ଭତ୍ତା ଅପେକ୍ଷାରେ ୨୫୦୦ରୁ ଅଧିକ ହିତାଧିକାରୀ, ଅନଲାଇନ୍ ତ୍ରୁଟିରେ ବଢ଼ୁଛି ଦୁର୍ଦ୍ଦଶା

19


ଝାରସୁଗୁଡ଼ା, ୬: ଅନଲାଇନ୍ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ପ୍ରଦାନରେ ବିଭ୍ରାଟ ଦେଖାଦେଇଛି। ଦୀର୍ଘ ମାସ ଧରି ଭତ୍ତା ଟଙ୍କା ନମିଳିବାରୁ ଜିଲ୍ଲାର ପ୍ରାୟ ୨,୫୦୩ ଜଣ ହିତାଧିକାରୀ ଅସୁବିଧାରେ ପଡ଼ିଛନ୍ତି। ନିୟମିତ ଭତ୍ତା ହିଁ ଯେଉଁମାନଙ୍କ ଜୀବନର ପ୍ରମୁଖ ଆଶ୍ରୟ, ସେମାନଙ୍କ ମଧ୍ୟରୁ ଅନେକେ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ମଧ୍ୟ ଅସମର୍ଥ ହୋଇପଡ଼ିଛନ୍ତି।

ଲଖନପୁର ବ୍ଲକ ନେଗୀପାଲି ଗ୍ରାମର ୭୮ ବର୍ଷୀୟା ନିସ୍ଫୁଲି ସୁନାନୀ ଗୁରୁତର ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅଛନ୍ତି। ତାଙ୍କ ପୁଅ ଦିନମଜୁରିଆ ହୋଇଥିବାରୁ ମା’ଙ୍କ ଔଷଧ ଓ ଚିକିତ୍ସା ଖର୍ଚ୍ଚ ପାଇଁ ଭତ୍ତା ଟଙ୍କା ଏକମାତ୍ର ପ୍ରମୁଖ ସାହାରା ଥିଲା। ମାତ୍ର ଗତ ୬ ମାସ ଧରି ଭତ୍ତା ମିଳୁନଥିବାରୁ ପରିବାର ଲୋକେ ପଞ୍ଚାୟତଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି।

ସେହିପରି ବେଲପାହାଡ଼ ପୌରପରିଷଦ ଅଞ୍ଚଳର ୧୮ ବର୍ଷୀୟା ଦିବ୍ୟାଙ୍ଗ ରଶ୍ମିତା କିସାନ ମଧ୍ୟ ଭତ୍ତା ନମିଳିବାରୁ ଅସୁବିଧାରେ ପଡ଼ିଛନ୍ତି। ଅନଲାଇନ୍ ସମସ୍ୟା କାରଣରୁ ଗତ ୩ ମାସ ଧରି ତାଙ୍କୁ ମାସିକ ୩,୫୦୦ ଟଙ୍କାର ଭତ୍ତା ମିଳିନାହିଁ। ତାଙ୍କ ବାପା କିଡ୍‌ନୀ ରୋଗରେ ପୀଡ଼ିତ ହୋଇ କାମ କରିବାକୁ ଅକ୍ଷମ ଥିବା ବେଳେ ମା’ଙ୍କ ଉପରେ ପରିବାରର ସମସ୍ତ ଦାୟିତ୍ୱ ରହିଛି। ଭତ୍ତା ବନ୍ଦ ହୋଇଯିବାରୁ ରଶ୍ମିତାଙ୍କ ଚିକିତ୍ସା ଓ ଯତ୍ନରେ ମଧ୍ୟ ବାଧା ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ନାୟକଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ।

ଅନ୍ୟପକ୍ଷରେ, ଝାରସୁଗୁଡ଼ା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ଏହା ଜିଲ୍ଲାସ୍ତରୀୟ ସମସ୍ୟା ନୁହେଁ। ଅନଲାଇନ୍ ଭତ୍ତା ପ୍ରଦାନ ସମ୍ପର୍କିତ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି।

ତେବେ ଦୀର୍ଘଦିନ ଧରି ଭତ୍ତା ଅପେକ୍ଷାରେ ଥିବା ଅସହାୟ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବାମାନଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଅଟକିଥିବା ଭତ୍ତା ଟଙ୍କା ତୁରନ୍ତ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.