ମୁକ୍ତିପଥ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସହାୟ ମହିଳାଙ୍କ ଅନ୍ତିମ ସଂସ୍କାର କଲା ମାନବ ସେବା ସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତକଙ୍କ ୪ ଶିଶୁଙ୍କ ସେବା ଯତ୍ନ କରିବା ଦାଇତ୍ୱ ନେଲା ଚାଇଲ୍ଡ ଲାଇନ୍‌ ବିଭାଗ

ଝାରସୁଗୁଡା :-( ସୁବାସ ସାହାରେ ) ଝାରସୁଗୁଡ଼ା ଜିଲ୍ଲା ମାନବ ସେବା ସଂଘ ପକ୍ଷରୁ ମୁକ୍ତିପଥ କାର୍ଯ୍ୟକ୍ରମ ଜରିଆରେ ପୁଣି ଜଣେ ମହିଳାଙ୍କ ଅନ୍ତିମ ସତ୍କାର କରାଯାଇଛି । ମହିଳାଙ୍କ ନାମ ଶୋଭା ପାଣ୍ଡେ । ତାଙ୍କର ଘର ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ରିଓଟି ବ୍ଲକ ଅନ୍ତର୍ଗତ ମୁଁଛାପରା ଗାଁ ବୋଲି ଜଣାପଡ଼ିଛି । ସେ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଅନ୍ତର୍ଗତ ଶାନ୍ତିନଗରରେ ସପରିବାର ଭଡ଼ାରେ ରହୁଥିଲେ । ସୁନିଲ ପାଣ୍ଡେଙ୍କ ସ୍ତ୍ରୀ ଶୋଭା ପାଣ୍ଡେଙ୍କ ଅନ୍ତିମ ସତ୍କାର କରାଯାଇଛି । ମହିଳା ଜଣକ ନିମୋନିଆ ରୋଗରେ ପୀଡିତ ଥିଲେ । ସୋମବାର ଦିନ ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଦାରିଦ୍ର୍ୟ ପୀଡିତ ଏହି ପରିବାର ପାଇଁ ଏହି ସମୟରେ କେହି ନ ଥିବାରୁ ମାନବ ସେବା ସଂଘ ପକ୍ଷରୁ ଶବ ସତ୍କାର କରାଯାଇଛି । ସେପଟେ ତାଙ୍କର ଘର ସଂସାର ଉଜୁଡ଼ି ଯାଇଛି । ମୃତ ମହିଳାଙ୍କ ୪ଟି ସନ୍ତାନ ରହିଛନ୍ତି । ନିର୍ବାକ ହୋଇ ଅପଲପ ନୟନରେ ଚାହିଁ ରହିଛନ୍ତି ମୃତ ମାଁଙ୍କ ଆଡ଼େ, ଜାଣି ପାରୁ ନାହାନ୍ତି ଯେ, ତାଙ୍କ ମାଁ ଆଉ ଏ ଦୁନିଆଁରେ ନାହିଁ ବ‌ୋଲି । ପାଖରେ ବାପା ଛିଡ଼ା ହୋଇ ରହିଛି କାଠ ହୋଇ । ଏହି ଶିଶୁ ମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଶିଶୁ ପୁତ୍ର ବୟସ ୧୦ ବର୍ଷ ହେବ ତା କୋଳରେ ରହିଛି ଗୋଟିଏ ଦେଢ଼ ମାସର ଶିଶୁ କନ୍ୟା । ଭୋକରେ ଶିଶୁ କନ୍ୟାଟି କାନ୍ଦୁଥିବା ବେଳେ ସେ ତାକୁ ଚୁପ କରିବାକୁ ଚେଷ୍ଟା କରୁଛି । ତା ପାଖକୁ ଲାଗି ବସିଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା ଓ ୪ ବର୍ଷର ଶିଶୁପତ୍ର । ଏଭଳି ଏକ କରୁଣ ଚିତ୍ର ଦେଖି ଯାହାର ହେଲେ ମନ ତରଳି ଯିବା ନିଶ୍ଚୟ । ଏହି ଶିଶୁ ମାନଙ୍କୁ କିଛି କିଛି ଖାଦ୍ୟ ଓ କୋଳରେ ଥିବା ଦେଢ଼ ମାସର ଛୁଆକୁ ସେଠାରେ କେହି କେହି କ୍ଷୀର ଦେଇ ଶାନ୍ତ କରୁଥିବା ଦେଖା ଯାଇଥିଲା । ଗୋଟିଏ ପଟେ ସ୍ତ୍ରୀଙ୍କ ମୃତ୍ୟୁ ଓ ଅନ୍ୟପଟେ ତାଙ୍କ ଚାରିଗୋଟି ସନ୍ତାନଙ୍କୁ ଏକୁଟିଆ ସମ୍ଭାଳିବା ଧର୍ଯ୍ୟ ଓ ସାହସ ନଥିଲା ପିତା