ଝାରସୁଗୁଡା ପୌରପାଳିକା ପାଲଟିଛି ଦୁର୍ନୀତିର ଗନ୍ତାଘର
ନଗଦ ସହ ବାବୁ ଦାବି କରନ୍ତି ଶାଢ଼ୀ, ମିଠା, ଡ୍ରେସ ଓ ପତ୍ନୀଙ୍କ ବ୍ୟୁଟି ପାର୍ଲର ଖର୍ଚ୍ଚ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରପାଳିକାରେ ଦୁର୍ନୀତିର ଅନ୍ତ ହେବାର କୌଣସି ସମ୍ଭାବନା ଦିଶୁନାହିଁ ।ଦିନକୁ ଦିନ ନୂଆ ନୂଆ ମାମଲା ସାମନାକୁ ଆସିବାକୁ ଲାଗିଛି। ବିଭିନ୍ନ ପ୍ରକାରର କାର୍ଯ୍ୟ କରାଇ ଦେବାକୁ ଲାଞ୍ଚ ଆକାରରେ ହିତାଧିକାରୀମାନଙ୍କଠାରୁ ହଜାର ହଜାର ଟଙ୍କା ନେଇ ମାଲାମାଲ ହେଉଛନ୍ତି ଅଧିକା। ସାଧାରଣ ଜନତା ଗଣୁଛନ୍ତି ଟଙ୍କା, କିନ୍ତୁ ବାବୁମାନଙ୍କ ଲୋଭର ସୀମା ନାହିଁ। ଏହିପରି ଏକ ଦୁର୍ନୀତିର ଅଭିଯୋଗ ଆଣିଛନ୍ତି ଅନେକେ। ଏହାକୁ ନେଇ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରତାଡ଼ିତମାନେ ।ସୂଚନାନୁସାରେ, ଝାରସୁଗୁଡ଼ା ପୌରପାଳିକାର ନ୍ୟାସନାଲ ଅର୍ବାନ ଲାଇଭଲିହୁଡ ମିଶନର ଅଧିକାରୀ ବି. ଈଶ୍ବର ରାଓ ଅନେକଙ୍କୁ ବିଭିନ୍ନ ଯୋଜନାରେ ଋଣ କରାଇ ଦେବାକୁ କହି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦାବୀ କରିଥାନ୍ତି ବୋଲି ଅଭିଯୋଗକାରୀମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଏହା ସହିତ ଏ ବିଷୟରେ ସେମାନେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଜିଲ୍ଲାପାଳ,ହାଉସିଂ ବୋର୍ଡ଼ର କମିଶନର, ପୌର ପ୍ରଶାସନର ନିର୍ଦ୍ଦେଶକ,ଅର୍ବାନ ଡେଭଲପମେଣ୍ଟର ନିର୍ଦ୍ଦେଶକଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଜଣାଇଥିଲେ। ମାତ୍ର ଏପର୍ଯ୍ୟନ୍ତ ଏହି ଅଭିଯୋଗ ଗୁଡ଼ିକ ଉପରେ ତଦନ୍ତ ନିମନ୍ତେ କେଉଁ ପଦକ୍ଷେପ ନିଆଯାଇଛି,ସେ ବିଷୟରେ ସ୍ପଷ୍ଟ ଜଣା ପଡ଼ିନାହିଁ । ବି ଈଶ୍ୱର ରାଓଙ୍କ ବିରୋଧରେ ଯଦିବା ଲିଖିତ ଭାବରେ କିଛି ଜଣ ଅଭିଯୋଗ ଆଣିଛନ୍ତି, ମାତ୍ର ପ୍ରକୃତରେ ଏହି ଲାଞ୍ଚ ପ୍ରକ୍ରିୟାର ଅନେକ ଶୀକାର ହୋଇଥିବାର ସମ୍ଭାବନାକୁ ଆଡ଼େଇ ଦିଆଯାଇ ପାରିବ ନାହିଁ। ଝାରସୁଗୁଡ଼ା ୱାର୍ଡ଼ ନମ୍ବର ୧୧ର ସୀମା ଦାନୀଙ୍କ ଠାରୁ ଅଧିକାରୀ ଜଣକ ଲାଞ୍ଚ ବାବଦରେ ୯୦୦୦ ଟଙ୍କା, ମିଠା, କେକ ନେଇ ଋଣ କରାଇ ଦେଇଥିଲେ ବୋଲି ସୀମା ଅଭିଯୋଗ କରିଛନ୍ତି। ସେହିପରି ୱାର୍ଡ଼ ନମ୍ବର ୫ ର ସନ୍ତୋଷୀ ମିଶ୍ରଙ୍କ ଠାରୁ ୧୦,୦୦୦ ଟଙ୍କା ତଥା ମିଠା ଓ କେକ ନେଇ ଋଣ କରାଇ ଦେଇଥିଲେ। ଠିକ୍ ସେହିପରି ୱାର୍ଡ଼ ନମ୍ବର ୯ ର ପ୍ରିୟତମା ଲେଙ୍କା ଋଣ ପାଇଁ ଆବେଦନ କରିଥିବା ବେଳେ ତାଙ୍କୁ ପ୍ରଥମେ ୧୫,୦୦୦ ଟଙ୍କା ଦେଲେ ଋଣ କରାଇ ଦେବେ ବୋଲି ବି. ଈଶ୍ବର ରାଓ କହିଥିଲେ। ଶ୍ରୀମତୀ ଲେଙ୍କା ୧୫,୦୦୦ ଟଙ୍କା ଦେବା ପରେ ତାଙ୍କୁ ମାତ୍ର ୮,୦୦୦ ଟଙ୍କା ଋଣ ମିଳିଥିଲା। ଋଣର ବାବଦରେ ବାକି ଟଙ୍କା ପାଇବା ପାଇଁ ସେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଛନ୍ତି। ୱାର୍ଡ଼ ନମ୍ବର ୬ ର କପିଳାସ ମେହେର ୩,୦୦୦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେବା ପରେ ଋଣ ପାଇବାକୁ ସକ୍ଷମ ହୋଇଥିଲେ। ୱାର୍ଡ଼ ନମ୍ବର ୫ ର ଲକ୍ଷ୍ମୀପ୍ରିୟା ଜେନାଙ୍କ କାହାଣୀ ଆହୁରି କରୁଣ। ନିଜ ଅସୁସ୍ଥତା ପାଇଁ ସେ ଆବେଦନ କରିଥିଲେ ୧,୫୦,୦୦୦ ଟଙ୍କାର ଋଣ। ଏଥିପାଇଁ ତାଙ୍କୁ ଦେବାକୁ ହୋଇଥିଲା ୧୦,୦୦୦ ଟଙ୍କା ନଗଦ ଏବଂ ଶାଢ଼ୀ, ମିଠା, କେକ, ନମକିନ, ଡ୍ରେସ। ଏସବୁ ବାବଦରେ ମଧ୍ୟ ତାଙ୍କର ଆହୁରି ୧୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ନଗଦ ଟଙ୍କା ଦେବା ପାଇଁ ସେ ୧୦ ଶତକଡ଼ା ସୁଧ ହାରରେ କରଜ କରିଥିଲେ। ଏହା ବ୍ୟତୀତ ବି ଈଶ୍ୱର ରାଓ ରାସନ କାର୍ଡ ଥିବା ମହିଳାମାନଙ୍କୁ ଖୋଜି ଆଣିଲେ ୧୫,୦୦୦ ଟଙ୍କା ନେଇ ଋଣ କରାଇ ଦେବେ ବୋଲି କହିଥିଲେ ବୋଲି ମଧ୍ୟ ଜଣାଇଛନ୍ତି । ଅନ୍ୟାନ୍ୟ ଲୋକଙ୍କଠାରୁ ମଧ୍ୟ ଟଙ୍କା ନେଇ ଋଣ କରାଇ ଦେଇଥିବା ବି ଈଶ୍ୱର ରାଓଙ୍କ ବିରୋଧରେ ତଦନ୍ତ କରିବାକୁ ଏତେ ସମୟ କାହିଁକି ଲାଗୁଛି ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହି ବିଷୟରେ ଆମ ପ୍ରତିନିଧି ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏହା ତାଙ୍କ ନଜରକୁ ଆସିଛି ଓ ସେ ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବ ବୋଲି କହିଥିଲେ।