ଓଡ଼ଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର

0 2
  • ଆର୍ଥିକ ଅନିୟମିତତା ଓ ନଥିପତ୍ର ଦାଖଲରେ ଅବହେଳା,

  • ୩ ଦିନ ମଧ୍ୟରେ ସମାଧାନ ନହେଲେ ଜରିମାନା ଅସୁଲ,

ଓଡ଼ଗାଁ, ୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ମଙ୍ଗଳବାର ଓଡ଼ଗାଁ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ନୟାଗଡ଼ ଜିଲ୍ଲା ପରିଷଦ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ ଯୋଗଦେଇ ପ୍ରତ୍ୟେକ ପଞ୍ଚାୟତରୁ ଆସିଥିବା ଅଭିଯୋଗ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତ ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପଚାରି ବୁଝିଥିଲେ। ଆର୍ଥିକ ଅନିୟମିତତା, ନଥିପତ୍ର ଦାଖଲରେ ଅବହେଳା ସହିତ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ ୩ ଦିନ ମଧ୍ୟରେ ସମାଧାନ ନହେଲେ ସଂପୃକ୍ତ ଅଧିକାରୀଙ୍କଠାରୁ ଜରିମାନା ଅସୁଲ କରାଯିବ ବୋଲି ସେ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ଭିଭିଜି ରାମଜୀ ଯୋଜନାର କାର୍ଯ୍ୟାନ୍ୱୟନରେ ନୟାଗଡ଼ ଜିଲ୍ଲା ପୂର୍ବବତ୍ ଶ୍ରେଷ୍ଠତ୍ୱ ବଜାୟ ରଖିବ ବୋଲି ଶ୍ରୀ ରାଉତ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡିଓ ପ୍ରୀତିବାଳା ରଣା ଯୋଜନାର ନୂତନ ରୂପରେଖା କାର୍ଯ୍ୟକାରୀ ପୂର୍ବରୁ ସମସ୍ତ ବିଳମ୍ବିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସମୀକ୍ଷକ ବିଜୟ ନାରାୟଣ ବଳିୟାର ସିଂହ ଓ ବ୍ଲକ ସମୀକ୍ଷକ ରାଜେଶ କୁମାର ଯେନା ଆବଶ୍ୟକ ଅନୁସାରେ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ।
ସଭାରେ ଦିଆଯାଇଥିବା ସୂଚନାନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ଚକ୍ର ସୁଦ୍ଧା ୨୪,୯୫୦ ଜବକାର୍ଡଧାରୀଙ୍କ ମଧ୍ୟରୁ ୨୧,୩୩୯ ଜବକାର୍ଡ ସକ୍ରିୟ ରହିଛି। ୬,୩୬୧ ପରିବାର ମଧ୍ୟରୁ ୬,୩୩୫ ପରିବାର କାମ ପାଇଥିବା ବେଳେ ୧,୭୬,୯୬୫ ଶ୍ରମଦିବସ ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୮ କୋଟି ୧୭ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟ ହୋଇଥିବା ସହ ୧୧,୯୫୪ଟି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ୨,୧୧୬ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହାସହ ୪୦ଟି ପରିବାର ଶହେ ଦିନର କାର୍ଯ୍ୟ ସମାପ୍ତ କରିଛନ୍ତି।

Leave A Reply

Your email address will not be published.