ଟିଟିଲାଗଡ ରେଳଷ୍ଟେସନରେ ଜାତୀୟ ପତାକାର ଅପମାନ !!

2

“ଚିରିଯାଇଥିବା ତ୍ରିରଙ୍ଗା ଝଣ୍ଡାକୁ ଯତ୍ନ ନେବାରେ ରେଳ ବିଭାଗର ଘୋର ଅବହେଳା”

ବଲାଙ୍ଗୀର,ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଟିଟିଲାଗଡ ରେଳଷ୍ଟେସନରେ ଉଚ୍ଚସ୍ଥିତ ରାଷ୍ଟ୍ରୀୟ ପତାକା ଭାରତର ଗୌରବ ଓ ଅସ୍ମିତାର ପ୍ରତୀକ ଏବେ ଦୁର୍ଦଶାର ଶୀକାର ହୋଇଛି। ଅଧିକ ସମୟ ଧରି ଯତ୍ନ ନ ନିଆଯାଇଥିବାରୁ ତ୍ରିରଙ୍ଗା ଝଣ୍ଡା ପୁରୁଣା ହୋଇ ଚିରିଯାଇଛି ଓ ତାହା ଦେଖି ଯେକୌଣସି ଦେଶପ୍ରେମୀ ନାଗରିକଙ୍କ ମନ ଦୁଃଖିତ ହେଉଛି।
ସ୍ଥାନୀୟ ଯାତ୍ରୀମାନେ ଓ ସାମାଜିକ ସଂଗଠନମାନେ ଏହାକୁ ଜାତୀୟ ପତାକା ଆଇନ, ୨୦୦୨ ର ସ୍ପଷ୍ଟ ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ରେଳ ବିଭାଗ ଦ୍ୱାରା ପତାକାକୁ ନିୟମିତ ଭାବରେ ପରିବର୍ତ୍ତନ ଓ ରକ୍ଷାଣାବେକ୍ଷଣ ନ କରିବା ଜାତୀୟ ଗୌରବ ଉପରେ ଘୋର ଅବହେଳା ସମାନ।
“ପ୍ରତିଦିନ ସେଇ ଚିରିଯାଇଥିବା ଝଣ୍ଡାକୁ ଦେଖି ମନ ଯନ୍ତ୍ରଣା ହୁଏ। ଏହା ମାତ୍ର ଜଣେ ଦେଶବାସୀଙ୍କ ଗର୍ବ ନୁହେଁ, ଏହା ଆମର ଜାତୀୟ ପରିଚୟ।” ସ୍ଥାନୀୟ ସାମାଜିକ କର୍ମୀମାନେ ରେଳବିଭାଗ ଓ ଜାତୀୟ ପତାକା ନିୟମାବଳୀ ରଖିବା ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ରେଳଷ୍ଟେସନରେ ନୂଆ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ପୁରୁଣା ପତାକାକୁ ସମ୍ମାନ ସହିତ ବିଦାୟ ଦିଆଯିବା ଉଚିତ।
“ଜାତୀୟ ପତାକାକୁ ନେଇ ଅବହେଳା ହେଉଛି ଦେଶ ଓ ସେନା ମନୋଭାବ ପ୍ରତି ଅସମ୍ମାନ। ଏପରି ଅବସ୍ଥା ଦେଖିବା ଦୁଃଖଦ।” ବୋଲି ଜଣେ ପୂର୍ବତନ ସେନା ଅଧିକାରୀ କହିଛନ୍ତି । ଏହି ଘଟଣା ପରେ ରେଳବିଭାଗ ପକ୍ଷରୁ କୌଣସି ଅଧିକାରିକ ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଜନମତ ଦ୍ରୁତ ଭାବେ ଗଢ଼ିଉଠିଛି “ଜାତୀୟ ପତାକା ଆମ ଆତ୍ମା, ତାହାର ସମ୍ମାନ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।”
ଜନସାଧାରଣ ଓ ସାମାଜିକ ସଂଗଠନ ତରଫରୁ, କେନ୍ଦ୍ର ସରକାର ଓ ରେଳବିଭାଗ ଠାରୁ ଏହି ଅବହେଳା ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ଓ ଜାତୀୟ ପତାକାର ସମ୍ମାନ ପୁନର୍ଜୀବିତ କରିବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.