ପ୍ରୟାଗରାଜ କାହିଁକି, ନୃସିଂହନାଥ କାହିଁକି ନୁହେଁ
ନିରଞ୍ଜନ ତ୍ରିପାଠୀ (ସାମ୍ବାଦିକ)
ଓଡିଶା ପ୍ରଦେଶ ର ବରଗଡ ଜିଲ୍ଲା ମୁଖ୍ୟାଳୟଠାରୁ ଦକ୍ଷିଣକୁ ୧୧୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ହେଉଛି ଏକ ପୌରାଣିକ ମନ୍ଦିର ଏବଂ ପଶ୍ଚିମ ଓଡିଶାର ଏକ ଅଦ୍ୱିତୀୟ ପର୍ଯ୍ୟଟନ କ୍ଷେତ୍ର ।
କୁଳୁକୁଳୁ ନାଦରେ ପାହଡ ଶିଖରରୁ ବୋହି ଆସୁଥିବା ଏକାଧିକ ଜଳପ୍ରପାତର ସମାହାର, ଆୟୁର୍ବେଦ ବନୌଷଧି ତଥା ମନୋଲୋଭା ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତ ଘେରା ବୁକୁରେ ଏହି ପବିତ୍ର ତୀର୍ଥ ଭୂମି l ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଉଛନ୍ତି l ଏଠାରେ ଭଗବାନ ନୃସିଂହ ବିରାଡି ର ମସ୍ତକ ଏବଂ ସିଂହର ଶରୀର ଧାରଣକରି ପୂଜା ପାଇ ଆସୁଛନ୍ତି ।
ପାଟଣାଗଡ଼ ର ଅଷ୍ଠମ ଚୌହାନ ରାଜା ବୈଜଲ ସିଂ ଦେବ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ୧୩୧୩ ଖ୍ରୀଷ୍ଟାବ୍ଦ ରେ ନିର୍ମାଣ କରିଥିଲେ। ମନ୍ଦିରର ପ୍ରସ୍ତର କାନ୍ଥରେ ଏକ ରୁ ଏକ ଶିଳାଲେଖ ଏହାର ନିର୍ମାଣ ସମ୍ଭନ୍ଧ ରେ ଇତିହାସ କଥା କହୁଅଛି l ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ପୂର୍ବମୁଖ ହୋଇ ଦଣ୍ଡାୟମାନ, ଏହାର ଦୁଇଗୋଟି ଅଙ୍ଗ ରହିଛି - ମୁଖ୍ୟ ଦେଉଳ ଓ ଜଗମୋହନ l ମନ୍ଦିର ସମ୍ମୁଖରେ ଝରଣା ଆରପଟେ ରହିଛି ଗରୁଡ଼ ସ୍ତମ୍ଭ ଯାହାର ଶୀର୍ଷରେ ଦୀପାବଳି ଉପଲକ୍ଷେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥାଏ l ଶ୍ରୀଶ୍ରୀ ନୃସିଂହନାଥ ପୀଠ କେବଳ ସୌନ୍ଦର୍ଯ୍ୟ ଓ ଧାର୍ମିକ ଦୃଷ୍ଟିରୁ ନୁହେଁ, ମନ୍ଦିର ନିର୍ମାଣ କଳା ଓ ପ୍ରସ୍ତର ଖୋଦିତ ସୁକ୍ଷ୍ମ କାରୁକାର୍ଯ୍ୟ ଯୋଗୁଁ ମଧ୍ୟ ସ୍ୱତନ୍ତ୍ର ମହତ୍ୱ ପ୍ରତିପାଦିତ କରେ l ସେହି ସ୍ୱତନ୍ତ୍ରତା ହିଁ ବିଶ୍ୱପ୍ରସିଦ୍ଧ କଳା-ଐତିହାସିକ, ପ୍ରତ୍ନତତ୍ତ୍ୱବିତ ଓ ଗବେଷକମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିଛି l
