କାଳିଆ ସ୍କିମ  ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ ପରି ଲାଗୁଛି :ଧର୍ମେନ୍ଦ୍ର ପ୍ରଧାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଷୀମାନଙ୍କୁ କଳା କନା ବୁଲାଇବା ପରେ କାଳିଆ ଯୋଜନା 

ମରୁଭୂମି ରାଜ୍ୟ ରାଜସ୍ଥାନରେ ଓଡିଶାଠୁ ଅଧିକ କ୍ଷୀର ଉତ୍ପାଦନ ହେଉଛି 

 ଜଣେ ଚାଷୀର ଚାଷରୁ ଆୟରେ ଅନୁସାରେ ଓଡିଶା ତଳଆଡ଼ୁ ଦ୍ଵିତୀୟ 

 ଭାଗଚାଷୀ ଗଣନା ତ ହୋଇନି, କାଳିଆ ସହାୟତା ପହଂଚିବ କେମିତି 

ଭୁବନେଶ୍ୱର - ରାଜ୍ୟର ଦୀର୍ଘ ଦିନର ବିଜେଡି ଶାସନରେ ଚାଷୀ ମାନଙ୍କୁ କଳା କନା ବୁଲାଇ ଦିଆ ଯାଇଛି । ଏହା ପରେ ରାଜ୍ୟ ସରକାରଙ୍କର ଚାଷୀଙ୍କୁ ସହଯୋଗର ହାତ ବଢାଇବା ପାଇଁ କାଳିଆ ସ୍କିମ  ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ ପରି ଲାଗୁଛି । ଓଡିଶାର ଚାଷୀ ମାନେ ଆଜି ୧୯ ବର୍ଷର ନବୀନ ସରକାରଙ୍କୁ ଜବାବ ମାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି ଯେ ଏବେବି ରାଜ୍ୟରେ ୯୦ରୁ ଅଧିକ ବ୍ଲକରେ ୩୫ ପ୍ରତିଶତରୁ କମ ଜଳସେଚନ ସୁବିଧା ଉପଲବ୍ଧ ଅଛି । ଏହା ହେଉଛି ରାଜ୍ୟ ବିଧାନସଭାରେ ସରକାରଙ୍କ ସ୍ୱୀକାରୋକ୍ତି । ୨୦୦୦ ମସିହାରେ ୨୫  ପ୍ରତିଶତ ଅଧିକ ଜମିକୁ ଜଳସେଚନ ସୁବିଧା ଦେବା, ୨୦୦୪ରେ ଆଉ ୨୫ ପ୍ରତିଶତ ଜମିକୁ, ୨୦୦୯ରେ ପ୍ରତି ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦେବା ଓ ୨୦୧୪ରେ ପାଂଚ ବର୍ଷ ମଧ୍ୟରେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଦେବାର ପ୍ରତିଶ୍ରୁତି ବନାମ ଆଜିର ଜଳସେଚନର ସ୍ଥିତି ସମ୍ପର୍କରେ ସ୍ପଷ୍ଟତା ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରୁଛି ବୋଲି ସେ ଉଲ୍ଳେଖ କରିଛନ୍ତି ।

ବିଜୁ କୃଷକ ବିକାଶ ଯୋଜନାରେ  ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଜଳ ସେଚନ ପାଇଁ  ୫୭, ୬୩୨ଟି ନଳକୂପ ଖନନ କାମ ଶେଷ  ହୋଇଥିବା  କଥା କହିଥିବା ବେଳେ ସେଥିରୁ ମାତ୍ର ୨୬ ହଜାର ୩୩୮ଟିରେ ବିଦ୍ୟୁତକରଣ ସମ୍ପୂର୍ଣ ହୋଇଥିଲା ବୋଲି ସ୍ୱୀକାର କରିଥିଲେ । ଏହା ରାଜ୍ୟ ସରକାରଙ୍କର କି ପ୍ରକାରର ପାରିବା ପଣିଆ ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ମାତ୍ର ୫ଟି ସରକାରୀ ଶୀତଳ ଭଣ୍ଡାର ଅଛି । ଯାହାର କ୍ଷମତା ହେଉଛି ମାତ୍ର ୧୮,୫୦୦ ମେଟ୍ରିକ ଟନ । ରାଜ୍ୟରେ  ୨୦୦୦ ମସିହା ବେଳକୁ ରାଜ୍ୟରେ ସମବାୟ ବିଭାଗର ୫ ଗୋଟି ସଚଳ ଓ ୧୨ ଗୋଟି ଅଚଳ ଶୀତଳ ଭଣ୍ଡାର ଥିଲା  ଓ ଏବେ ସେଇ ସମାନ ୫ ଗୋଟି ସଚଳ ଓ ୧୩ ଗୋଟି ଶୀତଳ ଭଣ୍ଡାର ଅଚଳ ଥିବା ରାଜ୍ୟ ସରକାର ବିଧାନସଭାରେ ଦେଇଛନ୍ତି । ଦୀର୍ଘ ୧୯ ବର୍ଷ ଶାସନ ପରେ ମଧ୍ୟ କୃଷି ଉତ୍ପାଦନର ସଂରକ୍ଷଣ ବ୍ୟବସ୍ଥା  ହୋଇ ନ ପାରିବା ଅପାରଗତାର ପ୍ରମାଣ ।

