ତୁରେକେଲା ଅଞ୍ଚଳରେ ବେଆଇନ୍ ମଦ କାରବାର

0 2

ବଲାଙ୍ଗିର,(ଶାସକ ପ୍ରଶାସକ):- ତୁରେକେଲା ଅଞ୍ଚଳରେ ଗତ କିଛି ମାସ ଧରି ବେଆଇନ୍ ଭାବରେ ବିଦେଶୀ ମଦ ଘରକୁ ପହଞ୍ଚାଇ ଦିଆଯାଉ ଥିବା ଘଟଣା ଆଜି ସ୍ପଷ୍ଟ ହୋଇପଡ଼ିଛି। ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଥିଲେ ମଧ୍ୟ, ସେହି ଦୋକାନକୁ ଆଡ଼ କରି ଗାଁମାନଙ୍କୁ କୋଟି କୋଟି ଟଙ୍କାର ମଦ ସପ୍ଲାଏ ହେଉଛି। ଏହି ଅବୈଧ କାରବାରରେ କଳାହାଣ୍ଡି ଅଞ୍ଚଳରୁ ଆଣାଯାଇଥିବା ଜଣେ ଧୁରନ୍ଧର ମଦ ଚାଲାଣକାରୀକୁ ରଖାଯାଇଛି। ମାଫିଆ ପ୍ରବୃତ୍ତିରେ ସେମାନେ ଦିନ ୨ଟାରୁ ୩ଟା ମଧ୍ୟରେ ଓ ଅନ୍ଧାର ରାତ୍ରି ସମୟରେ ମଦ ପହଞ୍ଚାଇଥାନ୍ତି, କାରଣ ସେତେବେଳେ ବିଭାଗୀୟ ଅଧିକାରୀମାନେ ନିଜ ଘରେ ବିଶ୍ରାମରେ ରହନ୍ତି। ସରକାରୀ ନିୟମାନୁସାରେ ଗାଁରେ ମଦ ବିକ୍ରୟ ପାଇଁ କୌଣସି ଅନୁମତି ନଥିଲେ ମଧ୍ୟ, ତୁରେକେଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କୁଠୀ ବ୍ୟବସାୟୀମାନେ ଖୁଲମଖୁଲା ଅବୈଧ ମଦକୁ ବିକ୍ରୟ କରୁଛନ୍ତି। ଏହାରୁ ସ୍ପଷ୍ଟ ହେଉଛି ଯେ, ପୋଲିସ୍ ଓ ଅବକାରୀ ବିଭାଗର ନୀରବ ସମ୍ମତି କିମ୍ବା ଅବହେଳା ବିନା ଏହି କାରବାର ସମ୍ଭବ ନୁହେଁ।
ସୂତ୍ରମାନଙ୍କ କହିବା ଅନୁଯାୟୀ, ଏହି ଚୋରା ଚାଲାଣରେ ଯେଉଁ ମଦ ବିକ୍ରୟ ହେଉଛି, ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଏହା ନକଲି ହେବାର ସମ୍ଭାବନା ବହୁତ, ଯାହା ପୁରାପୁରି ଲୋକଙ୍କ ସ୍ବାସ୍ଥ୍ୟକୁ ବିପଦରେ ପକାଇପାରେ। ଆଜି ଯଦି କୁଠୀ ବ୍ୟବସାୟୀମାନେ ଲୋଭରେ ଏହାକୁ ବିକ୍ରୟ କରୁଛନ୍ତି, ତେବେ ଆଗାମୀ ଦିନରେ ମଦମୃତ୍ୟୁ ଘଟିଲେ ସେମାନଙ୍କୁ ନିଜେ ଦାୟୀ ହେବାକୁ ପଡ଼ିବ।
ଏହି ବେଆଇନ୍ ମଦ ଚାଲାଣକୁ ତୁରନ୍ତ ବନ୍ଦ କରାଯାଉ। ପୋଲିସ୍ ଓ ଅବକାରୀ ବିଭାଗ ଯଦି ଏହି କାରବାରକୁ ରୋକିବାରେ ବିଫଳ ହୁଏ, ତେବେ ଏହା ସ୍ପଷ୍ଟ ଯେ ସେମାନଙ୍କର ମିଳିଭଗତି ଓ ଅସାମର୍ଥ୍ୟ ଉଜାଗର ହେବ
ବୋଲି ଲୋକେ ମତପ୍ରକାଶ କରିଛନ୍ତି। ମଦର ବେଆଇନ୍ ବ୍ୟବସାୟ କେବଳ ସରକାରୀ ଆୟକୁ କ୍ଷତି କରୁନାହିଁ, ଏହା ଗାଁର ଯୁବପିଢୀକୁ ନଷ୍ଟ କରୁଛି, ସମାଜିକ ଶାନ୍ତିକୁ ଭଙ୍ଗ କରୁଛି ଓ ସ୍ବାସ୍ଥ୍ୟକୁ ଗଭୀର ବିପଦରେ ପକାଇଦେଉଛି ।ତୁରେକେଲାରେ ବେଆଇନ୍ ମଦ ଚାଲାଣକୁ ଅବିଳମ୍ବ ରୋକିବା ପାଇଁ ପୋଲିସ୍ ଓ ଅବକାରୀ ବିଭାଗ ଦ୍ଵାରା କାର୍ଯ୍ୟନୁଷ୍ଠାନ ହେବା ଅତ୍ୟାବଶ୍ୟକ। ନହେଲେ, ଏହି ଅଞ୍ଚଳରେ ମଦ ମାଫିଆଙ୍କ ରାଜ ଆଗକୁ ଆଉ ବଳବତ୍ତର ହେବ, ଯାହାର ଦାୟୀ ଅନ୍ୟ କେହି ନୁହେଁ – ସ୍ବୟଂ ପ୍ରଶାସନ ହେବ।

Leave A Reply

Your email address will not be published.