ଗତସିଂହପୁର,ତା-୦୧.୧୧.୨୦୨୫/ସୁମନ୍ତ କୁମାର ଦାସ: ଦୁର୍ନୀତି ଏପରି ଏକ ବିଷବୃକ୍ଷ ଯାହା ଦେଶ ତଥା ରାଜ୍ୟର ପ୍ରଗତି ପଥରେ ସାଜିଛି ପ୍ରତିବନ୍ଧକ। ତେଣୁ ଓଡିଶା ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।ଏଥିପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା । ‘ ଦୁର୍ନୀତି ନିବାରଣ: ଆମ ସାମୂହିକ ଦାୟିତ୍ଵ ‘ ମୂଳମନ୍ତ୍ର ରେ ଆୟୋଜିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ସମସ୍ତ ଙ୍କୁ ଦୁର୍ନୀତି କୁ ପ୍ରଶ୍ରୟ ନଦେଇ ସମସ୍ତଙ୍କ ସହଯୋଗ ରେ ଏହାକୁ ବିରୋଧ କରିବାକୁ କହିଥିଲେ। ତେଣୁ ସମସ୍ତଙ୍କ ର ସହଯୋଗରେ ତଥା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ପାରିଲେ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ। ସଚେତନତା ଓ ସହଭାଗିତା ଦ୍ବାରା ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ବୋଲି କହିଥିଲେ । ମନୁଷ୍ୟ ର ଚରିତ୍ର ହିଁ ତାର ପରିଚୟ, ତେଣୁ ଚରିତ୍ରିକ ସ୍ୱଚ୍ଛତା ହିଁ ସୁସ୍ଥ ସମାଜ ଗଠନ ର ସୁତ୍ରଧର।ଦୁର୍ନୀତି କରିବା ବେଳେ ନିଜ ଦେଶ ପ୍ରତି ନିଜର କର୍ତ୍ତବ୍ୟ କୁ ମନେ ପକାଇବା ପାଇଁ ସେ କହିଥିଲେ । ଆମେ ଆମ ପୂର୍ବପୁରୁଷ ଙ୍କ ଭଳି ଆଦର୍ଶବାଦୀ ରହିବା ଆବଶ୍ୟକ ବୋଲି ଆଗାମୀ ପୀଢ଼ି ଓ ଯୁବ ସମାଜକୁ ଉପଦେଶ ଦେଇଥିଲେ । ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ଆମେ ଦୁର୍ନୀତି ବିରୋଧରେ ସଚେତନ ରହିବା ଓ ସଜାଗ ରହିବା। ଜଣେ ସଚେତନ ନାଗରିକ ହିଁ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଥିଲେ । ଦୁର୍ନୀତି କୁ ଏକ ବ୍ୟାଧି ରୂପେ ଅଭିହିତ କରି ସଚେତନତାକୁ ଏହାର ପ୍ରତିକାର ବୋଲି କହିଥିଲେ। ସେ କହିଥିଲେ ଯେ ଆମେ ଶପଥ ନେବା ଆବଶ୍ୟକ ଯେ ଆମେ ପଇସା ଦେବୁ ନାହିଁ କି ନେବୁ ନାହିଁ । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଭାସ ଚନ୍ଦ୍ର ସାହୁ କହିଥିଲେ ଯେ ଦୁର୍ନୀତି ଏକ ବିକୃତ ମାନସିକତା ଏବଂ ସେ କହିଥିଲେ ଯେ ପାରିବାରିକ ସଂସ୍କାର ହିଁ ସମାଜରେ ସଂସ୍କାର ଆଣିପାରିବ। ସେ ପୋଲିସ ବିଭାଗର ଦୁର୍ନୀତି ନିବାରଣ ପାଇଁ ରାଜ୍ୟ ସରକାର ଙ୍କ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଦୁର୍ନୀତି ନିବାରଣ ଓ ସାମାଜ କୁ ସଚେତନ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ତେଣୁ ସଜାଗ ଓ ସତର୍କ ରହି, ସତ୍ୟନିଷ୍ଠ ଦାୟିତ୍ଵ ପାଳନ ଦ୍ଵାରା ଦୁର୍ନୀତି ନିବାରଣ ହୋଇପାରିବ ବୋଲି କହିଥିଲେ । ସଭାରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗରୁ ଆସିଥିବା ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା।ଶେଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ଓ ଇଂରାଜୀ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଆଜିର ଆୟୋଜିତ ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ, ଶ୍ରୀମତୀ ଅନୁପମା ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସଭା ପରିଚାଳନା କରିଥିଲେ।ବିଭିନ୍ନ ବିଭାଗର ଅଧିକାରୀ,ସ୍କୁଲ କଲେଜ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ସହରର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post