ହେଡଲାଇନସ୍:

ମୁକ୍ତିଲାଭ କଲା ବ୍ୟୟବହୁଳ  ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ନୂଆବର୍ଷରେ ନିହାର ନମନ ଫିଲ୍ମସ ଭେଟିଦେଇଛି ଓଲିଉଡ଼ର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା' | ହୋଟେଲ ସାଣ୍ଡିଜ ଟାୱାର ଠାରେ ଏହାର ରିଲିଜ ଉତ୍ସବ ଆୟୋଜିତ ହୋଇଯାଇଛି | ଆନୁଷ୍ଠାନିକ ଭାବେ ଏହାକୁ ରିଲିଜ କରିଛନ୍ତି ତରଙ୍ଗ ଚାନେଲର ମୁଖ୍ୟ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର | ଏହି ଉତ୍ସବରେ 'ଜାନିୟା'ର ସମସ୍ତ କଳାକାର ଓ ଟେକନିସିଆନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ | ଗୁରୁତ୍ୱପୂର୍ଣ୍ଣ  କଥାଟି ହେଉଛି, ଏହି  ମ୍ୟୁଜିକାଲ ସର୍ଟ ମୁଭିରେ ଚଳଚ୍ଚିତ୍ରର ସମସ୍ତ ପ୍ରକାର ବୈଶିଷ୍ଟ୍ୟ ଦେଖିବାକୁ ମିଳିବ | ବର୍ତ୍ତମାନ ସମୟରେ ଯେଉଁ ବଜେଟରେ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ତା'ଠୁ ଯଥେଷ୍ଟ ଅଧିକ ବଜେଟରେ ଏହି ମ୍ୟୁଜିକାଲ ସର୍ଟ ମୁଭି ନିର୍ମିତ ହୋଇଛି | ଚଳଚ୍ଚିତ୍ର ପରି ଏହାକୁ ସର୍ବାଙ୍ଗ ସୁନ୍ଦର ତଥା ଆକର୍ଷଣୀୟ  କରିବା ପାଇଁ ପ୍ରଯୋଜକ ଲିପୁ ବାବୁ ଓ ସିପୁ ବାବୁ କୌଣସିଥିରେ ଊଣା କରିନାହାନ୍ତି | ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ କାହାଣୀ, ସଙ୍ଗୀତ, ଅଭିନୟ, ଦୃଶ୍ୟଗ୍ରହଣ ଆଦି ପ୍ରତ୍ୟେକଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି |

'ଜାନିୟା'ର ଲିଡ଼ ରୋଲରେ ଅଛନ୍ତି ସୁଭାଶିଷ ଶର୍ମା (ମଣ୍ଟୁ) ଓ  ପୁନମ ମିଶ୍ର | ଏହି ରୋମାଣ୍ଟିକ ଯୋଡି ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ 'ଜାନିୟା'ରେ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି | ବିଶିଷ୍ଟ କାହାଣୀକାର ଓ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କୁ  ମଧ୍ୟ ଏଥିରେ ଏକ ଅତିଥି ଭୂମିକାରେ ଦେଖିବାକୁ ମିଳିଛି | ତା' ସହିତ ଖଳନାୟକ ଭୂମିକାରେ ଅଛନ୍ତି ଧାରାବାହିକର ଜଣାଶୁଣା ନିର୍ଦ୍ଦେଶକ ତଥା 'ସାରା ଆକାଶ' ଫେମ ଅଭିନେତା ମିହିର ସ୍ୱାଇଁ | ଏକ ସମ୍ପୂର୍ଣ୍ଣ ନୂଆ ଗେଟଅପ ଓ ନୂଆ ଅନ୍ଦାଜରେ ସେ ନଜର ଆସିଛନ୍ତି | ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କ୍ରିଷ୍ଣା କର (କେ. କେ) ଓ ଟିମ | ଓଲିଉଡ଼ର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର ଓରଫ କେ.କେ ଏହି ମ୍ୟୁଜିକାଲ ସର୍ଟ ଫିଲ୍ମ ଜରିଆରେ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଉଛନ୍ତି | କାହାଣୀ ଲେଖିଛନ୍ତି ପୁପୁନ | ଡ. ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ସଙ୍ଗୀତ ଦେଇଛନ୍ତି ସୁଶୀଳ ଦଳେଇ | କ୍ୟାମେରାରେ ଅଛନ୍ତି ଧ୍ରୁବାନନ୍ଦ ପଣ୍ଡା | ସମ୍ପାଦନା କରିଛନ୍ତି ସୌମ୍ୟ ଶୋଭନ ନାୟକ |

15 ମିନିଟ ଅବଧି ବିଶିଷ୍ଟ ଏହି ମ୍ୟୁଜିକାଲ ସର୍ଟ ମୁଭିରେ ଲଭ ଅଛି, ରୋମାନ୍ସ ଅଛି | ଅଛି ଇମୋସନ | ସବୁ ବର୍ଗର ଦର୍ଶକଙ୍କୁ ସୁହାଇଲା ଭଳି କାହାଣୀ ବାଛିଛନ୍ତି ପ୍ରଯୋଜକ ରାଉତ ବ୍ରଦର୍ସ ଓରଫ ଲିପୁ ବାବୁ ଓ ସିପୁ ବାବୁ | 'ଜାନିୟା'କୁ  ଗ୍ଲସି ଲୁକ ଦେବା ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ସବୁପ୍ରକାର ପ୍ରଚେଷ୍ଟା କରାଯାଇଛି | କାହାଣୀରେ ନୂତନତ୍ୱ,  ବାସ୍ତବ ଅଭିନୟ ଓ ଉଚ୍ଚକୋଟ୍ଟୀର ନିର୍ମାଣ ଦୃଷ୍ଟିରୁ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ବେଶ ଆଶାବାଦୀ ଅଛନ୍ତି | କେବଳ ସେତିକି ନୁହେଁ, ଓଲିଉଡ଼ରେ ଚଳଚ୍ଚିତ୍ରର ମାନ ଦିନକୁ ଦିନ କମି କମି ଯାଉଥିବା ବେଳେ ମ୍ୟୁଜିକାଲ ସର୍ଟ ମୁଭି ହୋଇଥିଲେ ମଧ୍ୟ ଟ୍ରେଣ୍ଡ ସେଟର ସାଜି ଏହା ଉଦାହରଣ ସୃଷ୍ଟି କରିବ ବୋଲି କୁହାଯାଉଛି |

0
0
0
s2sdefault