ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଯୁବ କଳାକାର ରାଜେଶ କୁମାର ଦାସ ନିଜ ମୃଦଙ୍ଗ ଶବ୍ଦରେ ଗାଁ ମାଟିର ସୁଗନ୍ଧ ଓ ସଂସ୍କୃତିର ଚିହ୍ନକୁ ଜୀବନ୍ତ ରଖିଛନ୍ତି। ସେ ଏକ କରମସାନୀ ବାୟକ ରୂପେ ବରଗଡ଼ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜରେ ନୂଆ ପ୍ରେରଣା ଦେଇଛନ୍ତି।
ରାଜେଶଙ୍କ ଜନ୍ମ ଓ ଶିଶୁକାଳ ଗାଁର ମାଟି ସହିତ ଜଡିତ ରହିଛି। ତାଙ୍କ ବାପା କ୍ଷୀରେଶ୍ୱର ଦାସ, ମା’ ସୁରୁଚି ଦାସ, ବଡ଼ ଭାଇ ଅଶ୍ୱିନୀ କୁମାର ଦାସ ଏବଂ ସାନଭାଇ କ୍ରିଷ୍ଣା ଦାସ ଅଛନ୍ତି। ପିଲାଦିନରୁ ସେ ସଙ୍ଗୀତ ଓ ମୃଦଙ୍ଗ ପ୍ରତି ଆକର୍ଷିତ ଥିଲେ। ଗାଁର ସଂକୀର୍ତ୍ତନ ଓ ଧାର୍ମିକ ଅବସରରେ ମୃଦଙ୍ଗ ଶବ୍ଦ ତାଙ୍କ ମନକୁ ଛୁଇଁଯାଇଥିଲା। ଏହି ଆକର୍ଷଣ ତାଙ୍କୁ ଏକ କଳାକାର ରୂପେ ଗଢ଼ିଥିଲା।
ସେ ଗୁରୁଙ୍କ ନିକଟରୁ ମୃଦଙ୍ଗ ଶିଖି ସଙ୍ଗୀତର ଆଧ୍ୟାତ୍ମିକ ମାର୍ଗରେ ଆଗେଇଛନ୍ତି। ବର୍ତ୍ତମାନ ସେ ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗ୍ରାମରେ ଯାଇ କରମସାନୀ ବାୟକ ଭାବେ ମୃଦଙ୍ଗ ଶବ୍ଦରେ ଲୋକମାନଙ୍କ ହୃଦୟ ଜିତୁଛନ୍ତି। ସେ ଯେଉଁଠି ସଂକୀର୍ତ୍ତନ ହୁଏ, ସେଠାରେ ତାଙ୍କ ମୃଦଙ୍ଗର ଧ୍ୱନି ଶ୍ରୋତାମାନଙ୍କ ମନକୁ ମୋହିତ କରେ।
ସେ ନିଜ କଳା ଦ୍ୱାରା ଗାଁ ମାଟିର ସଂସ୍କୃତିକ ଏବଂ ଧାର୍ମିକ ପରମ୍ପରାକୁ ଜୀବନ୍ତ ରଖିବାକୁ ଚେଷ୍ଟାଶୀଳ। ରାଜେଶ କହିଛନ୍ତି, “ମୃଦଙ୍ଗ କେବଳ ଗୀତ ଓ ସଂଗୀତ ଯନ୍ତ୍ର ନୁହେଁ, ଏହା ଗାଁର ଆତ୍ମା ଓ ପରମ୍ପରାର ଅଂଶ।” ସେ ଯୁବ ପିଢ଼ିଙ୍କୁ ଏହି ପାରମ୍ପରିକ କଳା ଶିଖିବାକୁ ପ୍ରେରିତ କରୁଛନ୍ତି ଯେପରି ଏହି ଐତିହ୍ୟ ଅସ୍ତିତ୍ୱ ହାରାଇ ନଯାଏ।
ସେ ଭବିଷ୍ୟତରେ ନିଜର ଏକ ବାୟକ ଦଳ ଗଠନ କରି ଏହି ମୃଦଙ୍ଗ କଳାକୁ ରାଜ୍ୟ ସୀମା ପରିକ୍ରମା କରାଇ ଦେଶବ୍ୟାପୀ ଭାବରେ ପ୍ରଚାର କରିବାକୁ ଚାହୁଁଛନ୍ତି। ତାଙ୍କ ଶ୍ରମ, ନିଷ୍ଠା ଓ ସଙ୍ଗୀତ ପ୍ରତି ଭଲପାଇବା ଗାଁର ଅନେକ ଯୁବକଙ୍କ ପାଇଁ ଆଦର୍ଶ ହୋଇଉଠିଛି।
ରାଜେଶ ଦାସଙ୍କ ମୃଦଙ୍ଗ ଧ୍ୱନିରେ ଯେପରି ଗାଁ ମାଟିର ସୁଗନ୍ଧ ଓ ଅନୁଭବ ମିଶିଥାଏ, ସେହିପରି ତାଙ୍କ କଳା ଓ ଉତ୍ସାହ ଗାଁ ସଂସ୍କୃତିକୁ ଜୀବନ୍ତ ରଖିଛି। ଅଞ୍ଚଳବାସୀ ତାଙ୍କ ଉଦ୍ୟମ ଓ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରୁଛନ୍ତି ଏବଂ ଭବିଷ୍ୟତରେ ସେ ଆଉ ବିଶେଷ ମାନ ସଂପାଦନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.