କଳାହାଣ୍ଡି ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୮.୧୦.୨୦୨୫ – କଳାହାଣ୍ଡି ଜିଲ୍ଲାସ୍ତରୀୟ କପା କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ଆଗାମୀ କପା ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ନିଷ୍ପତି କ୍ରମେ ଆସନ୍ତା ନଭେମ୍ବର ୨୬ ତାରିଖରୁ ଜିଲ୍ଲାର ୨ ଟି କପା ମଣ୍ଡି ଯଥା – ଭବାନୀପାଟଣା ବ୍ଲକ ସ୍ଥିତ କର୍ଲାପଡା ଏବଂ କେସିଙ୍ଗା ବ୍ଲକ ସ୍ଥିତ ଉତ୍କେଲା ଠାରେ କପା ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଗୋଳାମୁଣ୍ଡା ବ୍ଲକ ସ୍ଥିତ ଉଚ୍ଛଲା ମଣ୍ଡିକୁ ବନ୍ଦ କରି ସେ ଅଞ୍ଚଳର କପା ଚାଷୀ ମାନଙ୍କୁ କର୍ଲାପଡା ମଣ୍ଡିରେ କପା ବିକ୍ରୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ କପା ବିକ୍ରୟ ପାଇଁ ଅନଲାଇନ ପଞ୍ଜୀକରଣ ଶେଷ ତାରିଖ ଅକ୍ଟୋବର ୩୧ ତାରିଖ ଥିବାବେଳେ ବର୍ତ୍ତମାନ ସୁଦ୍ଧା କମ ସଂଖ୍ୟକ କପା ଚାଷୀ ମଣ୍ଡିରେ କପା ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି ତେଣୁ କିପରି ଅଧିକ ରୁ ଅଧିକ ଚାଷୀ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିବେ ସେଥିପାଇଁ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ସମ୍ପାଦକ, ଆର୍.ଏମ୍.ସି. ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତ ୨୦୨୫-୨୬ ବର୍ଷରେ ମଧ୍ୟମ ଧରଣର କପା କ୍ଵିଣ୍ଟାଲ ପିଛା ଟ. ୭,୭୧୦ ଏବଂ ଉଚ୍ଚ ଧରଣର କପା କ୍ଵିଣ୍ଟାଲ ପିଛା ଟ. ୮,୧୧୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି ।
ଏହି ବୈଠକରେ ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସମସ୍ତ ମିଲର୍ସ, ଜିଲ୍ଲାର କପା ଚାଷୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.