ସୁନିଲକୁମାର ପାଣ୍ଡେଙ୍କ ପାଇଁ । ମା’ ଛେଉଣ୍ଡ ଛୋଟ ଶିଶୁଙ୍କ ଦାଇତ୍ୱ ଚାଇଲଡ଼ ଲାଇନ ଗ୍ରହଣ କରିଛି । ଅସହାୟ ସୁନିଲଙ୍କ ୪ ଶିଶୁଙ୍କ ସେବା ଯତ୍ନ କରିବା ପାଇଁ ଝାରସୁଗୁଡ଼ା ଚାଇଲ୍ଡ ଲାଇନ୍‌ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ଖବର ପାଇ ଚାଇଲ୍ଡ ଲାଇନ୍‌ ସଂଯୋଜକ ଆଶିଷ କମୁାର ପଣ୍ଡା ହସପିଟାଲରେ ପହଞ୍ଚି ଏହି ଅସହାୟ ଶିଶୁ ମାନଙ୍କୁ ରାତିରେ ରହିବାର ବ୍ୟବସ୍ଥା କରିଥିଲେ । ସକାଳେ ଶ୍ରୀ ପଣ୍ଡା, ଚାଇଲ୍ଡ ଲାଇନ୍‌ ସଦସ୍ୟା ଟିକେଶ୍ବରୀ ପଟେଲ, ଝରଣା ଦୀପ ପ୍ରମୁଖ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସିରେ ଉପସ୍ଥାପନ କରିଥିଲେ । ସିଡବ୍ଲୁସି ନିର୍ଦ୍ଦେଶ ଅନୁସାରେ ଦେଢ଼ ମାସର ଶିଶୁ କନ୍ୟାକୁ ବ୍ରଜରାଜନଗର ଠାରେ ଥିବା ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିଲା । ଅନ୍ୟ ତିନିଜଣ ଶିଶୁଙ୍କୁ ବେଲପାହାଡ଼ ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇ ତାଙ୍କର ସେବା ଯତ୍ନର ଦାୟିତ୍ବ ଦିଆଯାଇଛି । ଲକ୍‌ଡାଉନ୍‌ ପରେ ଶିଶୁ ମାନଙ୍କୁ ତାଙ୍କ ଘରକୁ ଫେରେଇ ନେବେ ବୋଲି ସୁନିଲ ପାଣ୍ଡେ କହିଛନ୍ତି । ପ୍ରଶାସନ ପକ୍ଷରୁ ଆଇନତଃ ସମସ୍ତ ପ୍ରକ୍ରିୟା ସରିବା ପରେ “ମାନବ ସେବା ସଂଘ” ଝାରସୁଗୁଡ଼ା ଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରଶାସନ ପକ୍ଷରୁ ହସ୍ତାନ୍ତର କରାଯାଇଥିଲା । ସମସ୍ତ ଆନୁସାଙ୍ଗିକ କାର୍ଯ୍ୟ ସାରି ମାନବ ସେବା ସଂଘ ଶବ ଗ୍ରହଣ କରିବା ପରେ ବୁରୋମାଲ ସ୍ଥିତ ରହିଥିବା ମୁକ୍ତିଧାମ ଠାରେ ସଂଘର ସଦସ୍ୟ ସଦସ୍ୟା ଓ ପ୍ରଶାସନର ଅଧିକାରୀ ଉପସ୍ଥିତ ରହି ସବସତ୍କାର କରିଛନ୍ତି । ସବ ସତ୍କାର ସମୟରେ ମାନବ ସେବା ସଂଘର ଅଧ୍ୟକ୍ଷ ସୁଭାଷ ସାହାରେଙ୍କ ସହ ହାଵିଲଦାର ଦେବାନନ୍ଦ ପସାୟତ, କନଷ୍ଟେବଳ ଗୀତାଞ୍ଜଳୀ ବାଗ ଓ ମନୋଜ ପଟେଲ, ମୃତ ମହିଳାଙ୍କ ସ୍ୱାମୀ ସୁନିଲ ପାଣ୍ଡେଙ୍କ ସହ ସଙ୍ଘର ମାନ୍ୟଗଣ୍ୟ ସଦସ୍ୟ ରମେଶ ଗାନ୍ଧୀ, ଜେ.କେ ସିଂ, ଅଜୁ ବାରିକ, ଆଇନଜୀବୀ ମାନସ ସିହ୍ନା, ବଣ୍ଟି ଶ୍ରୀବାସ, ସୋଫିୟା ମିଞ୍ଜ, ସରୋଜ ସିଂ, ସରଟୁକୋ ବେହେରା ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ । ଝାରସୁଗୁଡ଼ା ମାନବ ସେବା ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁକ୍ତିପଥ’ ଜରିଆରେ ଆଜି ପର୍ଯ୍ୟନ୍ତ ୪୭ଜଣ ଜଣା ଅଜଣା ବୃଦ୍ଧବୃଦ୍ଧାଙ୍କ ତଥା ଯୁବକ ଓ ମହିଳା ମାନଙ୍କର ସବସତ୍କାର କରାଯାଇଛି ।

0
0
0
s2sdefault