ହେଡଲାଇନସ୍:

"ନିଟ୍" ପରୀକ୍ଷା ଦେବାପାଇଁ ଗଜପତି ଜିଲ୍ଲାରୁ ଗଲେ  ୩୮ ଜଣ  ପରୀକ୍ଷାର୍ଥୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନ ପକ୍ଷରୁ ୨ଟି ସ୍ୱତନ୍ତ୍ର ବସ୍ ଓ ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷ  କୋଭିଡ କଟକଣା ମଧ୍ୟରେ ହେବାକୁ ଯାଉଛି ,  “ନୀଟ" ପରୀକ୍ଷା।  ଅନେକ ଅନିଶ୍ଚିତତା ଭିତରେ ଛାତ୍ରଛାତ୍ରୀ ମାନଙ୍କୁ ଦେବାକୁ ପଡ଼ୁଛି  ଏହି ପରୀକ୍ଷା ।  ଯିବା ଆସିବା ପାଇଁ କରୋନା ଜନିତ ଆଉ କୌଣସି ପ୍ରକାରର କଟକଣା ନ ଥିବା ବେଳେ ସାରା ଦେଶରେ ଗମନାଗମନରେ  ବର୍ତ୍ତମାନ ମଧ୍ୟ ଘୋର ସମସ୍ୟା ରହିଛି । ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାନେ କିଭଳି ବ୍ରହ୍ମପୁର , ଭୁବନେଶ୍ୱର ଓ  କଟକ ଯାଇ ସେମାନଙ୍କ  “ନିଟ୍” ପରୀକ୍ଷା ଦେବେ , ତାହା ସେମାନଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ରହିଥିବା ବେଳେ ପରୀକ୍ଷାର୍ଥୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର।  ଯାହାକି ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଜିଲ୍ଲା ପ୍ରଶାସନ ।

 ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଏଥିପାଇଁ ବ୍ରହ୍ମପୁର , ଭୁବନେଶ୍ୱର ଓ କଟକ ଠାରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ତେଣୁ ଏହି “ନିଟ୍” ପରୀକ୍ଷା ଦେବାପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨ ଟି ସ୍ୱତନ୍ତ୍ର ବସ ଯୋଗେ ୩୮ ଜଣ ପରୀକ୍ଷାର୍ଥୀଙ୍କ ସମେତ ୨୨ ଜଣ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବ୍ରହ୍ମପୁର , ଭୁବନେଶ୍ୱର ଓ କଟକ  ଅଭିମୁଖେ ଯାତ୍ରା କରିଛନ୍ତି  ।

 

ଏ ସମ୍ପର୍କରେ ୨ ଜଣ ପରୀକ୍ଷାର୍ଥୀ  ଦୀପକ ସାମଲ ଏବଂ ମିଲିରାଣୀ ଭୂୟାଁ  କହିଛନ୍ତି ଯେ  , ବର୍ତ୍ତମାନ କରୋନା କି ଲକ୍ ଡାଉନ୍ ସମୟରେ ଜିଲ୍ଲା ବାହାରକୁ କି ଅନ୍ୟତ୍ର ପରୀକ୍ଷା ଦେବାକୁ ଯିବା ପାଇଁ କୌଣସି କଟକଣା ନାହିଁ , ହେଲେ ମଧ୍ୟ  ଯିବାକୁ ଗାଡି ମୋଟରର ଏ’ଯାବତ କୌଣସି ସୁବିଧା ନାହିଁ ,  ଆମେ  ପରୀକ୍ଷା ଦେବାକୁ କେମିତି ଯିବୁ  ତାହା ଆମକୁ ଅତ୍ୟନ୍ତ ଚିନ୍ତିତ କରିଥିଲା । ସେ ଯାହା ହେଉ ଏଭଳି ପରିସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆମକୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ପାଇଁ ୨ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା ଠାରୁ ଆରମ୍ଭ କରି  ଖାଇବା ଓ ରହିବା ପ୍ରଭୃତି  ସମସ୍ତ ବ୍ୟବସ୍ଥା କରିଛନ୍ତି ।   ସେଥିପାଇଁ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନଙ୍କୁ ପରୀକ୍ଷାର୍ଥୀ ମାନେ ଧନ୍ୟବାଦ ଜଣାଇଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାୟିତ୍ୱରେ ଥିବା ଆଇଟିଡିଏ:ର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା କହିଛନ୍ତି ଯେ ଏଠାରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ  ଯିବା ଓ ଆସିବା ପାଇଁ ୨ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିବା ବେଳେ  ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏ ସମସ୍ତ ଦିଗରେ ପରୀକ୍ଷାର୍ଥୀ ମାନେ କୌଣସି ଅସୁବିଧା ନ ହୋଇ ଯେଭଳି  ସୁରୁଖୁରୁରେ ପରୀକ୍ଷା ଦେଇ ଫେରିବେ  , ସେଥିପାଇଁ  ନୋଡାଲ ଅଧିକାରୀଙ୍କୁ ମଧ୍ୟ ତାଙ୍କ ସହିତ ପଠା ଯାଇଛି ଏବଂ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା କହିଛନ୍ତି ।

ପରୀକ୍ଷାର୍ଥୀ ମାନେ ଯିବା ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ସରୋଜ କୁମାର ବେହେରା , ପୋଲିଟେକ୍ନିକ କଲେଜ ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ଗଦାଧର ମହାରଣା ଓ ତାଙ୍କ ଷ୍ଟାଫ ଏବଂ ଜିଲ୍ଲା  ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ମାନେ ପରୀକ୍ଷାର୍ଥୀ ମାନଙ୍କୁ ସେମାନଙ୍କ ପରୀକ୍ଷା ପାଇଁ ଶୁଭେଚ୍ଛା-ଅଭିନନ୍ଦନ ଜଣାଇଥିଲେ । 

0
0
0
s2sdefault