ଦାୟିତ୍ୱ ନେଲେ ନୂଆ ଡିଜିପି ଆର୍‌.ପି. ଶର୍ମା

0

କଟକ ଅଫିସ,୩୧।୮:ନୂଆ ଡିଜିପି ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଦାୟତ୍ୱ ନେଇଛନ୍ତି। କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ବିