ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ସହଯୋଗର ହାତ ବଢ଼ାଇଲା ମାନବ ପ୍ରେମୀ ସେବା ଟ୍ରଷ୍ଟ

16

କେନ୍ଦୁଝର,ତା୬/୯- ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ସ୍ୱେଚ୍ଛାସେବୀ ସଂଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ । ଶୁଦ୍ଧିକ୍ରିୟା ପାଇଁ ଅସମର୍ଥ ଥିବା ଏକ ଅସହାୟ ପରିବାରକୁ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ଟ୍ରଷ୍ଟ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି ।
ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସୁବାସ ଗିରି ଏକ ବାଇକ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଅକାଳରେ ସ୍ୱାମୀଙ୍କୁ ହରାଇବା ପରେ ତାଙ୍କ ସ୍ତ୍ରୀ ମେନକା ଗିରି ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ନଥିବାରୁ ମେନକା ଏହା କରିବାକୁ ଅସମର୍ଥ ଥିବା ଜଣାଇଥିଲେ । ତାଙ୍କର ଏକ ୭ ବର୍ଷର ଝିଅ ଥିବା ବେଳେ ସେ ବର୍ତ୍ତମାନ ଗର୍ଭବତୀ ମଧ୍ୟ ଅଛନ୍ତି । ସ୍ୱାମୀଙ୍କୁ ହରାଇବା ପରେ ଏଭଳି ସ୍ଥିତିରେ ପରିବାର ଚଳାଇବା ସହ ଆଗାମୀ ଦିନର ଜୀବନକୁ ନେଇ ମେନକାଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ଉଭା ହୋଇଛି । ପରିବାରର ଏହି ଦୁଃଖଦ ଓ ଅସହାୟ ପରିସ୍ଥିତି ସମ୍ପର୍କରେ ମାନବ ପ୍ରେମୀ ସେବା ଟ୍ରଷ୍ଟର କର୍ମକର୍ତ୍ତାମାନେ ଜାଣିବା ପରେ ତୁରନ୍ତ ସହଯୋଗ ପାଇଁ ଆଗେଇ ଆସିଥିଲେ । ଟ୍ରଷ୍ଟ ପକ୍ଷରୁ ପରିବାରକୁ ଶୁଦ୍ଧିକ୍ରିୟାରେ ଆବଶ୍ୟକ ହେଉଥିବା ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଦୁଃଖର ଏହି କଠିନ ସମୟରେ ସହାୟତା ପାଇ ଅସହାୟ ପରିବାର ଟ୍ରଷ୍ଟ ପ୍ରତି କୃତଜ୍ଞତା ଜଣାଇଥିବା ଜଣାପଡ଼ିଛି । ଟ୍ରଷ୍ଟର ଏଭଳି ମାନବିକ ପଦକ୍ଷେପକୁ ନେଇ ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ସହଯୋଗ କାର୍ଯ୍ୟକ୍ରମରେ ମାନବ ପ୍ରେମୀ ସେବା ଟ୍ରଷ୍ଟର ସଭାପତି ବିଚିତ୍ରାନନ୍ଦ ଦାସ, ସମ୍ପାଦକ ପ୍ରମୋଦ କୁମାର ମହାନ୍ତ, ଉଦିତ ନାରାୟଣ ଗିରି ଓ ପ୍ରଭାସିନୀ ନାଏକ ପ୍ରମୁଖ ଉପସ୍ଥିତ ରହି ପରିବାରକୁ ସହଯୋଗ ପ୍ରଦାନ କରିଥିଲେ । ଅସହାୟ ଓ ଆବଶ୍ୟକତାରେ ଥିବା ଲୋକଙ୍କ ଦୁଃଖଦ ସମୟରେ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ମାନବିକତାର ପରିଚୟ । ମାନବ ପ୍ରେମୀ ସେବା ଟ୍ରଷ୍ଟର ଏହି ପଦକ୍ଷେପ ତାହାର ଏକ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.