ଓ OCPLର ଦିଲୀପ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି ଏବଂ ସହରବାସୀ ଉପସ୍ଥିତ ଥିଲେ।
ସଭାକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଟଳ ବସ୍ ଷ୍ଟାଣ୍ଡ କେବଳ ଏକ ବସ୍ ଟର୍ମିନାଲ ନୁହେଁ, ବରଂ ପାଟଣାଗଡ଼ର ଆଧୁନିକ ନଗର ବିକାଶର ପ୍ରତୀକ। ଏହା ଦ୍ୱାରା ଯାତ୍ରୀମାନେ ସୁରକ୍ଷିତ, ସୁବିଧାଜନକ ଓ ଉନ୍ନତମାନର ପରିବହନ ସେବା ପାଇବା ସହ ସହରର ବ୍ୟବସାୟ, ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶକୁ ନୂଆ ଗତି ମିଳିବ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ପ୍ରକଳ୍ପ ପାଟଣାଗଡ଼ର ଭିତ୍ତିଭୂମି ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଆଧୁନିକ ସୁବିଧା ସମ୍ପନ୍ନ ଏହି ବସ୍ ଷ୍ଟାଣ୍ଡ ଦୈନିକ ହଜାର ହଜାର ଯାତ୍ରୀଙ୍କୁ ସୁବିଧା ଯୋଗାଇବା ସହ ସହରର ସୌନ୍ଦର୍ଯ୍ୟ ଓ ଗୁରୁତ୍ୱକୁ ମଧ୍ୟ ବୃଦ୍ଧି କରିବ।
ଶେଷରେ ସହରବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ଅଟଳ ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ପାଟଣାଗଡ଼ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଯାତ୍ରୀ ଉପକୃତ ହେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

0
0
0
s2sdefault