ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ।

0 2

ବାରିପଦା ତା ୦୩-୧୦-୨୦୨୫: ଜିଲ୍ଲା ସ୍ତରୀୟ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗତକାଲି ଦିବା ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରତଶ୍ରୁତି ପତ୍ରିକାର ସମ୍ପାଦକ ଡ଼. ଭାଗବତ ପ୍ରସାଦ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ସନ୍ଦୀପ କୁମାର ଚାନ୍ଦ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଶ୍ରୀ ସୋମନାଥ ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ସହ ଗାନ୍ଧିଜୀଙ୍କ ଫୋଟୋଚିତ୍ରରେ ଭକ୍ତି ପୂତ ପୁଷ୍ପମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ।
ଆଲୋଚନା ଚକ୍ର ଆରମ୍ଭରେ ତକତପୁରର ଅଭିରାମ ପରମହଂସ ଆଶ୍ରମ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଆଶ୍ରମ ଭଜନ ପରିବେଷଣ କରାଯାଇଥିଲା। ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଡ଼. ଭାଗବତ ପ୍ରସାଦ ପଣ୍ଡା ଗାନ୍ଧିଜୀଙ୍କ ଜୀବନ ଦର୍ଶନ ବିଶେଷ କରି ସତ୍ୟ ଅହିଂସା ଉପରେ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ।
ଶିକ୍ଷକ ସୋମନାଥ ସିଂ ମଧ୍ୟ ଗାନ୍ଧିଜୀଙ୍କ ଅସାଧାରଣ ବ୍ୟକ୍ତିତ୍ୱ ଓ ତା’ଙ୍କର ଦେଶ ପ୍ରତି ନିସ୍ଵାର୍ଥପର ସେବାର ସ୍ମୃତି ଚାରଣ କରିଥିଲେ।
ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଫେସର ଶ୍ରୀ ସନ୍ଦୀପ କୁମାର ଚାନ୍ଦ ଗାନ୍ଧିଜୀଙ୍କ ନୀତି ଆଦର୍ଶ ଉପରେ ସୁନ୍ଦର ଭାବେ ବ୍ୟାଖ୍ୟା କରିବା ସହ ଗାନ୍ଧିଜୀଙ୍କ ଜୀବନରେ ଘଟିଥିବା କେତେକ ପ୍ରମୁଖ ଘଟଣାବଳି ଉଲ୍ଲେଖ କରି ଏହା କିପରି ଭାରତୀୟମାନଙ୍କୁ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନୁପ୍ରାଣିତ କରିଥିଲା ଏବଂ ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବପ୍ନର ସ୍ୱାଧୀନ ଭାରତ କିପରି ଥିଲା ସେ ବିଷୟରେ ଉପସ୍ଥାପନ କରିଥିଲେ। ତତସହିତ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଏହାକୁ ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ।
ପରି ଶେଷରେ ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.