କେନ୍ଦୁଝର,ତା୨୪/୧୧- ବାଂଶପାଳ ବ୍ଲକ୍ ଅନ୍ତର୍ଗତ ବାରହାଗଡ ପଞ୍ଚାୟତ ଅଧୀନ ନଡାମ ଗାଁର ଶ୍ରୀ ବୃଷ ଜୁଆଙ୍ଗର ପୁଅ ଗଣେଶ୍ଵର ଜୁଆଙ୍ଗ ପୋଲିଓ ଆକ୍ରାନ୍ତ ହୋଇ ଥିବାରୁ ମୁଣ୍ଡରେ ସମସ୍ୟା ଦେଖାଯାଇଛି । ଏହି ଆକ୍ରାନ୍ତ ପୁତ୍ରକୁ ଅର୍ଥ ଅଭାବରୁ ଚିକିତ୍ସା କରିପାରୁ ନାହାନ୍ତି ବାପା। ସରକାରୀ ସାହାଯ୍ୟ ଆଶା କରି ସମଗ୍ର ପରିବାର ଚାହିଁ ବସିଛନ୍ତି। ଗଣେଶ୍ୱରର ବୟସ ଏବେ ଷୋହଳ ବର୍ଷ। ଛୋଟବେଳୁ ପୋଲିଓରେ ସେ ଆକ୍ରାନ୍ତ ଏଣେ ସରକାରୀ ଭାବେ କେନ୍ଦୁଝର ପୋଲିଓ ମୁକ୍ତ ଜିଲ୍ଲା। ଏବେ ପୁଣି ମୁଣ୍ଡରେ ସମସ୍ୟା ରହିବାରୁ ଗଣେଶ୍ଵରର ବୟସ ଅନୁସାରେ ଶରୀରର ବୃଦ୍ଧି ହୋଇ ପାରୁନାହିଁ। ଷୋହଳ ବର୍ଷର ପିଲା ଦେଖିବାକୁ ଛୋଟ ପିଲାଟି ପରି ସେ ଚଲା ବୁଲା କରି ପାରେ ନାହିଁ। ବୃଷ ନିଜ ଚେଷ୍ଟାରେ କିଛି ମାତ୍ରାରେ ଚିକିତ୍ସା କରାଇଛନ୍ତି କିନ୍ତୁ ପିଲା ଏବେ ମଧ୍ୟ ସୁସ୍ଥ ହୋଇ ନାହିଁ। ବୃଷ ଜଣେ ଗରିବ ଜୁଆଙ୍ଗ ଜନଜାତିର ଗରିବ ବ୍ୟକ୍ତି ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନୁହେଁ। ପୁଅର ପୁରା ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବା ତା’ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ। ଯାହା ତାହା କରି ସେ ପରିବାର ପ୍ରତିପୋଷଣ କରେ। ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦପୁର ଗାଁ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା” ନଜରକୁ ଆସିଛି ଏହି ସମସ୍ୟା। ପିଲାଟିର ଚିକିତ୍ସା ସକାଶେ ସରକାରଙ୍କୁ ଅନୁଷ୍ଠାନ ପକ୍ଷରୁ ପତ୍ର ଲେଖାଯାଇଛି। ବର୍ଦ୍ଧିତ ହାରରେ ଭତ୍ତା ମଞ୍ଜୁର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏସବୁ ବାଦ୍ ପିଲାଟିର ଚିକିତ୍ସା ନିତାନ୍ତ ଆବଶ୍ୟକ ହୋଇ ପଡିଛି। ଏଣୁ ‘ଆଶା’ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ଏଥି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଗାଁ ତେଲକୋଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହାର ବିଧାୟକ ହେଉଛନ୍ତି ଡାକ୍ତର ଫକୀର ଚରଣ ନାଏକ। ଅବଶ୍ୟ ବିଧାୟକଙ୍କ ପାଖରେ ଏ ଖବର ନାହିଁ ଜିଲ୍ଲା ପ୍ରଶାସନର କ୍ଷେତ୍ରୀୟ ଅଧିକାରୀଙ୍କ ଏଥି ପ୍ରତି ଗୁରୁତ୍ବ ନାହିଁ। ଜୁଆଙ୍ଗ ଉନ୍ନୟନ ସଂସ୍ଥା ନିଘୋଡ଼ ନିଦରେ ଅଛି ବୋଲି ଅଭିଯୋଗ ଆସୁଛି। ଏ ପିଲାଟିକୁ ସମସ୍ତେ ଛାଡି ଦେଇଛନ୍ତି ଭାଗ୍ୟ ଉପରେ। ଏବେ ବୃଷର ପରିବାର ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା” ଆଶା ରଖିଛନ୍ତି ଯେ ପିଲାଟିର ଚିକିତ୍ସା ଦାୟିତ୍ବ ସରକାର ନେବେ। ଦେଖାଯାଉ ସରକାର କେବେ ଓ କେତେ ସହାୟକ ହେଉଛନ୍ତି ଏହି ଗରିବ ଆଦିବାସୀ ପିଲା ଓ ତା’ର ପରିବାର ପାଇଁ।
Sign in
Sign in
Recover your password.
A password will be e-mailed to you.