ନୃସିଂହ ଚରିତ୍ର ପୁସ୍ତକର ବର୍ଣ୍ଣନା ଅନୁଯାୟୀ କଥିତ ଅଛି ଯେ ସୁବହୂ ବନରେ ଧ୍ୟାନରତ ଉଡ଼ଙ୍ଗ ଋଷି କନ୍ୟା ମାଳତୀ ପ୍ରଥମେ ରାବଣ ଓ ପରେ ମୂଷିକ ରାଜା ଙ୍କ ଦ୍ୱାରା ଧର୍ଷିତା ହେବାପରେ ତାହାର ଗର୍ଭ ରୁ ଅତ୍ୟାଚାରୀ ମୂଷିକ ଅସୁର ଜନ୍ମ ଗ୍ରହଣ କଲା l ଜନ୍ମ ହେବା ମାତ୍ରେ ସେ ନିଜ ମାକୁ ପ୍ରଥମେ ଭକ୍ଷଣ କଲା l ଶିବଙ୍କ ଠାରୁ ବରଦାନ ପାଇ ସେ ଅତ୍ୟନ୍ତ ବଳଶାଳୀ ହୋଇଉଠିଲା l ମୂଷିକ ଅସୁର ଅତ୍ୟାଚାରରେ ତିନିଲୋକ ପ୍ରକମ୍ପିତ ହେବାରେ ଲାଗିଲା l ଦେବତା ମାନଙ୍କ ପ୍ରାର୍ଥନାରେ ସ୍ଵୟଂ ଦୁର୍ଗା ମୂଷିକ ଅସୁର ସହ ଯୁଦ୍ଧ କରି ପରାଜିତ ହେଲେ l ଦେବତା ମାନେ ପ୍ରଭୁବିଷ୍ଣୁ ଙ୍କ ଶରଣାପନ୍ନ ହେଲେ, ପ୍ରଭୁବିଷ୍ଣୁ ଶ୍ରୀରାମ ଅବତାର ରେ ନୃସିଂହ ରୂପ ଧାରଣ କରି ଅସୁରକୁ ଗୋଡ଼ାଇବାରୁ ସେ ଗନ୍ଧଗିରି ଦେହରେ ଥିବା ସୁଡ଼ଙ୍ଗରେ ଲୁଚିଗଲା l ମୂଷିକ ଅସୁରର ନିଧନ ସକାଶେ ସେଇ କାଳରୁ ଶ୍ରୀରାମ ମାର୍ଜାରକେଶରୀ ରୂପରେ ଜଗିଛନ୍ତି l ପାହାଡର ଦକ୍ଷିଣ ପଟେ 'ହର' ଭାବେ (ହରିଶଙ୍କର) ଅସୁରକୁ ଜଗିଛନ୍ତି l
ପୁନଶ୍ଚ ପ୍ରଭୁଙ୍କ ମୂର୍ତ୍ତିର ଆବିଷ୍କାର ସମ୍ପର୍କରେ ଜଣାଯାଏ ଯେ ଗନ୍ଧମାର୍ଦ୍ଦନ ପର୍ବତ ରେ ବତିଶ ଟି ଝରଣା ରହିଛି l ତନ୍ମଧ୍ୟରୁ ଗୋଟିଏ ଝରଣା କୂଳରେ ଦିନେ ଯମୁନା ନାମକ ଜଣେ କନ୍ଧୁଣି କନ୍ଦମୂଳ ଖାଇବାକୁ ଖୋଳୁଥିବା ସମୟରେ ମାଟି ଭିତରୁ ଗୋରସ ର ଧାର ନିର୍ଗତ ହେଲା l ତାହା ଦେଖି ସେ ଡରିଯାଇ ତାହାର ସ୍ୱାମୀକୁ ଆଣି ସେଇ ସ୍ଥାନ କୁ ଦେଖାଇଲା l କନ୍ଧ କୋଦାଳ ସାହାଯ୍ୟରେ ମାଟି ଖୋଳି ମାଟି ଭିତରୁ ଗୋଟିଏ ପ୍ରତିମୂର୍ତ୍ତି ପାଇଲା l କନ୍ଧ ଦମ୍ପତି ମୂର୍ତ୍ତିକୁ ନେଇ ଘରକୁ ଗଲେ ଏବଂ ରାତିରେ ମୂର୍ତ୍ତି କନ୍ଧକୁ ସ୍ୱପ୍ନାଦେଶ ଦେଲେ ଯେ, ଆମ୍ଭେ ନୃସିଂହନାଥ ଅଟୁ, ଆମକୁ ସେବାକର ତମର ମଙ୍ଗଳ ହେବ l କନ୍ଧ ଭଗବାନଙ୍କ ଏହି ବିଷୟଟି ମହାରାଜ ଙ୍କୁ ଜଣାଇଲା l ମହାରାଜ ବୈଜଲ ସିଂ ଦେବ ସେଠାରେ ମନ୍ଦିର ନିର୍ମାଣ କରାଇ ନରସିଂହ ମୂର୍ତ୍ତିକୁ ସ୍ଥାପନ କରି ପୂଜାପାଇଁ ବନ୍ଦୋବସ୍ତ କରାଇଲେ l ବର୍ଷ ସାରା
