ଶୂନ୍ୟରେ ମହଲ ତୋଳୁଛନ୍ତି ବିରୋଧୀ, ମା’ମାଟି ଓ ମଣିଷ ପାଇଁ ବିଜେଡି କାମ କରିଚାଲିଛି ଏବଂ କରିଚାଲିବ : ନବୀନ, ଆରମ୍ଭ ହେଲା ଜନସଂପର୍କ ପଦଯାତ୍ରା:କେନ୍ଦ୍ରୀୟ ଅବହେଳା ଓ ଉଦାସୀନତା ବିଷୟରେ ଲୋକଙ୍କୁ କହିବ ବିଜେଡି

0

 

ଭୁବନେଶ୍ୱରରୁ ଚକ୍ରଧର ମାଝି : ମା’ମାଟି ଓ ମଣିଷ ପାଇଁ କାମ କରି ଚାଲିଛି ଏବଂ କରି ଚାଲିବ । ଜନତା ଜନାର୍ଦ୍ଧନଙ୍କ ସେବା ଆମ ଦଳର ମୁଖ୍ୟ କାର୍ଯ୍ୟକ୍ରମ । ଓଡ଼ିଶାକୁ ଏକ ନମ୍ବର କରିବା ଆମର ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଏ ଦିଗରେ ଆମର କାମ ଜାରି ରହିଛି । ଗତ ୧୭ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ଆସିଛି । ଓଡ଼ିଶାର ସ୍ୱାର୍ଥ ପାଇଁ ସଂଗ୍ରାମ କରିଛି । ଆମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ସାରା ଦେଶରେ ଓଡ଼ିଶାର ସୁନାମ ବୃଦ୍ଧି କରିଛି । ଗରିବୀ ୨୫ ପ୍ରତିଶତ କମିଛି, ଗରିବୀ ହାର କମିବାରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି । ଶିଶୁ ଓ ମାତୃ ମୃତ୍ୟୁ ହାର ସହ ଅନ୍ୟାନ୍ୟ ସାମାଜିକ ସୂଚକାଙ୍କରେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଅଛି । ଚାଷୀର ରୋଜଗାର ବଢ଼ିଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ମା’ମାନଙ୍କ ଆର୍ଥକ ଦୃଷ୍ଟିକୁ ସଶକ୍ତ କରିବା ସହ ବିକାଶ ସହିତ ଯୋଡ଼ିବାରେ ସଫଳ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗଭର୍ଣ୍ଣାନ୍ସ ଓ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ନିଜର ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ନୀତି ଆୟୋଗ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛି । ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ ଏବଂ ସବୁବେଳେ ତା’ର ପ୍ରତିଶ୍ରୁତି ରକ୍ଷା କରି ଆସିଛି । ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୦ଦିନ ବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି । 

ଜନସଂପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିବା ଅବସରରେ ଅନୁଷ୍ଠିତ  ସଭାରେ ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କରି ଜନ୍ମ ଦିନରେ ଏହି ପଦଯାତ୍ରା ଆରମ୍ଭ କରଯାଉଛି ବୋଲି କ÷ହିଥିଲେ  । । ବାପୁଜୀଙ୍କ ଜୟନ୍ତୀରୁ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଆମ ଦଳର ଜନସଂପର୍କ ପଦଯାତ୍ରା ଆରମ୍ଭ ହେଉଛି । ରାଜ୍ୟର ପ୍ରତି ଘରକୁ ପ୍ରତି ପରିବାରକୁ ବିକାଶ ସହ ଯୋଡ଼ିବା ପାଇଁ ଆମର ଏହି ପଦଯାତ୍ରା ଚାଲିଛି । ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥୀରେ ରହିଛି । ହେଲେ ବର୍ତ୍ତମାନ କିଛି ଦଳ ଓଡ଼ିଶା ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି । ଆପଣମାନେ ତା’ର କଡ଼ା ମୁକାବିଲା କରନ୍ତୁ । କେନ୍ଦ୍ରୀୟ ଅବହେଳା ଓ ଉଦାସୀନତା ବିଷୟରେ ଲୋକଙ୍କୁ ବୁଝାନ୍ତୁ । ଓଡ଼ିଶାବାସୀ ସବୁବେଳେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଆସିଛନ୍ତି । ବିରୋଧୀ ଦଳ ମାନେ ଶୂନ୍ୟରେ ମହଲ ତୋଳୁଛନ୍ତି । ଓଡ଼ିଶାବାସୀ ସେମାନଙ୍କ ସହ କେବେ ନଥିଲେ, ରହି ନାହାନ୍ତି ଏବଂ ଆଗକୁ ମଧ୍ୟ ରହିବେ ନାହିଁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହିଷାଖାଲ (ବିଜେବି କଲେଜ୍‍ ପାଖ) ବେହେରା ସାହି ଠାରୁ ଆରମ୍ଭ ହୋଇଛି  । ଦଳର ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ ଦୁର୍ନୀତିଗ୍ରସ୍ତ ଉପା ସରକାରକୁ ଭାରତବର୍ଷର ଜନସାଧାରଣ ଗାଦିଚୁ୍ୟତ କରାଇବା ପରେ ଏନ୍‍ଡିଏ ସରକାର ଠାରୁ ବହୁ ଆଶା-ଭରସା ରଖିଥିଲେ ଦେଶବାସୀ । କିନ୍ତୁ ବିଜେପି ନେତୃତ୍ୱାଧୀନ ସରକାର ଦିଶାହୀନ ହୋଇପଡିଛି । ରାଜ୍ୟ ପ୍ରତି ଚରମ ଅବହେଳା, ଦରଦାମ ନିୟନ୍ତ୍ରଣରେ ବିଫଳ, ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷାରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଅହେତୁକ ତୈଳ ଦର ବୃଦ୍ଧି ଘଟିବା ସଂଗେ ସଂଗେ ରନ୍ଧଗ୍ୟାସ୍‍ର ସବ୍‍ସିଡି ପ୍ରତ୍ୟାହାର କରି ବାରମ୍ବାର ଦର ବୃଦ୍ଧି କରିବା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପ୍ରସଂଗରେ ରାଜ୍ୟର ଦାବିକୁ ଅଣଦେଖା କରିବା, ସ୍ୱତନ୍ତ୍ର ଅନୁଦାନ ଦେବା ପରିବର୍ତ୍ତେ ଅର୍ଥ କାଟ୍‍ କରିବା ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଯୋଜନାକୁ ବନ୍ଦ କରିବା ଏବଂ ୩୩ଟି ଯୋଜନାରେ ଅନୁଦାନ ରାଶି ହ୍ରାସ କରିବା ପ୍ରସଂଗଗୁଡିକରେ ପଦଯାତ୍ରା ଜରିଆରେ ବିଜୁ ଜନତା ଦଳର କର୍ମୀ କେନ୍ଦ୍ର ଏନ୍‍ଡିଏ ସରକାରଙ୍କ ଜନ-ବିରୋଧୀ ଆଭିମୁଖ୍ୟ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ ।

ରାଜ୍ୟସ୍ତରୀୟ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ଏକାମ୍ର ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ବିଜେଡି ସଭାପତି ବାବୁଲି ମିଶ୍ର, କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଉପ-ସଭାପତି ସନ୍ତୋଷ ବେଜ୍‍, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଜିଲ୍ଲା ଯୁବ ସଭାପତି ଅମରଜିତ୍‍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ମହିଳା ସଭାନେତ୍ରୀ ଭାରତୀ ସିଂହ, ଏକାମ୍ର ସଭାନେତ୍ରୀ ମହାମାୟା ସ୍ୱାଇଁ, ଛାତ୍ର ବିଜେଡି ଜୋନ୍‍ ସଭାପତି ଅଜିତ ବେହେରା, ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ଜନକ ମହାତ୍ମା ଗାନ୍ଧି, ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ଲୋକନାୟକ ଜୟପ୍ରକାଶ ନାରାୟଣ, ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଜନସଂପର୍କ ପଦଯାତ୍ରାରେ ବହୁସଂଖ୍ୟାରେ ଦଳୀୟ କର୍ମୀ, ଶୁଭେଚ୍ଛୁ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.