ନିଖୋଜ ଦଶମ ଶ୍ରେଣୀ ଛାତ୍ର ଘଟଣା: ୧୯ ଦିନ ପରେ ଦିଲ୍ଲୀ ଲାଲକିଲା ନିକଟରୁ ଉଦ୍ଧାର

0 2

ଓଡ଼ଗାଁ,୩୦।୯(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ନିଖୋଜ ୧୦ମ ଶ୍ରେଣୀ ଛାତ୍ରକୁ ଓଡ଼ଗାଁ ପୋଲିସ ଦିଲ୍ଲୀ ପାର୍ଲ୍ୟାମେଣ୍ଟ ହାଉସ ଷ୍ଟ୍ରିକ୍ଟ୍ ଥାନା ଲାଲକିଲା ନିକଟ ବଙ୍ଗଳା ସାହେବ ଅଞ୍ଚଳରୁ ଉଦ୍ଧାର କରିଥିବା ଜଣାଯାଇଛି । ନାବାଳକ ଛାତ୍ର ଜଣକ ଗତ ୧୨ତାରିଖରୁ ଅର୍ଥାତ୍ ୧୯ ଦିନ ନିଖୋଜ ରହିଥିଲା । ଓଡ଼ଗାଁ ପୋଲିସ୍ ବିଭିନ୍ନ ସମୟରେ ତାକୁ ଧରିବାକୁ ପ୍ରୟାସ ଜାରି ରଖିଥିବାବେଳେ ସେପ୍ଟେମ୍ବର ମାସ ୩୦ ତାରିଖରେ ଦିଲ୍ଲୀରୁ ଉଦ୍ଧାର କରି ଓଡ଼ଗାଁ ଥାନାରେ ପହଞ୍ଚିବା ପରେ ପରିବାର ଲୋକେ ଆଶ୍ବସ୍ତ ହୋଇଥିଲେ । ଓଡ଼ଗାଁ ପୋଲିସ ନାବାଳକର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାର ପିତାମାତାଙ୍କୁ ହସ୍ତାନ୍ତର କରିଥିଲେ । ସୂଚନା ଥାଉକି ଗତ ୧୨ ତାରିଖ ଶୁକ୍ରବାର ସକାଳ ୧୦ଟା ବେଳେ ସ୍କୁଲକୁ ଯାଉଛି ବୋଲି କହି ସ୍କୁଲ୍ ବ୍ୟାଗ୍ ନେଇ ନାବାଳକ ଜଣକ ଘରୁ ଚାଲି ଆସିଥିଲା । ହେଲେ ଛୁଟି ପରେ ସେ ଘରକୁ ନଫେରିବାରୁ ସନ୍ଧ୍ୟାରେ ନାବାଳକର ମା’ ପିଙ୍କି ସାହାଣୀ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ୨୮୨/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ତ୍ବରିତ ଅନୁସନ୍ଧାନ ଆରମ୍ଭ କରିଥିଲେ ।ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ଭାରପଡ଼ା ଗ୍ରାମର ମାଲେଶ୍ବର ସାହାଣୀ ପରିବାର ନେଇ ଓଡ଼ଗାଁ ବିଜୟ ମଣ୍ଡପ ସାହିରେ ଭଡ଼ାରେ ରହନ୍ତି। ବିଦ୍ୟାଳୟରେ ନାବାଳିକ ଜଣକ ଏବଂ ତା’ର ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା।ପ୍ରଧାନ ଶିକ୍ଷକ ସେମାନଙ୍କୁ ବୁଝାସୁଝା କରିଥିଲେ । ଏବଂ ଶୁକ୍ରବାର ବିଦ୍ୟାଳୟକୁ ଆସିବା ବେଳେ ଉଭୟେ ସେମାନଙ୍କ ଅଭିଭାବକଙ୍କୁ ସାଙ୍ଗରେ ଆଣିବାକୁ ଶିକ୍ଷକ କହିଥିଲେ । ନିଖୋଜ ଛାତ୍ର ଜଣକର ମା’ ଶିକ୍ଷକଙ୍କ ଠାରୁ ଖବର ପାଇ ବିଦ୍ୟାଳୟକୁ ଆସିଲେ । ତେବେ ପୁଅ ସ୍କୁଲ୍ ଆସିନଥିବା ଜାଣିବାକୁ ପାଇଥିଲେ । ବିଦ୍ୟାଳୟ ଛୁଟି ପରେ ଘରକୁ ଫେରିଆସିବ ବୋଲି ଆପେକ୍ଷା କରି ନାବାଳକ ଘରକୁ ନଫେରିବାରୁ ପୁଅ ନିଖୋଜ ହୋଇଥିବା ନେଇ ମା’ ସନ୍ଧ୍ୟାରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.