ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦାଦନ ଶ୍ରମିକମାନଙ୍କ ଦୁଃଖ ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଛି। ଗରିବ ଓ ଦରିଦ୍ରତାର ତାଡ଼ନାରେ ନିଜ ଭିଟା ମାଟିକୁ ଛାଡି ଗଜପତି ଜିଲ୍ଲାରୁ ବହୁ ଜଣ ଦାଦନ ଭାବେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ବାହାରେ ହାଡ଼ ଭଙ୍ଗା ପରିଶ୍ରମ କରି ରୋଗାଗ୍ରସ୍ତ ହୋଇ ବହୁ ଦୁଃଖ ଯନ୍ତ୍ରଣା ପାଉଛନ୍ତି। ଅପରପକ୍ଷରେ ଦାଦନ ଭାବେ କାର୍ଯ୍ୟ କରୁଥିବାବେଳେ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ବର୍ତ୍ତମାନ ଗଜପତିରୁ ଦାଦନ ଭାବେ କର୍ଣ୍ଣାଟକକୁ ଯାଇଥିବା ଜଣେ ଦାଦନଙ୍କ ପୁଣି ମୃତ୍ୟୁ ଘଟିଛି। ସେ ହେଲେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଛେଲାଗଡ଼ ପଞ୍ଚାୟତ ଘାଟିସାହି ଗ୍ରାମର ସନ୍ୟାସୀ ବଡ଼ରଇତଙ୍କ ପୁଅ ଉଜ୍ଜ୍ବଳେଶ୍ଵର ବଡ଼ରଇତ। ତିନିଭାଇ ଓ ଦୁଇଭଉଣୀଙ୍କ ଭିତରୁ ମଝିଆ ଉଜ୍ଜ୍ବଳେଶ୍ଵର ତିନିମାସ ତଳେ ଘରୁ ଦାଦନ ଭାବେ କର୍ଣ୍ଣାଟକ ଚାଲି ଯାଇଥିଲେ। ଅଧିକ ରୋଜଗାର କରି ଘରର ଆର୍ଥିକ ସ୍ଥିତି ବଦଳାଇବେ ବୋଲି ଆଶା ବାନ୍ଧିଥିଲେ। ଏକ କୁକୁଡ଼ା ଫାର୍ମରେ କାମ ପାଇଥିଲେ। କିନ୍ତୁ, ଆଉ ଟିକେ ଅଧିକ ରୋଜଗାର ଆଶାରେ ସେ କର୍ଣ୍ଣାଟକର ମୂଲବାଗଲର ସୁନାପା କୁନ୍ତେ ସ୍ଥିତ ଇନ୍ଦୁଶ୍ରୀ ପଲଟ୍ରି ଫାର୍ମରେ ଦାଦନ ଶ୍ରମିକ ଭାବେ ଚଳିତ ମାସ ୧୮ ତାରିଖରୁ କାର୍ଯାରମ୍ଭ କରିଥିଲେ।
ସେଠାରେ ସେ ରହିବା ପାଇଁ ଫାର୍ମର ମାଲିକ ତାଙ୍କ ପାଇଁ ବ୍ୟବସ୍ଥା କରିଥିଲେ। ୧୮ ତାରିଖ ଦିନ ସାରା ଏହି ଫାର୍ମରେ କାମ କରିବା ପରେ ସନ୍ଧ୍ୟା ପରେ ମାଲିକ ଦେଇଥିବା ଘରକୁ ଯାଇ କିଛି ଖାଦ୍ୟ ଖାଇବା ପରେ ୧୮ତାରିଖ ରାତ୍ର ୮ ଘଣ୍ଟା ସମୟରେ ଶୋଇ ପଡ଼ିଥିଲେ। ହେଲେ ୧୯ ତାରିଖ ସକାଳୁ ସେ କୁକୁଡ଼ା ଫାର୍ମକୁ କାମ କରିବା ପାଇଁ ନ ଆସିବାରୁ ମାଲିକଙ୍କ ନିର୍ଦେଶକ୍ରମେ ଅନ୍ୟ ଜଣେ ଶ୍ରମିକ ତାଙ୍କୁ ଡାକି ଆଣିବା ପାଇଁ ଯାଇଥିଲେ। ତାଙ୍କ ରୁମ ଠାରେ ପହଞ୍ଚି ଗଜପତିର ଶ୍ରମିକ ଉଜ୍ଜଳେଶ୍ଵଙ୍କୁ ଯେତେ ଉଠାଇ ଥିଲେ ମଧ୍ୟ ସେ ଉଠି ନଥିଲେ। କୁକୁଡ଼ା ଫାର୍ମର ମାଲିକ ଓ ଅନ୍ୟ କର୍ମଚାରୀମାନେ ମିଶି ତାଙ୍କୁ ସେଠାକାର ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଜଳେଶ୍ଵରଙ୍କ ଶରୀରକୁ ଦେଖି ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଗଜପତିରେ ରହୁଥିବା ତାଙ୍କ ପରିବାର ନିକଟରେ ପହଞ୍ଚିବା ପରେ ଘରେ ସମସ୍ତେ ଭାଙ୍ଗି ପଡିବା ସହ ଛେଲାଗଡ଼ ସରପଞ୍ଚ ଡାଳିମ୍ବ ଗମାଙ୍ଗଙ୍କୁ ଜଣାଇଥିଲେ। ସମ୍ପୃକ୍ତ ସରପଞ୍ଚ ସମାଜସେବୀ ଜଗବନ୍ଧୁ ଦାସ।, ୱାର୍ଡମେମ୍ବର ଜଗନ୍ନାଥ ରଇତ , ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖରସେଲଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଜଣାଇଥିଲେ।
ପରେ ଗଜପତି ଜିଲ୍ଲା ପ୍ରଶାସନ ସହାୟତାରେ ମୃତଦେହକୁ କର୍ଣ୍ଣାଟକରୁ ତାଙ୍କ ଗ୍ରାମକୁ ଅଣା ଯାଇଥିଲା। ଶୋକାକୂଳ ପରିବେଶ ମଧ୍ୟରେ ଜଳେଶ୍ଵର ମୃତ୍ୟୁଦେହକୁ ସତ୍କାର କରାଯାଇଥିଲା। ଏହି ଗରିବ ପରିବାରକୁ ଜିଲ୍ଲା ପ୍ରଶାସନ ଓ ସରକାର ଆବଶ୍ୟକ ସହାୟତା ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.