ଗୁହାରି ଜଣାଇବାକୁ ପିଲାଏ ଚାଲି ଚାଲି ଆସିଲେ ୧୫ କିମି

ବାରିପଦା/ଦିଲ୍ଲୀପ ମହାନ୍ତି - ଛାତ୍ରାବାସ ଓ ଛାତ୍ରୀ ନିବାସରେ ଅଧା ସିଝା ତରକାରୀ, ପତଳା ଡ଼ାଲି ଓ ଦରଫୁଟା ଭାତ ଖାଇବାକୁ ଦିଆ ଯାଉଛି । ସେହିପରି ଅନ୍ତେବାସିନୀ ଛାତ୍ରୀମାନଙ୍କର କୌଣସୀ ସ୍ୱତନ୍ତ୍ରତା(ପ୍ରାଇଭେସି) ରହୁ ନାହିଁ । ପ୍ରଧାନ ସେବକ ହିମାଂଶୁଙ୍କ ସମେତ ଗ୍ରାମର କେତେକ ବ୍ୟକ୍ତି ଛାତ୍ରୀମାନେ ଗାଧୋଉଥିବା ସମୟରେ ଅବାଧ ପ୍ରବେଶ କରିଥାନ୍ତି । ଆଶ୍ରମ ବିଦ୍ୟାଳୟରେ ଯେଉଁ ଶିକ୍ଷକମାନେ ଶୃଙ୍ଖଳିତ ଭାବେ ଦାୟିତ୍ୱ ତୁଲାନ୍ତି ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଥାନ୍ତି । ପ୍ରଧାନ ସେବକଙ୍କ ବନ୍ଧୁ ତଥା ସ୍ଥାନୀୟ ଅଧିବାସୀ ମିଲୁ ମହାନ୍ତି ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଖରପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି । ଏହି ସମସ୍ତ ବିଷୟକୁ ନେଇ ଛାତ୍ରୀଛାତ୍ରମାନେ ପ୍ରଧାନ ସେବକ ହିମାଂଶୁ ପଟ୍ଟନାୟକଙ୍କ ନିକଟରେ ଅନେକ ଥର ଅଭିଯୋଗ ଆଣି ଥିଲେ ମଧ୍ୟ ସମସ୍ୟାର ସମାଧାନ କରିବା ବଦଳରେ ସେମାନଙ୍କୁ ଗାଳିଗୁଲଜ ଏପରିକି ଶାରିରୀକ ନିର୍ଯ୍ୟାତନା ଦେଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ବାଲିଡ଼ିହା ଆଶ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ | ଛାତ୍ରୀଛାତ୍ରମାନଙ୍କର ବାର୍ଷିକ ପରୀକ୍ଷା ଚାଲୁ ରହିଥିବା ବେଳେ ହଠାତ୍ ଆଜି ୫୦ରୁ ଅଧିକ ଛାତ୍ରୀଛାତ୍ର ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ(ଶିକ୍ଷକ) ହିମାଂଶୁ ପଟ୍ଟନାୟକଙ୍କ ବିରୋଧରେ ଏପରି ଅଭିଯୋଗ କରିବା ପାଇଁ ପରୀକ୍ଷା ଶେଷ ହେବା ପରେ ପ୍ରାୟ ୧୫ କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲିଚାଲି ମୟୂରଭଞ୍ଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଥିଲେ । ମାତ୍ର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଆସି ପହଁଞ୍ଚିଥିଲେ । ପ୍ରଥମ ଶ୍ରେଣୀରୁ ନବନ ଶ୍ରେଣୀରେ ପ୍ରାୟ ୪ ଶହ ପାଖାପାଖି ଛାତ୍ରୀଛାତ୍ର ରହି ଅଧ୍ୟୟନ କରିଥାନ୍ତି ।

ଏହି ସମୟରେ ମୟୂରଭଞ୍ଜ ଜିଲାପରିଷଦର ୪୯ ନମ୍ବର ଜୋନର ସଦସ୍ୟା ଗୀତା ହେମ୍ବ୍ରମ, ଜେଏମଏମର ପିଣ୍ଟୁ ମାଇତି ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦାବି କରିଥିଲେ । ଫଳରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ମଙ୍ଗଳ ଅଧିକାରୀ ଶ୍ରୀବେହେରା ପ୍ରଧାନ ସେବକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାର ଘୋଷଣା କରିବା ସଂଗେସଂଗେ ଛାତ୍ରୀଛାତ୍ରମାନେ ମିଲୁ ମହାନ୍ତିଙ୍କ ନାମରେ ଲିଖିତ ଅଭିଯୋଗ କଲେ ତାଙ୍କ ବିରୋଧରେ ବିଭାଗ ଥାନାରେ ଏଫଆଇଆର ରୁଜୁ କରିବେ ନିର୍ଭର ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲାରେ ଛାତ୍ରୀଛାତ୍ରମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇବା ନିମନ୍ତେ ପାଦରେ ଚାଲିଚାଲି ଆସିବା ନୂଆ କଥା ନୁହେଁ । ଏହି ଭଳି ଘଟଣା ଜିଲ୍ଲାରେ ବିଭିନ୍ନ ସମୟରେ ପରିଲକ୍ଷିତ ହୋଇଆସୁଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ଯାହାଫଳରେ ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଲିଡ଼ିହା ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ହିମାଂଶୁ ପଟ୍ଟନାୟକ ସ୍ଥାନୀୟ ବିଧାୟକଙ୍କ ସମର୍ଥକ ହୋଇଥିବାରୁ ତାଙ୍କ ଛତ୍ରଛାୟାତଳେ ରହିଆସିଥିବାରୁ ଅଧିକ ସ୍ୱେଚ୍ଛାଚାରୀ ହୋଇ ବିଦ୍ୟାଳୟରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିଲେ । ପୂର୍ବରୁ ଏହି ସମସ୍ତ ଅଭିଯୋଗ ତାଙ୍କ କାନରେ ପଡ଼ିଥିଲା ଏବଂ ଏହାର ସମାଧାନ କରିବାରେ ବିଫଳ ହୋଇଥିଲେ ବୋଲି ୪୯ ନଂ ଜୋନର ସଦସ୍ୟା ଗୀତା ହେମ୍ବ୍ରମ କହିଥିଲେ ।