ବିଭିନ୍ନ ଜିଲ୍ଲାରେ କେତେଜଣ ଭୂମିହୀନ ଲୋକ ଭାଗଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ଏହାର ତଥ୍ୟ ସରକାରଙ୍କ ପାଖେ ନାହିଁ ଏକଥା ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି । ଏବେ କେଉଁ ଆଧାରରେ ଭାଗଚାଷୀମାନଙ୍କୁ କାଳିଆ ଯୋଜନାରେ ସହୟତା ଦେବେ ? ବିନା ଭାଗଚାଷୀ ଗଣନାରେ ସରକାର ଏହି ଯୋଜନାକୁ କିପରି ପ୍ରଣୟନ କରିବେ ? ଜଣେ ଚାଷୀର ଚାଷରୁ ଆୟରେ ଓଡିଶା ହେଉଛି ଦେଶର ତଳ ଆଡୁ ଦ୍ୱିତୀୟ । ମାସକୁ ମାତ୍ର ୧୪୦୭ ଟଙ୍କା ହେଉଛି ଜଣେ ଓଡିଆ ଚାଷୀର ରୋଜଗାର ।

ଓଡିଶାର ସଦ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ ଓଡିଶାର ପାଖାପାଖି ୭୦ ପ୍ରତିଶତ ଲୋକ କୃଷି ଓ କୃଷି ସମ୍ପର୍କିତ କାମରେ ନିୟୋଜିତ ଥିବା ବେଳେ ସେମାନଙ୍କର ଅର୍ଥନୀତିରେ ଯୋଗଦାନ ମାତ୍ର ୧୫ ପ୍ରତିଶତ । ୧୯ ବର୍ଷ ଶାସନ ପରେ କୃଷକର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତର ଦାୟିତ୍ୱ ନେଉ ନାହାନ୍ତି କାହିଁକି  ବୋଲି ସେ ପ୍ରଶ୍ନ କରିଛନ୍ତି । ବହୁଚର୍ଚିତ ଆଳୁ ମିଶନରେ ୨୦୧୭-୧୮ ସୁଦ୍ଧା ୧୧.୨୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ର ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଥିଲା । ଗତ ବର୍ଷ ୨.୬୮ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ  ହୋଇଥିବା ବେଳେ ଶୀତଳ ଭଣ୍ଡାର ଅଭାବ କାରଣରୁ ଚାଷୀ ମାନେ ଅଭାବୀ ବିକ୍ରୀର ଶୀକାର ହୋଇଥିଲେ । ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ତିଆରି କରିବାର ବିଫଳତା ଆଳୁ ମିଶନକୁ ବିଫଳ କରିଥିଲା । ରାଜ୍ୟରେ ଦୈନିକ ୧୦୩ ଲକ୍ଷ ଅଣ୍ଡାର  ଆବଶ୍ୟକତା ରହିଥିବା ବେଳେ  ରାଜ୍ୟରେ ମୋଟ ୬୪.୫ ଲକ୍ଷ ଅଣ୍ଡା ଉତ୍ପାଦନ  ହେଉଥିବା  ସରକାରୀ ତଥ୍ୟ ରହିଛି । ସେହିପରି  ୩.୮୩ ଲକ୍ଷ ମେଟ୍ରିକ ଟନ ପିଆଜ ରାଜ୍ୟରେ ଆବଶ୍ୟକତା ଥିବା ବେଳେ ୦.୨୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ  ହେଉଛି ।

ରାଜ୍ୟରେ ବାର୍ଷିକ ଦୁଗ୍ଧ ଉତ୍ପାଦନ  ୧୮୬୧ ହଜାର  ଟନ ଯାହାକି ଜାତୀୟ ଉତ୍ପାଦନ ର ମାତ୍ର ଦୁଇ ପ୍ରତିଶତ ।  ମରୁଭୂମି ରାଜ୍ୟ ରାଜସ୍ଥାନ ଠାରୁ ଓଡିଶାରେ ଦୁଗ୍ଧ ଉତ୍ପାଦନ  ହାର କମ ରହିଛି । ଚାଷୀକୂଳ ରାଜ୍ୟ ସରକାରଙ୍କୁ ଜବାବ୍ ମାଗୁଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । 

0
0
0
s2sdefault