ସ୍ୱାଭିମାନ ଅଞ୍ଚଳରେ ନିଶାମୁକ୍ତ ଅଞ୍ଚଳ ଗଠନ ଦିଗରେ ସକାରାତ୍ମକ ପଦକ୍ଷେପ ।

11

​ପୋଲିସର ସଚେତନତା ପରେ ନିଜ ହାତରେ ଗଞ୍ଜେଇ ଗଛ ନଷ୍ଟ କଲେ ଚାଷୀ ବିକଳ୍ପ ଜୀବିକା ପାଇଁ ସରକାରୀ ସହାୟତା ଦାବି ।

​ମାଲକାନଗିରି (ସୁରେନ୍ଦ୍ର କୁମାର ବେମାଳ )ତା ୧୧/୧୦/୨୬: ନିଶାମୁକ୍ତ ସମାଜ ଗଠନ ସହ ଏକ ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ଗଢ଼ିବା ଲକ୍ଷ୍ୟରେ ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ଲକେ ଅଞ୍ଚଳବାସୀ ଏକ ବଡ଼ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମର ପ୍ରଭାବରେ ଚାଷୀଙ୍କ ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଆସିଛି। ନିଜ ଜମିରେ କରାଯାଇଥିବା ଗଞ୍ଜେଇ ଚାଷକୁ ଚାଷୀମାନେ ନିଜ ହାତରେ ନଷ୍ଟ କରି ସମାଜରେ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି।
ଗଞ୍ଜେଇ ଚାଷର ଆଇନଗତ ପରିଣାମ ଏବଂ ଏହା ଦ୍ୱାରା ପରିବାର ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାଯାଇଥିଲା। ଗଞ୍ଜେଇ ଚାଷ ଯୋଗୁଁ ଆଇନର ଜାଲରେ ପଡ଼ି ପରିବାରର ମୁଖ୍ୟ ଜେଲ୍‌ ଗଲେ ପିଲାଛୁଆଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଉଥିବା ବାସ୍ତବତାକୁ ହୃଦୟଙ୍ଗମ କରି ଚାଷୀମାନେ ସ୍ୱଇଚ୍ଛାରେ ଏହି ବେଆଇନ ଚାଷରୁ ଓହରି ଆସିଛନ୍ତି।
ତେବେ ଗଞ୍ଜେଇ ଚାଷ ଛାଡ଼ିବା ପରେ ପରିବାର ପ୍ରତିପୋଷଣ କିପରି ହେବ, ତାହା ଏବେ ଚାଷୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ଏହି ପରିପ୍ରେକ୍ଷୀରେ ସିର୍ଲିମେଟା ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଞ୍ଚଳର ଜଳବାୟୁ ଓ ମାଟିର ଗୁଣବତ୍ତା ଅନୁଯାୟୀ ଲାଭଜନକ ବିକଳ୍ପ ଫସଲ ଚାଷ କରିବା ନେଇ ଆଲୋଚନା ହୋଇଥିଲା।
​ଚାଷୀମାନଙ୍କୁ କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରଶିକ୍ଷଣ, ଉନ୍ନତମାନର ବିହନ, କୃଷି ସାମଗ୍ରୀ ଏବଂ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଏହି ପ୍ରୟାସକୁ ସ୍ଥାୟୀ କରିବା ପାଇଁ ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ ଆଗେଇ ଆସିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.