ବିଦେଶରେ ପ୍ରଦର୍ଶିତ ହେବ ମୟୂରଭଞ୍ଜ ଛଉନୃତ୍ୟ: “ପ୍ରୋଜେକ୍ଟ ଛାଉଣୀ” କଳାକାର ଦଳର ବିଦେଶ ଯାତ୍ରା

3
Team with Maharaj and Maharani

ବାରିପଦା:- (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ତଥା ଏହାର ପ୍ରଚାର ପ୍ରସାର ସହ ଛଉ କଳାକାରମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ  ୨୦୧୬ରେ ତତ୍କାଳୀନ  ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଆରମ୍ଭ କରିଥିଲେ ପ୍ରୋଜେକ୍ଟ ଛାଉଣୀ  ଏବଂ ଏହି ପ୍ରୋଜେକ୍ଟ ଛାଉଣୀ ଭାରତ ସହ ବିଦେଶରେ ଛଉନୃତ୍ୟ ପ୍ରଦର୍ଶନ କରି ମୟୂରଭଞ୍ଜ ମାଟି ଏବଂ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଆସୁଛନ୍ତି । ଏହି ସମୟରେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନସ  ପକ୍ଷରୁ ପ୍ରୋଜେକ୍ଟ ଛାଉଣୀର ଗୁରୁ ଶ୍ରୀ ପାଗୁଲୁ ଜେନା, ଗୁରୁ ଶ୍ରୀ ତ୍ରିଲୋଚନ ମହାନ୍ତଙ୍କ ସମେତ ବିରଂଚି ମହାନ୍ତି, ସଚିନା ଧଡା, ଟାରଜନ୍ ଘଡେଇ, ପ୍ରବୀନ ଦାସ, ଲାଲଟୁ ମହାନ୍ତ ଓ ନବ କିଶୋର ଘଡେଇ ପ୍ରମୁଖଙ୍କୁ ନେଇ ଏକ ଆଠ ଜଣିଆ ଟିମ ନଭେମ୍ବର ୨୯ରେ ୱେଷ୍ଟଇଣ୍ଡିଜର ତ୍ରିନିଦାଦ୍ ଏଣ୍ଡ ଟୋବାଗୋକୁ ଛଉନୃତ୍ୟ ପ୍ରଦର୍ଶନ ଉଦ୍ଦେଶ୍ୟରେ ଯାତ୍ରାରମ୍ଭ କରିଛନ୍ତି । ଉକ୍ତ ଟିମ ତ୍ରିନିଦାଦ୍ ଏଣ୍ଡ ଟୋବାଗୋରେ ପହଂଚିବା ପରେ  ୱେଷ୍ଟଇଣ୍ଡିଜର ରାଜ୍ୟଧାନୀ ପୋର୍ଟ ଅଫ୍ ସ୍ପେନ୍ ରେ ଭାରତୀୟ ଦୂତାବାସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରଦର୍ଶନ କରିବେ । ସେମାନେ  ସେଠାରେ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବା ସହିତ ବିଭିନ୍ନ ସ୍ଥାନରେ ଛଉ ନୃତ୍ୟ ପ୍ରଦର୍ଶନ କରିବେ । ଏହା ସାଙ୍ଗକୁ ତିନିଗୋଟି ସ୍ଥାନରେ ମୟୂରଭଞ୍ଜ ଛଉ ନୃତ୍ୟକୁ ନେଇ କର୍ମଶାଳାର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ଡିସେମ୍ବର ୯ତାରିଖରେ ଉକ୍ତଦଳ ସାଉଥ୍ ଆମେରିକାର ଗୁଏନାକୁ ଯିବା ପରେ ସେଠାରେ ମଧ୍ୟ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ତିନୋଟି ଉତ୍ସବରେ ମୟୂରଭଞ୍ଜ ଛଉନୃତ୍ୟ ପ୍ରଦର୍ଶନ କରିବା ସଂଗେସଂଗେ ଛଉନୃତ୍ୟ ଉପରେ ଦୁଇଟି କର୍ମଶାଳାର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି  । ପ୍ରୋଜେକ୍ଟ ଛାଉଣୀର ଏହି ଟିମ ଆମେରିକାରେ ସମସ୍ତ କାର୍ଯ୍ୟକ୍ରମ ଶେଷ କରି  ଡିସେମ୍ବର ୧୧ରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ  କରିବେ ।

Team with the Collector

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ  ବିନୀତ ଭରଦ୍ୱାଜ ନୃତ୍ୟଶିଳ୍ପୀମାନଙ୍କୁ ଶୁଭକାମନା ଜଣାଇବା ସହିତ ମୟୂରଭଞ୍ଜ ତଥା ଆମ ଦେଶ ପାଇଁ ସୁନାମ ଅର୍ଜ୍ଜନ କରି ପ୍ରତ୍ୟାବର୍ତନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଛଉ ନୃତ୍ୟଶିଳ୍ପୀମାନେ ଯାତ୍ରା ପୂର୍ବରୁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜଙ୍କ ସମେତ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଏବଂ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କୁ ଭେଟି ଆର୍ଶିବାଦ ଗ୍ରହଣ କରିଥିଲେ ।

 

(File Photo) Ex collector Rjesh prabhakar patil while lunching “Project Chhauni” in the year 2016

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଛଉନୃତ୍ୟର ପୂର୍ବ ଗୌରବର ପୁନଃ ପ୍ରତିଷ୍ଠା  ସହିତ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୧୬ ମସିହାରେ ତତ୍କାଳୀନ  ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ପ୍ରୋଜେକ୍ଟ ଛାଉଣୀର ସ୍ଥାପନା କରିଥିଲେ । ପ୍ରସିଦ୍ଧ ଛଉ ନୃତ୍ୟାଙ୍ଗନା ତଥା ଗବେଷିକା ଶୁଭଶ୍ରୀ ମୁଖାର୍ଜୀ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ । ବିଦେଶ ମାଟିରେ ନିଜର ପ୍ରିୟ ଛଉନୃତ୍ୟ ପ୍ରଦର୍ଶନ ପାଇଁ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ କରାଯାଇଥିବା ଉଦ୍ୟମକୁ ସମଗ୍ର ଜିଲ୍ଲାବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଅଛି । 

 

 

 

 

 

Leave A Reply

Your email address will not be published.