ସାଂସଦଙ୍କୁ ଭେଟି ବିଦ୍ୟାଳୟ ସମସ୍ୟା ଜଣାଇଲେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ଯା ଓ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ସାଂସଦଙ୍କ ସ୍ଥାନୀୟ ବିକାଶ ପାଣ୍ଠି ଯୋଗାଇ ଦେବା ନିମନ୍ତେ ଅଧ୍ୟକ୍ଷ ଡଃ. ମହେନ୍ଦ୍ର ରଇତଙ୍କ ନେତୃତ୍ବରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ବ୍ରହ୍ମପୁର ଲୋକସଭା ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ଲିଖିତ ଆକାରରେ ଜଣାଇଛନ୍ତି I ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ମହିଳାଙ୍କ ଶିକ୍ଷା ଓ ସ୍ୱାବଲମ୍ବନ ପାଇଁ ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିରବଚ୍ଛିନ୍ନ ଭାବେ ନାରୀ ଶିକ୍ଷାର ପ୍ରାଣକେନ୍ଦ୍ର ପାଳଟିଥିବା ଏହି ବିଦ୍ୟାଳୟ , ରାଜ୍ଯ ସରକାରଙ୍କ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଭିନ୍ନ ଉନ୍ନୟନମୂଳକ ସମସ୍ୟା ଦେଇ ଗତି କରୁଛି। ଯେପରି ଛାତ୍ରୀ ମାନଙ୍କ ଖେଳକୁଳ ଓ ଶାରୀରିକ ଶିକ୍ଷା ପାଇଁ ଉପଯୁକ୍ତ ଖେଳ ପଡିଆ ଅଭାବ , ଅତ୍ୟାଧୁନିକ ଡିଜିଟାଲ ଲାଇବ୍ରେରି , ବୃଦ୍ଧିଶୀଳ ଛାତ୍ରୀ ସଂଖ୍ୟାକୁ ଧ୍ୟାନରେ ରଖି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ , ଛାତ୍ରୀମାନଙ୍କ ସୁବିଧା ପାଇଁ ସାଇକଲ୍‌ ଷ୍ଟାଣ୍ଡ ବ୍ୟବସ୍ଥା , ଖେଳ ଓ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଯଥାଯୋଗ୍ୟ କ୍ରୀଡା ସାମଗ୍ରୀ , ଶ୍ରେଣୀଗୃହ ଗୁଡ଼ିକର ଆଧୁନିକୀକରଣ ଓ ନବୀକରଣ , ସୁରକ୍ଷିତ ପାନୀୟ ଜଳ ବ୍ୟବସ୍ଥା ସ୍ଥାପନ , ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ପାଚେରୀ ନିର୍ମାଣ ଇତ୍ଯାଦି I
ଏହି ପଛୁଆ ଅଞ୍ଚଳରେ ମହିଳା ଶିକ୍ଷା ଓ ସଶକ୍ତିକରଣକୁ ନିଶ୍ଚୟ ଭାବେ ଗତିଶୀଳ କରି ଏକ ସମୃଦ୍ଧ ଜିଲ୍ଲା ଗଠନରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରାଜ୍ୟ ତଥା ଦେଶରେ ଏକ ଅଗ୍ରଣୀ ଅନୁଷ୍ଠାନ କରିବା ପାଇଁ ସାଂସଦ ଡଃ ପାଣିଗ୍ରାହୀ ବ୍ୟକ୍ତିଗତ ଭାବେ ଏ ସମସ୍ୟା ଗୁଡ଼ିକୁ ଅନୁଧ୍ୟାନ ଓ ବିଶ୍ଲେଷଣ ସ୍ଵରୂପ ନିଶ୍ଚିତ ଭାବେ ସାଂସଦ ସ୍ଥାନୀୟ ବିକାଶ ପାଣ୍ଠିରୁ ଆବଶ୍ୟକ ପରିମାଣର ଅର୍ଥ ଯୋଗାଣ କରାଇ ନିକଟ ଭବିଷ୍ୟତରେ ସେ ନିଜେ ବିଦ୍ୟାଳୟ ପରିଦର୍ଶନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ସାଂସଦଙ୍କ ଏହିଭଳି ଦୃଢ଼ ପ୍ରତିଶ୍ରୁତି ଓ ଆଶ୍ୱସନା ପାଇ ଛାତ୍ରୀମାନେ ବେଶ୍ ଉତ୍ସାହିତ ହୋଇଥିଲେ।ସାକ୍ଷାତ ସମୟରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କ୍ୟାପଟେନ ଅନିତା କୁମାରୀ ପାଢି , ବରିଷ୍ଠ କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ଯାପକ ଅଧ୍ୟାପିକା , ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.