ପିକନିକ ପାଇଁ ଏହା ଏକ ଲୋକପ୍ରିୟ ସ୍ଥାନ ଅଟେ, ସମଗ୍ର ଓଡିଶା, ଛତିଶଗଡ଼ ଏବଂ ଅନେକ ରାଜ୍ୟ ରୁ ହଜାର ହଜାର ଶ୍ରଦ୍ଧାଳୁ ପରିବାର ସହ ନୃସିଂହନାଥ ଦର୍ଶନ କରିବାକୁ ବର୍ଷସାରା ଆସିଥାନ୍ତି l ନିଜ ପରିଜନ ଙ୍କ ଅସ୍ଥି ବିସର୍ଜନ କରିଥାନ୍ତି l
ନୃସିଂହନାଥ ମନ୍ଦିରର ପାଦ ଦେଶରେ ପବିତ୍ର ପାପନାଶିନୀ ନିର୍ଝରିଣୀ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ଅଟେ, ଏହା ସମସ୍ତ ପର୍ଯ୍ୟଟକଙ୍କୁ ସମ୍ମୋହିତ କରିଥାଏ l ବିଶ୍ୱାସ କରାଯାଏ ଯେ ପାପନାଶିନୀ ଝରଣା ନିକଟରେ ଦୁଃଖର ଉପଶମ ପାଇଁ ଏକ କମନୀୟ ଖୋଦନ ଚିତ୍ର ସଂରକ୍ଷିତ ହୋଇ ରହିଛି l ଯାହାର ଦର୍ଶନ କଲେ ମାନବ ଯାବତୀୟ ପାର୍ଥିବ ଯନ୍ତ୍ରଣାରୁ ମୁକ୍ତିଲାଭ କରିଥାଏ l
ନୃସିଂହନାଥ ମନ୍ଦିର ଆଖପାଖରେ ଚାଲ୍ ଧାର, ଭୀମ ଧାର, ସୀତା କୁଣ୍ଡ, ପଞ୍ଚୁପାଣ୍ଡଭ, କପିଳ ଧାର, ସୁପ୍ତ ଧାର, ସତ୍ୟାମ୍ବ, ଭୀମ ମଢୁଆ ଆଦି ମନୋରମ ପ୍ରାକୃତିକ କିମ୍ବଦନ୍ତୀ ସ୍ଥାନ ରହିଅଛି lଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଏକଦା ଭଗବାନ ଶିବ କୁଶ କୁ ଥୋଇ ଗୋଦାବରୀ ନଦୀରେ ସ୍ନାନ କରୁଥିଲା ବେଳେ ଗୋଟେ ଗାଈ ଆସି କୁଶ କୁ ଖାଇଦେବାରୁ କ୍ରୋଧାନ୍ୱିତ ହୋଇ ଗାଈ ଟିକୁ ବଧ କରିଦେଇଥିଲେ l ଭାରତ ବର୍ଷ ର ସମସ୍ତ ତୀର୍ଥ କ୍ଷେତ୍ର ଦର୍ଶନ କରି ସୁଦ୍ଧା ଗୋହତ୍ୟା ପାପ ହରଣ ନ ହେବାରୁ ସେହି ସମୟରେ ଏହି ନୃସିଂହ ନାଥ ପୀଠ ରେ ଭଗବାନ ବିଷ୍ଣୁ ଙ୍କୁ ସାକ୍ଷାତ କରି ପରାମର୍ଶ କରିଥିଲେ l ବିଷ୍ଣୁଙ୍କ ପରାମର୍ଶ କ୍ରମେ ଏଠାରେ ବହି ଯାଉଥିବା ନିର୍ଝରିଣୀ ର ଗୋକୁଣ୍ଡ ରେ ସ୍ନାନ କରି ପାପମୁକ୍ତ ହୋଇପାରିଥିଲେ l ବିଷ୍ଣୁଙ୍କ ଅନୁମତି ରୁ ପାହାଡ଼ ର ଅନ୍ୟ ପାଦଦେଶ ରେ ଶିବ ରହିଥିବାର ସୂଚନା ମିଳେ l ବିଷ୍ଣୁ ଓ ଶିବ ଙ୍କ ମିଳନ ଘଟିଥିବାରୁ ତାକୁ ହରିଶଙ୍କର କୁହାଯାଏ l ଏହିପରି ଅନେକ କିମ୍ବଦନ୍ତୀ,ଇତିହାସ ବାର୍ତ୍ତା ବହନ କରୁଥିବା ସ୍ୱଚ୍ଛ ବିଶୁଦ୍ଧ ପରିବେଶ ଯୁକ୍ତ ପ୍ରାକୃତିକ ମନୋରମ ସ୍ଥଳ, ବୈଜ୍ଞାନିକ ଦୃଷ୍ଟିକୋଣ ରୁ ସ୍ୱଚ୍ଛ ସୁରକ୍ଷିତ ଝରଣା, ଔଷଧୀୟ ବନ ଗୁଳ୍ମ ଲତା ପୂର୍ଣ୍ଣ ହୋଇ ରହିଛି l ପାହାଡ଼ ରୁ ବହିଆସୁଥିବା ଝରଣା ଯାହା କବି ଗଙ୍ଗାଧର ମେହେର ଙ୍କ "ମୃଗୟା ଦର୍ଶନ" କବିତା ରେ ନୃସିଂହ ନାଥ ର ମହିମା ବିଷୟରେ ବର୍ଣ୍ଣିତ ରୁ ପଦେ - "ବନ୍ଦଇ ନୃସିଂହନାଥ ତୁମ ଶ୍ରୀଚରଣ, ଯେଉଁ ପାଦ କରେ ପାପୀ ପାତକ ହରଣ... ଯେଉଁ ପାଦ ତଳେ ପାପ ହରଣ ଝରଣ... ଶିଖରୀ ଶିଖରୁ ଡେଇଁ ମାଗଇ ଶରଣ l ଯେଉଁଠି ପିତୃ ପୁରୁଷ ଙ୍କ ଅସ୍ଥି ବିସର୍ଜନ କରିବା ଅପେକ୍ଷା ପର୍ଯ୍ୟଟନ ଭିତିଭୂମି ର ଅଭାବ, ପ୍ରଚାର ପ୍ରସାର ର ସ୍ୱଳ୍ପତା ଯୋଗୁଁ ଆମ ରାଜ୍ୟ ଠୁ ୭୫୦ କି.ମି.ଦୂର ରେ ଉତ୍ତର ପ୍ରଦେଶ ର ପ୍ରୟାଗରାଜ ଗଙ୍ଗା,ଯମୁନା, ସରସ୍ବତୀ ନଦୀ ର ମିଳନ ସ୍ଥଳ ତ୍ରିବେଣୀ ସଙ୍ଗମ କୁ ଯାଇ ଅଯଥା ଖର୍ଚ୍ଚାନ୍ତ ହୋଇ ପିତୃପୁରୁଷ ଙ୍କ ଅସ୍ଥି ବିସର୍ଜନ କରୁଛନ୍ତି l ପୁରାଣ ଅନୁଯାୟୀ ଗଙ୍ଗା ନଦୀ କୁ ପବିତ୍ର ନଦୀ କୁହାଯାଏ କିନ୍ତୁ ସତରେ କଣ ଆଜିର ଗଙ୍ଗା ନଦୀ ସେଇ ପୁରାଣ ବର୍ଣିତ ଗଙ୍ଗା ନଦୀ ଭଳିଆ ପବିତ୍ର ? ହଜାର ହଜାର ଶବ ଭାସି, କଳକାରଖାନା ର ମଇଳା ଜଳ ଆବର୍ଜନା ମିଶି, ସହର ନଗର ର ଆବର୍ଜନା ଜଳ ମିଶି ଆଜି କଣ ଗଙ୍ଗା ନଦୀ ତାର ପବିତ୍ରତା ବଜାୟ ରହିଛି ?ଲୋକଙ୍କ ମାନସିକତା ର ପରିବର୍ତ୍ତନ ଆଧ୍ୟାତ୍ମିକ, ପୌରାଣିକ, ବୈଜ୍ଞାନିକ ଦୃଷ୍ଟିକୋଣ ରୁ ଆବଶ୍ୟକତା ରହିଛି l ଜନସାଧାରଣ ବୁଝିବା ଉଚିତ ମାନସିକତା ର ପରିବର୍ତ୍ତନ କରିବା ଆବଶ୍ୟକ l ପବିତ୍ର ପୀଠ ନୃସିଂହ ନାଥ ର ସୌନ୍ଦର୍ଯ୍ୟ ପୂର୍ଣ୍ଣ ପ୍ରାକୃତିକ ଶୋଭାରାଜି କୁଳୁ କୁଳୁ ନିନାଦିନୀ ପବିତ୍ର ପାପହରିଣୀ ଝରଣା ଓ ତାର ପ୍ରସିଦ୍ଧ କିମ୍ବଦନ୍ତୀ କୁ ବୁଝି ଅଯଥା ଅର୍ଥ ଅପଚୟ କରି ତ୍ରିବେଣୀ ସଙ୍ଗମ ପ୍ରୟାଗରାଜ ନ ଯାଇ ଏହି ପବିତ୍ର ତୀର୍ଥ ସ୍ଥଳରେ ଅସ୍ଥି ବିସର୍ଜନ କରିବା ଉଚିତ l କେନ୍ଦ୍ର ଓ ରାଜ୍ୟ ର ସ୍ଥାନୀୟ ସରକାର ଏହି ପବିତ୍ର ପୀଠ ଉନ୍ନତି ତ୍ୱରାନ୍ୱିତ କରି ପର୍ଯ୍ୟଟନ ର ବିକାଶ କରିବା ସହ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ l