ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ଥିତ ମହେନ୍ଦ୍ରଗିରି ଠାରେ ମହେନ୍ଦ୍ରଗିରି ଇକୋ ଆଡଭେଞ୍ଚର ଫେଷ୍ଟ – ୨୦୨୬’ର ଶୁଭାରମ୍ଭ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଦୁଇ ଦିନିଆ ମହୋତ୍ସବକୁ ଉଦଘାଟନ କରିଛନ୍ତି। ମହେନ୍ଦ୍ରଗିରିକୁ ରାଜ୍ୟର ଏକ ପ୍ରମୁଖ ପରିବେଶ ଅନୁକୂଳ ସାହସିକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ଏହାର ମୂଳ ଲକ୍ଷ୍ୟ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହେନ୍ଦ୍ରଗିରିର ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିବା ସହ ସ୍ଥାନୀୟ ଅଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ଦାୟିତ୍ଵସମ୍ପନ୍ନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଇକୋ ଆଡଭେଞ୍ଚର ଫେଷ୍ଟ ଏକ ପ୍ରମୁଖ ପଦକ୍ଷେପ। ଏଥିସହ ସେ ଏହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମହେନ୍ଦ୍ରଗିରିର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଦ୍ବାରା ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଅଛି ଯାହା ବନଖଣ୍ଡ ଅଧିକାରୀ, ଗଜପତିଙ୍କ ଦ୍ବାରା କ୍ରୀୟାନୟନ ହେବ।
ପୂର୍ବଘାଟ ପର୍ବତମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ଯରେ ଆୟୋଜିତ ଏହି ମହୋତ୍ସବ ମହେନ୍ଦ୍ରଗିରିକୁ ଆଉଟଡୋର ସ୍ପୋର୍ଟସ ଏବଂ ପ୍ରକୃତି ପର୍ଯ୍ୟଟନର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୧୫ ରାଜ୍ୟରୁ ସାହସିକ କ୍ରୀଡ଼ା ପ୍ରେମୀ , କ୍ରୀଡ଼ାବିତ୍ ଏବଂ ପ୍ରକୃତି ପ୍ରେମୀ ଯୋଗ ଦେଇଛନ୍ତି।
ଉଦଘାଟନୀ ଦିବସରେ ପ୍ରତିଯୋଗୀମାନେ ପ୍ରାକୃତିକ ପଥର ଉପରେ ‘ବୋଲଡରିଂ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ମାଉଣ୍ଟେନ ବାଇକିଂ, ରକ୍ କ୍ଲାଇମ୍ବିଂ ଏବଂ ଗାଇଡେଡ୍ ଟ୍ରେକାଥନରେ ସାମିଲ ହୋଇଥିଲେ। ଏହି ମହୋତ୍ସବରେ ଟ୍ରେକିଂ, ହିଲ୍ ରନିଂ, ସ୍ଲାକଲାଇନିଂ, ରାପେଲିଂ ଏବଂ ଡାଉନହିଲ୍ ସାଇକେଲିଂ ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ଓ ଅନୁଭୂତିଭିରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଓଡିଶା ସରକାର “Odisha Adventure Tourism Guidelines-2025″ କାର୍ଯ୍ୟକାରୀ କରାଇଛନ୍ତି, ଯାହା ସୁରକ୍ଷା , ପରିଚାଳନା , ପ୍ରମାଣିକରଣ ଏବଂ ପରିବେଶୀୟ ଦାୟିତ୍ବ ପାଇଁ ଏକ ସ୍ପଷ୍ଟ ଏବଂ ସୁସଂଗଠିତ ଢାଞ୍ଚା ପ୍ରଦାନ କରେ।
ଭୂ-ଆଧାରିତ ଆଡଭେଞ୍ଚର କାର୍ଯ୍ୟକଳାପକୁ ଅଗ୍ରସର କରିବା ଓ ନିୟମିତ କରିବା ପାଇଁ , ପର୍ଯ୍ୟଟନ ବିଭାଗ ଫେବୃଆରୀ ୨୦୨୬ ରେ Indian Mountaineering Foundation ସହିତ ଏକ MoU ସ୍ବାକ୍ଷର କରିଛି ଏବଂ MoU ସ୍ବାକ୍ଷର କରିବାର କେବଳ ୩ ମାସ ମଧ୍ୟରେ ମହେନ୍ଦ୍ରଗିରିରେ ପ୍ରଥମ ଭୂ-ଆଧାରିତ ବୃହତ୍ ଆଡଭେଞ୍ଚର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିI
ଏହି ଅବସରରେ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ପର୍ବତାରୋହୀମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବୋଲଡରିଂ ପ୍ରତିଯୋଗିତାର ବିଜେତାମାନଙ୍କୁ ମେଡାଲ , ପ୍ରମାଣପତ୍ର ଏବଂ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। ପାହାଡ଼ ଶିଖର ପର୍ଯ୍ୟନ୍ତ ୭ କିଲୋମିଟର ଦୌଡ଼ , ୫ କିଲୋମିଟରରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରେକାଥନ , ବିଭିନ୍ନ ଦକ୍ଷତା ଭିଭିକ କର୍ମଶାଳା ଏବଂ ପ୍ରାକୃତିକ ପଥ ଭ୍ରମଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଛି। ଭାରତୀୟ ପର୍ବତାରୋହଣ ଫେଡେରେସନ (IMF) ର ସହଯୋଗରେ ପର୍ଯ୍ୟଟନ ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ଏହି କାର୍ଯ୍ୟକ୍ରମରେ, ସ୍ବତନ୍ତ୍ର ଉନ୍ନୟନ ପରିଷଦ (SDC) ଗଜପତିର ଅଧ୍ଯକ୍ଷ ଶ୍ରୀ କାମଦେବ ବାଡନାୟକ , ପାରଳାଖେମୁଣ୍ଡିର ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ , ମୋହନା ବିଧାୟକ ଶ୍ରୀ ଦାଶରଥୀ ଗମାଙ୍ଗ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ଉପ ମୁଖ୍ୟ ବନ ସଂରକ୍ଷକ (ଇକୋ-ପର୍ଯ୍ୟଟନ) ଶ୍ରୀ ବିବେକ କୁମାର , ପାରଳାଖେମୁଣ୍ଡି ଡିଏଫଓ ଶ୍ରୀ କେ. ନାଗାରାଜୁ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ , ଗଜପତିର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ରା ହୋନାଗା ଏବଂ ଭାରତୀୟ ପର୍ବତାରୋହଣ ଫେଡେରେସନ ସମ୍ପାଦକ ଶ୍ରୀ କୀର୍ତି ପାଇସଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.