ଭୁବନେଶ୍ୱର, ନଭେମ୍ବର ୨୪ : ଶାସନ ସୁଦୃଢ଼ୀକରଣ ଓ ଏକ ଅନ୍ତର୍ଭୁକ୍ତ ସଂସ୍କୃତି ସୃଷ୍ଟି ନିମନ୍ତେ ମହିଳା ସଶକ୍ତୀକରଣ ଏକ ରଣନୈତିକ ଆବଶ୍ୟକ ବୋଲି ଭାରତରେ ଅବସ୍ଥାପିତ ୮ଟି ଦେଶର କୂଟନୀତିଜ୍ଞ ଓ ପ୍ରତିନିଧି ସୋମବାର ମତ ପ୍ରଦାନ କରିଛନ୍ତି ।
ଚିରାଚରିତ ପୁରାତନ ପ୍ରଥାକୁ ଭାଙ୍ଗି ମହିଳାମାନଙ୍କୁ ସମାନ ଅଧିକାର ଦେବା ସହ ବିକାଶ ଏବଂ ସୁଶାସନ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ରିଡିଫାଇନିଂ ଲିଡରସିପ୍ : ଦ ରାଇଜ ଅଫ୍ ୱିମେନ୍ ଇନ୍ ଗ୍ଲୋବାଲ ଗଭର୍ଣ୍ଣାନ୍ସ’ ଶୀର୍ଷକ ପ୍ରସଙ୍ଗରେ ଏହି ବକ୍ତାମାନେ ମତ ରଖିଛନ୍ତି ।
ଶାସନ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନର ଆବଶ୍ୟକତା ରହିଛି ଏବଂ ସେମାନେ ପୂର୍ଣ୍ଣମାତ୍ରାରେ ଏଥି ସହିତ ଜଡ଼ିତ ହେବା ଉଚିତ୍ । କାରଣ ସେମାନେ ଯାହା ବି କାର୍ଯ୍ୟ କରିଥାନ୍ତି ସେଥିରେ ନୂତନ ଉଦ୍ଭାବନ ଏବଂ ନୂତନତ୍ୱର ଛାପ ରହିଥାଏ ବୋଲି କହିଛନ୍ତି ସ୍ପେନ୍ର ରାଷ୍ଟ୍ରଦୂତ ଶ୍ରୀ ଜୁଆନ୍ ଆନ୍ଟୋନିଓ ମାର୍ଚ ପୁଜୋଲ ।
ଶାସନର କେନ୍ଦ୍ର ସ୍ଥଳରେ ମଣିଷର ସମ୍ମାନ ରହିବା ଉଚିତ୍ ଏବଂ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ନେତୃତ୍ୱ କେବଳ କିଛି ହାତଗଣତିଙ୍କ ଦାୟିତ୍ୱ ନୁହେଁ । ଏହା ସାମୁହିକ ଏବଂ ଦୟାପୂର୍ବକ ହେବା ଉଚିତ୍ ବୋଲି ଶ୍ରୀ ପୁଜୋଲ କହିଛନ୍ତି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଗାଏନାର ରାଷ୍ଟ୍ରଦୂତ ଶ୍ରୀ ଧର୍ମକୁମାର ସିରାଜ, ଆଲଜେରିଆର ରାଷ୍ଟ୍ରଦୂତ ଡକ୍ଟର ଆବଡେନୋର ଖେଲିଫି, ମାଲଦ୍ୱୀପର ହାଇକମିଶନର ଶ୍ରୀମତି ଆଇସେତ ଆଜିମା, ସେସେଲ୍ସର ହାଇକମିଶନର ଶ୍ରୀମତି ହାରିସୋଆ ଲାଲାଟିଆନା ଆକୋଉଚେ, ଗାଏନା ଏମ୍ବାସୀର ଫାଷ୍ଟ ସେକ୍ରେଟାରୀ ଶ୍ରୀ କେଶଭ ପରସାଉଦ ତେୱାରୀ, ଟିମୋର ଲେଷ୍ଟ ଏମ୍ବାସୀର ସେକେଣ୍ଡ ସେକ୍ରେଟାରୀ ଶ୍ରୀ ଆନ୍ଟେୋନିଓ ମାରିଆ ଦେ ଜେସସ୍ ଦୋସ ସାନ୍ତୋଷ ଏବଂ ବଲିଭିଆ ଏମ୍ବାସୀର କାଉନ୍ସେଲର ଶ୍ରୀମତି ଆର୍ଲେଟ ଗାବ୍ରିଏଲା ବୁସ୍ତାମାଂଟେ ଗାର୍ସିଆ ବକ୍ତବ୍ୟ ରଖିଥିଲେ । ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ପ୍ରସଙ୍ଗକୁ ରୋଚକ ବୋଲି ଦର୍ଶାଇ ଶ୍ରୀ ସିରାଜ କହିଥିଲେ ଯେ ଗାଏନା ୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ମହିଳାମାନେ ଏଠାକାର ଶାସନ କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଥିବା ବେଳେ ଶାସନତନ୍ତ୍ରରେ ଏକତା ଓ ସମାନତା ଆଣିବା ଏହି ଦେଶର ପ୍ରୟାସ । ମହିଳାମାନଙ୍କର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସଶକ୍ତୀକରଣ କ୍ଷେତ୍ରରେ ଏହି ସରକାର ଖୁବ ଯତ୍ନବାନ ବୋଲି ସେ କହିଥିଲେ ।
ଗାଏନାରେ ପ୍ରାୟ ୯୦ ହଜାର ମହିଳା ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ନେଇସାରିଥିବା ବେଳେ ଆହୁରି ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଦେଶର ୩୭ ପ୍ରତିଶତ ଲୋକ ସଂଖ୍ୟା ମୂଳ ଭାରତୀୟ ଅଟନ୍ତି ।
ଆଲ୍ଜେରିଆର ରାଷ୍ଟ୍ରଦୂତ ଡକ୍ଟର ଖେଲିଫି କହିଥିଲେ ଯେ ତାଙ୍କ ଦେଶରେ ମହିଳାମାନେ ନେତୃତ୍ୱ କ୍ଷେତ୍ରରେ ଅସୀମ ସାହସ ପ୍ରଦର୍ଶନ କରିଥିବା ବେଳେ ମହିଳାମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବା ନିମନ୍ତେ ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଆଲଜେରିଆର ୫୦ ପ୍ରତିଶତ ବିଚାରପତି ମହିଳା ହୋଇଥିବା ବେଳେ ଦେଶର ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ ପ୍ରତିଶତ ଛାତ୍ରୀ ।
ମାଳଦ୍ୱୀପର ହାଇକମିଶନର ଶ୍ରୀମତି ଆଜିମା କହିଥିଲେ ଯେ ପ୍ରଚଳିତ ବ୍ୟବସ୍ଥାରେ ମହିଳାମାନେ ତାଙ୍କ ଦେଶର ସମାଜର ମେରୁଦଣ୍ଡ ଭାବେ ଉଭା ହୋଇଥିିବା ବେଳେ ଜଳବାୟୁ ପରିବର୍ତନ ମୁକାବିଲା କ୍ଷେତ୍ରରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ।
ସେସଲ୍ସର ହାଇକମିଶନର ଶ୍ରୀମତି ଆକୋଉଚେ କହିଥିଲେ ଯେ ନେତୃତ୍ୱ ପୁରୁଷ କିମ୍ବା ମହିଳା ନୁହେଁ ବରଂ ଦକ୍ଷତା ବଳରେ ପ୍ରତିପାଦିତ ହୋଇଥାଏ । ଦୁଇ ସପ୍ତାହ ପୂର୍ବରୁ ସେସଲ୍ସରେ ନୂଆ ସରକାର ଶପଥ ଗ୍ରହଣ କରିଥିବା ବେଳେ ଏହାର ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୮ ଜଣ ମହିଳା ଅଟନ୍ତି । ସେହିପରି ଜାତୀୟ ଆସେମ୍ବ୍ଲିର ବାଚସ୍ପତି ଭାବେ ଜଣେ ୩୫ ବର୍ଷର୍ୀୟା ମହିଳା ଦାୟିତ୍ୱ ନିର୍ବାହ କରୁଛନ୍ତି ।
କାର୍ଯ୍ୟକ୍ରମ ଶେଷରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.