ଜଗତସିଂହପୁର,ତା-୨୫.୧୧.୨୦୨୫/ସୁମନ୍ତକୁମାରଦାସ:ବାଲିକୁଦା ଥାନା ଅନ୍ତର୍ଗତ ତେନ୍ତୁଳିବେଲାରୀ ନିକଟସ୍ଥ ବ୍ରାହ୍ମଣ୍ଡି ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ରେଞ୍ଜ। ଯାଞ୍ଚ ପରେ ତାଙ୍କ ପାଖରୁ ୨୨ ଗ୍ରାମର ହେରୋଇନ୍ ଜବତ ହୋଇଛି। ସୂଚନାଯୋଗ୍ଯ ଯେ ବ୍ରାହ୍ମଣ୍ଡି ଗ୍ରାମର ଶୁଶାନ୍ତ ସେଠ୍ ଜଣେ ପେଶାଦାର ନିଶା ବ୍ୟବସାୟୀ। ଦୀର୍ଘ ଦିନ ଧରି ହେରୋଇନ ବ୍ୟବସାୟରେ ସଂପୃକ୍ତ ଥିବାବେଳେ ପୂର୍ବରୁ ବହୁବାର ଅବକାରୀ ବିଭାଗ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛନ୍ତି। କିଛିଦିନ ତଳେ ଜେଲରୁ ଫେରି ପୁଣି ହେରୋଇନ ବ୍ୟବସାୟରେ ଲିପ୍ତ ଥିବାବେଳେ ଅବକାରୀ ବିଭାଗର ସ୍କାନ ରେ ଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନଙ୍କ ନିର୍ଦ୍ଦେଶରେ ଉପ-ଅଧିକ୍ଷିକା ଆଦ୍ୟାଶା ସ୍ବାଇଁଙ୍କ ତତ୍ତ୍ବାବଧାନରେ ଅବକାରୀ ବିଭାଗର ବଛାବଛା ଅଫିସରମାନଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକ। ସୋମବାର ଦିନ ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଗ୍ରାହକଙ୍କ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ଅବକାରୀ ବିଭାଗର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ଶୁଶାନ୍ତ ସେଠ୍। ଜବତ ହେରୋଇନର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୨,୨୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଏହି ଅଭିଯାନରେ ବାଲିକୁଦା ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରା, ଭ୍ରାମ୍ୟମାଣ ସଂସ୍ଥାର ଏ ଏସ୍ ଆଇ ସନ୍ତୋଷ ନାୟକ, କନଷ୍ଟେବଳ ଜୟଦେବ ପାତ୍ର, ଦୀନବନ୍ଧୁ ସେଠୀ, ଅନୁରାଗ ସୂର୍ୟ୍ୟବଂଶୀ ପ୍ରମୁଖ ସାମିଲ ଥିଲେ।ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ।
Sign in
Sign in
Recover your password.
A password will be e-mailed to you.
Prev Post