ଭୁବନେଶ୍ୱରରୁ ଚକ୍ରଧର ମାଝି : ଲୋକସଭାକୁ ଓଡିଶାରୁ ୨୧ ସାଂସଦ ନିର୍ବାଚିତ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ବିଜୁ ଜନତା ଦଳର । ଆଉ ଜଣେ ସାଂସଦ ବିଜେପିରୁ ଜୁଏଲ ଓରାମ, ଯେ କି କେନ୍ଦ୍ରମନ୍ତ୍ରୀ । ହେଲେ ୨୦ ବିଜେଡି ସାଂସଦଙ୍କ ମଧ୍ୟରୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ସାଂସଦଙ୍କ ଭିତରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ପରଫରମନ୍ସ ଅଭିଜ୍ଞ ରାଜନେତା ତଥା ପୁରୁଣା ସାଂସଦଙ୍କ ତୁଳନାରେ ଯଥେଷ୍ଟ ସନ୍ତୋଷଜନକ ରହିଛି । ସେ ଲୋକସଭାରେ ଉପସ୍ଥାନରେ ୧ ନମ୍ବର, ବିତର୍କରେ ଭାଗ ନେବାରେ ବି ୧ ନମ୍ବର ଓ ରାଜ୍ୟ ତଥା ନିର୍ବାଚନ ମଣ୍ଡଳୀ ସମ୍ପର୍କିତ ପ୍ରଶ୍ନ ପଚାରିବାରେ ବି ସେ ସେମିତି କିଛି ପଛରେ ନାହାନ୍ତି । ମୋଟାମୋଟି ଭାବେ ଲୋକସଭାରେ ଶ୍ରୀ ଜେନାଙ୍କ ସମେତ କେନ୍ଦ୍ରାପଡ଼ା ସାଂସଦ ଟୁଇଟ ମାଷ୍ଟର ବୈଜୟନ୍ତ ଜୟ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରୀ ମହତାବ, ଓ ସମ୍ବଲପୁର ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସଂସଦୀୟ ପ୍ରଦର୍ଶନ ଭଲ ରହିଛି । ଲୋକସଭାରେ ବୈଜୟନ୍ତଙ୍କ ଉପସ୍ଥାନ ୮୧ % ରହିଥିବା ବେଳେ, ଥିବାବେଳେ ଭର୍ତ୍ତୃହରୀଙ୍କ ଉପସ୍ଥାନ ୯୩% , ରବୀନ୍ଦ୍ରଙ୍କ ଉପସ୍ଥାନ ୯୬% ଓ ନଗେନ୍ଦ୍ରଙ୍କ ଉପସ୍ଥାନ ୯୩% ରହିଛି । ବିଜେଡିର ଏହି ୪ ସାଂସଦ ଲୋକସଭାରେ ସର୍ବାଧିକ ପ୍ରଶ୍ନ ପଚାରିଛନ୍ତି । ବୈଜୟନ୍ତ ୪୧୬ଟି, ଭର୍ତ୍ତୃହରୀ ୪୨୫ଟି, ରବୀନ୍ଦ୍ର ୪୧୦ଟି ଓ ନଗେନ୍ଦ୍ର ସର୍ବାଧିକ ୫୦୧ଟି ପ୍ରଶ୍ନ ଉଥାପିତ କରିଥିବା ବେଳେ ଯଥାକ୍ରମେ ୧୮ଟି, ୨୦୪ଟି, ୨୪୮ଟି ଓ ୪୧ଟି ବିତର୍କରେ ଭାଗନେଇଛନ୍ତି । ଏହିପରି ଭାବେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଉପସ୍ଥାନ ୮୩% ରହିଥିବାବେଳେ ସେ କୌଣସି ବିତର୍କରେ ଭାଗ ନେଇନାହାନ୍ତି । ସାଂସଦ ଶ୍ରୀ ସେଠୀ ୩୨ଟି ପ୍ରଶ୍ନ ପଚାରିଛନ୍ତି । କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓଙ୍କ ଉପସ୍ଥାନ ୮୮% ରହିଥିବାବେଳେ ସେ ୨୩ଟି ବିତର୍କରେ ଭାଗନେଇଛନ୍ତି ଓ ୯୪ଟି ପ୍ରଶ୍ନ କରିଛନ୍ତି । ନବରଂଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥାନ ୮୭% ଥିବାବେଳେ ସେ ୬୭ଟି ବିତର୍କରେ ଭାଗନେଇଛନ୍ତି ଓ ୧୩୪ଟି ପ୍ରଶ୍ନ କରିଛନ୍ତି । କୋରାପୁଟ ସାଂସଦ ଝିନ ହିକକା ଲୋକସଭାରେ ମାତ୍ର ୭ଟି ବତର୍କରେ ଭାଗନେଇଛନ୍ତି ଓ ୧୦ଟି ପ୍ରଶ୍ନ କରିଛନ୍ତି । ଲୋକସଭାରେ ତାଙ୍କ ଉପସ୍ଥାନ ୭୩% ରହିଛି । ସେହିପରି ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂ ଦେଓଙ୍କ ଉପସ୍ଥାନ ୭୯% ରହିଛି । ସେ ୧୬ଟି ବତର୍କରେ ଭାଗନେଇଥିବାବେଳେ ୩୬୩ଟି ପ୍ରଶ୍ନ କରିଛନ୍ତି । ଜଗତସିଂହପୁର ସାଂସଦ କୁଳମଣି ସାମଲଙ୍କ ଉପସ୍ଥାନ ସର୍ବାଧିକ ଅର୍ଥାତ ୧୦୦ରୁ ୧୦୦ ରହିଛି । କୁଳମଣି ୧୦୬ଟି ବିତର୍କରେ ଭାଗନେଇଥିଲାବେଳେ ୯୨ଟି ପ୍ରଶ୍ନ କରିଛନ୍ତି । ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ଉପସ୍ଥାନ ୯୬% ଥିବାବେଳେ ସେ ୧୪ଟି ବତର୍କରେ ଭାଗନେଇଛନ୍ତି ଓ ୪୪ଟି ପ୍ରଶ୍ନ କରିଛନ୍ତି । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଉପସ୍ଥାନ ୮୪% ଥିବାବେଳେ ସେ ୮ଟି ବିତର୍କରେ ଭାଗନେଇଛନ୍ତି ଓ ୨୩୪ଟି ପ୍ରଶ୍ନ କରିଛନ୍ତି । ଏହିପରି ଲୋକସଭାରେ ବରଗଡ଼ ସାଂସଦ ପ୍ରଭାଶ କୁମାର ସିଂଙ୍କ ଉପସ୍ଥାନ ୮୮% ରହିଛି । ସେ ୪୭ଟି ବିତର୍କରେ ଭାଗନେଇଛନ୍ତି ଓ ୧୦୩ଟି ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟସାଣିଙ୍କ ଉପସ୍ଥାନ ୭୪% ଥିବାବେଳେ ସେ ୩୩ଟି ବିତର୍କରେ ଭାଗନେଇଛନ୍ତି ଓ ୩ଟି ପ୍ରଶ୍ନ କରିଛନ୍ତି । କନ୍ଧମାଳ ସାଂସଦ ପ୍ରତ୍ୟୁଶା ରାଜେଶ୍ୱରୀ ସିଂଙ୍କ ଲୋକସଭାରେ ଉପସ୍ଥାନ ୮୯% ରହିଛି । ସେ ୧୨ଟି ବିତର୍କରେ ଭାଗନେଇଥିଲାବେଳେ ୧୦୩ଟି ପ୍ରଶ୍ନ କରିଛନ୍ତି । ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ଚିଟପଣ୍ଡ ଦୁର୍ନୀତିରେ ଫସିବା ପରେ ଜେଲ୍ରେ ଅଛନ୍ତି । ତେବେ ଲୋକସଭାରେ ତାଙ୍କ ଉପସ୍ଥାନ ୧୩% ରହିଛି । ସେ ୩ଟି ବିତର୍କରେ ଭାଗନେଇଥିଲାବେଳେ ୧୩ଟି ପ୍ରଶ୍ନ କରିଛନ୍ତି । ଯାଜପୁର ସାଂସଦ ରୀତା ତରାଇଙ୍କ ଲୋକସଭାରେ ଉପସ୍ଥାନ ୯୪% ଥିବାବେଳେ ସେ ୧୧ଟି ବିତର୍କରେ ଭାଗନେଇଛନ୍ତି ଓ ୧୩୮ଟି ପ୍ରଶ୍ନ କରିଛନ୍ତି । ଲୋକସଭାରେ କେନ୍ଦୁଝର ସାଂସଦ ସକୁନ୍ତଳା ଲାଗୁରୀଙ୍କ ଉପସ୍ଥାନ ୮୫% ରହିଛି । ସେ ୧୦ଟି ବିତର୍କରେ ଭାଗନେଇଥିଲାବେଳେ ୨୫୪ଟି ପ୍ରଶ୍ନ କରିଛନ୍ତି । ଅଭିନେତାରୁ ରାଜନେତା ସାଜି ଲୋକସଭାରେ ପହଞ୍ଚିଥିବା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥାନ ୬୯% ରହିଛି । ସେ ୬ଟି ବିତର୍କରେ ଭାଗନେଇଥିଲେ ବି ଗୋଟିଏ ବି ପ୍ରଶ୍ନ କରିନାହାନ୍ତି । ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କ ଉପସ୍ଥାନ ୯୧% ଥିବାବେଳେ ସେ ୭୧ଟି ବିତର୍କରେ ଭାଗନେଇଛନ୍ତି ଓ ୩୫ଟି ପ୍ରଶ୍ନ କରିଛନ୍ତି ।