ପ୍ରାଣୀ ଜଗତ ମାନବ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ: ଡକ୍ଟର ରାଓ

2

ସୋଆ ଆଇଭିଏସ୍ଏଏଚ୍ ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ପାଳିତ

ଭୁବନେଶ୍ୱର, ଅକ୍ଟୋବର ୪ : କେବଳ ଅସୁସ୍ଥ ପ୍ରାଣୀମାନଙ୍କର ଚିକିତ୍ସା କରିବା ଜଣେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟ ନୁହେଁ ବରଂ ଗ୍ରାମୀଣ ଜୀବିକା ଏବଂ ଖାଦ୍ୟ ସୁରକ୍ଷାର ନିରାପତା ପ୍ରତି ଦୃଷ୍ଟି ଦେବା ମଧ୍ୟ ସେମାନଙ୍କର ଦାୟିତ୍ୱ ବୋଲି ଜାତୀୟ ପ୍ରାଣୀ ବିଜ୍ଞାନ ଏକାଡେମୀର ସଭାପତି ତଥା ନୂଆଦିଲ୍ଲୀ ଠାରେ ଅବସ୍ଥାପିତ କିର୍ଗିଜ୍ ରିପବ୍ଲିକ୍ର କନ୍ସଲ ଡକ୍ଟର ଡିଭିଆର ପ୍ରକାଶ ରାଓ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍), ଓଡ଼ିଶା ଲାଇଭସ୍ଟକ ଡେଭେଲପ୍ମେଂଟ ସୋସାଇଟି (ଓଏଲ୍ଡିଏସ୍) ଓ ଓଡ଼ିଶା ଭେଟେରିନାରୀ କାଉନ୍ସିଲ୍ ମିଳିତ ସହଯୋଗରେ ସୋଆ କ୍ୟାମ୍ପସ ୪ରେ ଆୟୋଜିତ ବିଶ୍ୱ ପ୍ରାଣୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡକ୍ଟର ରାଓ ।
ପ୍ରାଣୀ ଜଗତ ଓ ମାନବ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ଉଲ୍ଲେଖ କରି ସାରା ବିଶ୍ୱରେ ବର୍ତମାନ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଏକ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାର ନିରାପତା ପାଇଁ ପ୍ରାଣୀ ଜଗତକୁ ସୁରକ୍ଷିତ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି ଡକ୍ଟର ରାଓ କହିଛନ୍ତି ।
ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଇଭିଏସଏଏଚ୍ ଶିକ୍ଷାନୁଷ୍ଠାନ ଆରମ୍ଭ କରାଯିବାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ଏହି ଅନୁଷ୍ଠାନ ଯୁବ ପ୍ରାଣୀ ଚିକିତ୍ସକମାନଙ୍କୁ ପ୍ରାଣୀମାନଙ୍କ ଚିକିତ୍ସା ଓ ଖାଦ୍ୟ ସୁରକ୍ଷା ଦିଗରେ ନୂଆ ରାସ୍ତା ଦେଖାଇବ ବୋଲି କହିଛନ୍ତି ।
ଏହି ଅବସରରେ ଓଡ଼ିଶା ସରକାରଙ୍କର ଆନିମଲ ହଜବ୍ୟାଣ୍ଡରୀ ଆଣ୍ଡ ଭେଟେରିନାରୀ ସାଇନ୍ସେସ୍ ବିଭାଗର ପୂର୍ବତନ ନିଦେ୍ର୍ଧଶକ ଶ୍ରୀ ରତ୍ନାକର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୂଷଣ, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତନ ଯୋଗୁଁ ଜଗତରୁ ପ୍ରାଣୀମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି କହିଥିଲେ । ଏଦିଗରେ ମାନବ ସମାଜ ଯତ୍ନବାନ ହୋଇ ପ୍ରାଣୀଙ୍କୁ ବଂଚାଇବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ପ୍ରାଣୀମାନେ କେବଳ ସ୍ନେହର ଭାଷା ବୁଝୁଥିବାରୁ ସେମାନଙ୍କର ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ତଥ୍ୟ ଅନୁଯାୟୀ ନିଜ ଘରେ କୋ÷ଣସି ଗୃହପାଳିତ ପ୍ରାଣୀକୁ ରଖିବା ଦ୍ୱାରା ଲୋକମାନେ ଅଧିକ ସୁସ୍ଥ ରହୁଛନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ପରିବେଶର ସନ୍ତୁଳନ ପାଇଁ ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଭିଏସ୍ଏଏଚ୍ର ଡିନ୍ ତଥା ଓଏଲ୍ଡିଏସ୍ର ସଭାପତି ପ୍ରଫେସର ଡକ୍ଟର ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଓଏଲ୍ଡିଏସ୍ର ସମ୍ପାଦକ ଡକ୍ଟର ବି.କେ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.