ଜିଲ୍ଲାପାଳଙ୍କ ନେପାଳ ଗସ୍ତର ପ୍ରଭାବ, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ

3

ସପ୍ତାହରକୁ ୨ ଦିନ ଭାବେ ୩ ଜଣ ଶିକ୍ଷକଙ୍କ ଦ୍ବାରା ପାଠ ପଢ଼ା ଆରମ୍ଭ,

ଓଡ଼ଗାଁ,୨୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଆଦିବାସୀ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳ ନେପାଳ ଗ୍ରାମକୁ ସପ୍ତାହରେ ୨ ଦିନ ଲେଖାଏଁ ୩ ଜଣ ଶିକ୍ଷକ ଡେପୁଟେସନରେ ପହଁଞ୍ଚି ଶିଶୁ ମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ଶିକ୍ଷାଦାନ ପାଇଁ ଯାଇଥିବା ଶିକ୍ଷକ ମାନେ ହେଲେ ବାଣ୍ଠପୁର ସରକାରୀ ଅପଗ୍ରେଡ ହାଇସ୍କୁଲର ଶିକ୍ଷକ ପବିତ୍ର ଚନ୍ଦ୍ର ପୃଷ୍ଟି, ବସନ୍ତ କୁମାର ଜେନା, ଚେମେଡି ସରକାରୀ ଅପରପ୍ରାଇମେରି ସ୍କୁଲର ସୁକାନ୍ତ କୁମାର ନାୟକ ଏବଂ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ୧୫ ବର୍ଷରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଠ ପଢ଼ାଇବା ପାଇଁ ପୁରୁଷୋତ୍ତମ ପାତ୍ର, ମିଥୁନ କୁମାର ପ୍ରଧାନ ସ୍ବେଚ୍ଛାସେବୀ ଶିକ୍ଷକ ମାନେ ଅନ୍ୟ ଶିକ୍ଷକ ମାନଙ୍କ ସହିତ ଯାଇ ପାଠ ପଢ଼ାଇବେ । ତେବେ ପାଠ ପଢ଼ାଇବା ପୂର୍ବରୁ ଶିକ୍ଷାର୍ଥୀ ମାନଙ୍କୁ ପାଠ୍ୟ ଉପକରଣ ସହିତ ପାଠ୍ୟ ପୁସ୍ତକ ଏବଂ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା । ବିଶେଷ କରି ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିବା ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏବେ ଶେଷ ପାହାଚରେ ପହଁଚିଛି । ଆଉ ୭ ଦିନ ମଧ୍ୟରେ ତାହା କାର୍ଯ୍ୟକ୍ଷମ ହେବ ବୋଲି ପରିଦର୍ଶନରେ ଯାଇଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଲହଡ଼ି ମାଳା ପ୍ରଧାନ କହିଛନ୍ତି । ପ୍ରତିଦିନ ପ୍ରଶାସନିକ ଅଧିକାରୀଙ୍କ ନେପାଳ ଗସ୍ତ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ନିରିହ ଆଦିବାସୀ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଆଶା ଓ ନିରାଶା ମଧ୍ୟରେ ଦିନ କାଟୁଥିବା ବ୍ଳକର ଉପାନ୍ତ ନେପାଳ ଗ୍ରାମ ଆଦିବାସୀ ଜାତି ଓ ଜନଜାତିର ମଣିଷ ମାନଙ୍କ ମଧ୍ୟରେ ଏବେ ଜିଲ୍ଲାପାଳ ଏବଂ ପ୍ରଶାସନର କାର୍ଯ୍ୟ ଓ କ୍ଷମତା ନେଇ ଦୃଢ଼ ଧାରଣା ସୃଷ୍ଟି ହୋଇପାରିଛି ।

Leave A Reply

Your email address will not be published.