
ଓଡ଼ଗାଁ,୧୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରି ଗାୟତ୍ରୀ ବିଦ୍ୟାମନ୍ଦିରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରାଣ ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ଶ୍ରେଣୀ କକ୍ଷ ଶିକ୍ଷା ସହିତ ପାରିପାର୍ଶ୍ବିକ ଅଧ୍ୟୟନର ଆବଶ୍ୟକତା ସମ୍ପର୍କରେ କହିଥିଲେ । ବିଭିନ୍ନ ପାଳନୀୟ ଉତ୍ସବ ଅବସରରେ ଶିଶୁ ମାନଙ୍କ ପାଇଁ ଏହିପରି ଅବସର ମିଳିଥାଏ। ପନ୍ତିଖାରୀ ଶାସନ ନିଳକଣ୍ଠେଶ୍ବର କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଗାୟତ୍ରୀ ବିଦ୍ୟାମନ୍ଦିର ଶିଶୁ କଳାକାର ମାନଙ୍କ ଦ୍ଵାରା ପରିବେଷିତ ଗୋପାଳ ଛୋଟରାୟଙ୍କ ରଚିତ ଗୀତିନାଟ୍ୟ ଗଣେଷ ଜନ୍ମ ଅଭିନୟ ବିଶେଷ ଆକର୍ଷଣ ରହିଥିଲା । ସେପରି ଭାବେ ମଶାବାରୀ କଲ୍ୟାଣ ମଣ୍ଡପ ଠାରେ ଗାୟତ୍ରୀ ପାଠଶାଳା ଦ୍ବାରା ଆୟୋଜିତ ଶିଶୁ ଦିବସ ପାଳନ ଅବସରରେ ଶିକ୍ଷାବିତ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଶିକ୍ଷକ ଭେଙ୍କଟ ସ୍ବାମୀ ପାଣିଗ୍ରାହୀ ଏବଂ ସୁନିଲ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେହିପରି ନନ୍ଦିଘୋର ଉତ୍କଳମଣି ପାଠଶାଳାରେ ୩୩ତମ ଶିଶୁ ଦିବସ ପାଳନ ହୋଇଯାଇଛି। ପ୍ରତିଷ୍ଠାତା ସୂର୍ଯ୍ୟମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ନୟାଗଡ଼ର ବିଶିଷ୍ଟ ଯୁବ ଶିଳ୍ପଦ୍ୟୋଗୀ ତାପସ ରଞ୍ଜନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମହେଶ୍ୱର ପରିଡ଼ା ଏବଂ ମହେଶ୍ବର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ଅତଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। କବି ତଥା ଲେଖକ ଗଜେନ୍ଦ୍ର ମହାରଣା କାର୍ଯ୍ୟ କ୍ରମର ସଞ୍ଜୋଜନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।