ସୁସ୍ଥ ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଲୋକାୟୁକ୍ତ ଗଠନ କରାଯାଇଛି : ଜଷ୍ଟିସ ଅଜିତ ସିଂହ

3

ଓଡିଶା ଲୋକାୟୁକ୍ତ ଅଧିନିୟମ-୨୦୧୪ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଓଡିଶା ରାଜ୍ୟ  ଆଇନ ସେବା ପ୍ରାଧିକରଣ କଟକ ଆନୁକୂଲ୍ୟରେ ଓଡିଶା ଲୋକାୟୁକ୍ତ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନର ମିଳିତ ପୃଷ୍ଠପୋଷକତାରେ ” ଓଡିଶା ଲୋକାୟୁକ୍ତ ଅଧିନିୟମ-୨୦୧୪” ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଶ୍ରୀ ବିଶ୍ବଜିତ ଦାସ ସଭାପତିତ୍ୱ କରି ପ୍ରାରମ୍ଭିକ ସୂଚନାରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଜ୍ଞାପନ କରିଥିଲେ । ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟର ସରଳ-ନିରୀହ ଲୋକେ ଯେଭଳି କୌଣସି ଦୁର୍ନୀତି ଓ ଭ୍ରଷ୍ଟାଚାରର ଶିକାର ନ ହେବେ ଏବଂ ଭ୍ରଷ୍ଟାଚାର ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ-ବିଧାନ  କିଭଳି କରାଯାଇ ସୁସ୍ଥ ଓ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରିବ , ସେଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି । ସମାଜରେ କି କୌଣସି ସରକାରୀ କାର୍ଯ୍ୟାଳୟରେ ସରକାରୀ ଅଧିକାରୀ ନିଜର କି କାହାର ଉଚିତ କାମ କରିବା ବେଳେ କିଛି ଲାଞ୍ଚ ମାଗିବା ଭଳି ଦୁର୍ନୀତି କି ଭ୍ରଷ୍ଟାଚାର କରନ୍ତି ତାହେଲେ ତୁରନ୍ତ ଲୋକାୟୁକ୍ତକୁ ଅଭିଯୋଗ କରନ୍ତୁ । ସେଠାରେ ପ୍ରତ୍ୟେକ ଅଭିଯୋଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ତଦନ୍ତ କରାଯିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚିତ ଦଣ୍ଡବିଧାନ କରାଯିବ । ତେଣୁ ସମାଜ ଓ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି ଓ ଭ୍ରଷ୍ଟାଚାର ମୂଳପୋଛ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

http://www.youtube.com/watch?v=uIrcyCSo3B0   

ମୁଖ୍ୟବକ୍ତା ଭାବେ ଲୋକାୟୁକ୍ତର ଜୁଡିସିଆଲ ସଦସ୍ୟ ଜଷ୍ଟିସ ବି.କେ.ନାୟକ ଯୋଗଦେଇ ଓଡିଶା ଲୋକାୟୁକ୍ତର ପରିପୃଷ୍ଠ ଓ ପରିସର ସମ୍ପର୍କରେ କହି ଏହାର କାର୍ଯ୍ୟକାରିତା  କେଉଁ ମାନେ ଏହାର ପରିସର ଭୁକ୍ତ ହେବେ , ଅଭିଯୋଗ କିଭଳି କରିବାକୁ ହେବ ଏବଂ ଜନମଙ୍ଗଲ ରାଷ୍ଟ୍ରର ବିକାଶ ଦିଗରେ ଦୁର୍ନୀତି ଓ ଭ୍ରଷ୍ଟାଚାର କିଭଳି ବାଧକ ହୋଇଥାଏ କହିଥିଲେ ।

        ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଲୋକାୟୁକ୍ତ ସଦସ୍ୟ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା , ଡ଼ଃ ଦେବବ୍ରତ ସ୍ବାଇଁ , ଗଜପତି ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସମାଜ ଓ  ଜିଲ୍ଲାରୁ ଦୁର୍ନୀତି ଓ ଭ୍ରଷ୍ଟାଚାରର  ମୂଳତ୍ପାଟନ ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ବାନ କରିଥିଲେ । 

     ସମସ୍ତ କାର୍ଯ୍ୟକ୍ରମକୁ ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ସଂଯୋଜନା କରିଥିଲେ । ଶେଷରେ ଲୋକାୟୁକ୍ତର ସେକ୍ରେଟାରୀ ମାନସ ରଞ୍ଜନ ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର କଳାକାର ମାନେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରିଥିଲେ ।

     ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ , ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ,  ସାମ୍ବାଦିକ , ଓକିଲ ସଂଘ କର୍ମକର୍ତ୍ତା , ବେସରକାରୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

   

 

Leave A Reply

Your email address will not be published.