କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ନିଶଙ୍କଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣଙ୍କ ପତ୍ର
ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବାପାଇଁ ପାଇଁ କଲେ ଅନୁରୋଧ ।
ଭୁବନେଶ୍ୱର (ଶାସକ ପ୍ରଶାସକ): ବର୍ତମାନ ପରିସ୍ଥିତିରେ ରାଜ୍ୟର ପୋଷ୍ଟ ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ପଢ଼ୁଥିବା ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସ ରୁମ ପରୀକ୍ଷା କିମ୍ବା ଅନ ଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକା ତଥା କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଫିସ ମେମୋରାଣ୍ଡାମର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପୁର୍ବ ନିର୍ଦ୍ଧାରିତ ନିଷ୍ପତିକୁ ଲାଗୁ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ପତ୍ର ଲେଖି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଅନୁରୋଧ କରିଛନ୍ତି ।
ଆଜି ଡ଼ ସାହୁ ଲେଖିଥିବା ପାତ୍ରରେ ଉଲ୍ଳେଖ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ( ୟୁଜିସି) ପକ୍ଷରୁ ତା.୦୬.୦୭.୨୦୨୦ରେ ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକା ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ତା.୦୬.୦୭.୨୦୨୦ରେ ଜାରି ଅଫିସ ମେମୋରେଣ୍ଡମ ରେ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପୋଷ୍ଟ ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ତା.୩୦.୦୯.୨୦୨୦ ସୁଦ୍ଧା କରିବା ପାଇଁ ବାଧ୍ୟତାମୁଳକ କରିଛନ୍ତି | ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକା ପୂର୍ବରୁ ତା.୨୯.୦୪.୨୦୨୦ରେ ପ୍ରବର୍ତିତ ମାର୍ଗ ଦର୍ଶିକାର ବିରୁଦ୍ଧାଚରଣ କରୁଛି ।
ପୂର୍ବ ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କୁ COVID-19 ସ୍ଥିତି ଅନୁଧ୍ୟାନ କରି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତି ନେଇପାରିବେ ଉଲ୍ଲେଖ କରିଥିଲେ । ତଦନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତି ମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ପୋଷ୍ଟ ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ପୁର୍ବ ସେମିଷ୍ଟାର ପରୀକ୍ଷା ଗୁଡିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବର୍ତ୍ତମାନ ୟୁଜିସିର ସଂଶୋଧିତ ମାର୍ଗଦର୍ଶକର ଯାହା ଉଲ୍ଲେଖ ଅଛି ତାହା ପୂର୍ବ ନିଷ୍ପତ୍ତିର ବିରୁଦ୍ଧାଚରଣ କରୁଛି | ତେଣୁ ସାମ୍ପ୍ରତିକ ପରିପ୍ରେକ୍ଷୀରେ ନିଷ୍ପତିର ପୁନର୍ବିଚାର କରିବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ନିଶଙ୍କଙ୍କୁ ଅନୁରୋଧ କରିଛନ୍ତି |