ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା ତା୦୨/୧୦ - ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସାମୂହିକ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଗାନ୍ଧୀ ବିଚାରମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି , ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ,ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା ଓ ଡାକ୍ତର ସୀତାରାମ ବିର୍ତ୍ତିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଙ୍କ ବିଚାରଧାରା , ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ସତ୍ୟ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଭାରତୀୟ ସଂସ୍କୃତି , ଆଦର୍ଶ ଓ ମୂଲ୍ୟବୋଧର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି କହିଥିଲେ। ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀ ଉଭୟ ସର୍ବଦା ଅବିସ୍ମରଣୀୟ ହୋଇ ରହିବେ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ସତ୍ୟ ଓ ଅହିଂସା , କର୍ତ୍ତବ୍ୟନିଷ୍ଠ ତଥା ସଂଯମୀ ଆଚରଣ ପାଇଁ ଗାନ୍ଧିଜୀ ସମସ୍ତଙ୍କର ଆଦର୍ଶ ପାଲଟିଥିଲେ ଓ ନୈତିକତା ତଥା ସରଳ ଜୀବନଯାପନ ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ଶାସ୍ତ୍ରୀଜୀ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଗାନ୍ଧୀ ଓ ଶାସ୍ତ୍ରୀ ଉଭୟ ଯୁଗପୁରୁଷ , ଦୁଇ ମହାମନୀଷିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିଗଣ ଆହ୍ୱାନ ଦେଇଥିଲେ।
ସଭା ପ୍ରାରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ଏହି ଅବସରରେ ବକୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ମେହବୁବ ମହତାବ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିବେକାନନ୍ଦ ମିଶ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଜୟନ୍ତୀ ଅବସରରେ ସକାଳେ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ଗୋଲେଇ ଏବଂ ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ବେହେରାମାଲ କିସାନ ଛକସ୍ଥିତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପଣ୍ଡିତ ସୀତାରାମ ବିର୍ତ୍ତିଆ , ହରପ୍ରେମ ସିଂହଜୀ ଓ ଫାଦର ଲିନୁସ ଫ୍ରାନସିସ ଲାକ୍ରା ସର୍ବଧର୍ମ ପ୍ରାର୍ଥନା ସଭାରେ ଉପସ୍ଥିତ ରହି ପବିତ୍ର ଭାଗବତ ଗୀତା , ବାଇବେଲ ଓ ଗୁରୁଗ୍ରନ୍ଥ ସାହିବରୁ ଉଦ୍ଧୃତ ବାଣୀ ପରିବେଷଣ କରିଥିଲେ। ସୁରଙ୍ଗ ପଧାନଙ୍କ ପରିଚାଳନାରେ ମହିମା ସାଂସ୍କୃତିକ ପରିଷଦ ପକ୍ଷରୁ ତରଣୀସେନ ପ୍ରଧାନ ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୁ .. ଓ ରଘୁପତି ରାଘବ ରାଜାରାମ ପରିବେଷଣ କରିଥିଲେ।
ତାପସ ରାୟ ଚୌଧୁରୀ, ପ୍ରଶାନ୍ତ ନନ୍ଦ, ପବନଲାଲ ସୁଲତାନିଆ,ରାଜେଶ ପାଢ଼ୀ,ବାବାଜୀ ସିଆ,ପ୍ରଣତି ମିଶ୍ର, ବୁଦ୍ଧିଜୀବୀ, ସମାଜସେବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପ୍ରତ୍ୟୁଷରେ ସମଗ୍ର ସହରାଞ୍ଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା। ନିହାଲ ଭୋଇ, ରାଜେଶ ସେଠ,ଆଲିସ ପଟେଲ,ଜଗନ୍ନାଥ ରାଉତ, କିଙ୍ଗକଂଗ୍ ନାଏକ , ସମୀର କିସାନ ଓ ମନବୋଧ ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault