ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” କୁ ମିଳିଲା ମହାତ୍ମା ଗାନ୍ଧୀ ଶ୍ରମିକ ସେବା ସମ୍ମାନ

0 2

କେନ୍ଦୁଝର: ୦୧/୦୫/୨୦୨୬- ହରିଚନ୍ଦନ ପୁର ବ୍ଲକର ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦ ପୁର ଗ୍ରାମରେ ଅବସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ” ଆଶା” କୁ ଶ୍ରମିକ ଦିବସ ଅବସରରେ ” ମହାତ୍ମା ଗାନ୍ଧୀ ଶ୍ରମିକ ସେବା ସମ୍ମାନ -୨୦୨୬ ମିଳିଛି।

ଗରିବ, ଅସହାୟ, ଭିନ୍ନକ୍ଷମ , ଅନାଥ ଓ ବିଶେଷକରି ଅବହେଳିତ ଆଦିବାସୀ ବର୍ଗର ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁଃଖ ପୂର୍ଣ୍ଣ ଜୀବନକୁ ଅତି ନିକଟରୁ ଦେଖି, ସେଥିରେ ଯଥା ସମ୍ଭବ ଉପସମ ଆଣିବାର ପଣ କରି ଗତବର୍ଷ ଗଢି ଉଠିଥିଲା ଆଶା- ଆମ୍ ଆଦମୀ ସେବା ଅଭିଯାନ। ଅଭିଯାନର ଆରମ୍ଭରେ ଆଦିବାସୀ ଇଲାକାର ବାପ ମା’ ଛେଉଣ୍ଡ ପିଲା, ଭିନ୍ନକ୍ଷମ ପିଲା, ଅସହାୟ ବୃଦ୍ଧ ଓ ବୃଦ୍ଧା, ଘର ଭାଙ୍ଗି ଯାଇଥିବା ପରିବାରଙ୍କୁ ସହାୟତାର ହାତ ବଢାଇଛି ଆଶା। କେତେକ ଅସହାୟ ପିଲାଙ୍କୁ ପୋଷାକ, ଖାଦ୍ୟ ସାମଗ୍ରୀ, ଜୋତା, ଔଷଧ, ବାସନ, ବିଛଣା ସାମଗ୍ରୀ ଇତ୍ୟାଦି ଯୋଗାଇ ଦେଇଛି। ଆବଶ୍ୟକ ସ୍ଥଳେ କେତେକଙ୍କୁ ଔଷଧ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଛି। ଗତ ଶୀତ କାଳରେ ଅନ୍ୟୁନ ଏକ ଶହ ଆଦିବାସୀ ପରିବାରକୁ କମ୍ବଳ, ଶାଲ୍, ସ୍ବେଟର୍ ପ୍ରଭୃତି ଆଶା ପ୍ରଦାନ କରିଛି । ଏତଦବ୍ୟତୀତ, କେତେକ ଯୋଗ୍ୟ ଲୋକଙ୍କୁ ଭତ୍ତା ପାଇବାରେ ସହଯୋଗ କରିଛି।

Imageବୟସ ଦୃଷ୍ଟିରୁ ” ଆଶା” ଏକ ଶିଶୁ ହେଲେହେଁ, କାମ ତା’ର ବେଶ୍ ବଡ ଓ ବ୍ୟାପକ। ଏହାର ସ୍ଵେଚ୍ଛାସେବୀଙ୍କ ମଧ୍ୟରେ କେହି ସରକାରୀ କର୍ମଚାରୀ, ତ କିଏ ଡାକ୍ତର, ତ କିଏ ପୁଣି ଆଇନଜୀବୀ। ” ଆଶା” ର କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ପ୍ରତି ଆକର୍ଷିତ ହୋଇ ଏକାଧିକ ଗୃହିଣୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ସ୍ଵେଚ୍ଛାସେବୀ ନିଜ ନିଜର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ କାଢି, ଆଞ୍ଚଳିକ ଅସହାୟ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଛନ୍ତି। ଏ କାର୍ଯ୍ୟ ସକାଶେ ସ୍ଵେଚ୍ଛାସେବୀ ମାନେ ନିଜେ ଅର୍ଥ ଦାନ କରିଥାନ୍ତି।

ଅନାଥଙ୍କ ପାଇଁ ଅନବରତ କାମ କରି, ମା’ , ବାପାର ସ୍ଥାନ ପୂରଣ ନ କରି ପାରିଲେ ବି, ତାଙ୍କୁ ବନ୍ଧୁତାର ସ୍ପର୍ଶ ଦେଇ, “ଆଶା” ପ୍ରମାଣ କରିଛ – “ଆଶା” କେବଳ ଆଶା ନୁହେଁ, ଏକ ନିଶ୍ଚିତ ” ଭରଷା”। ଅନୁଷ୍ଠାନ ତା’ ନାଁ କୁ ସାକାର କରି ପାରିଛି।

କେନ୍ଦୁଝର ସହରରେ ଏକ ଉତ୍ସବରେ ଗାଁ ସାଥୀ ମେଟ୍ ସଂଘ ତରଫରୁ ଏ ସମ୍ମାନ ” ଆଶାକୁ ପ୍ରଦାନ କରାଯାଇଛି। ଆଶାର ସ୍ଵେଚ୍ଛାସେବୀ ଶ୍ରୀମାନ ରାମଚନ୍ଦ୍ର ମହାନ୍ତ ଓ ଶ୍ରୀମତୀ ସତ୍ୟଭାମା ମହାନ୍ତ ଏ ସମ୍ମାନ କୁ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.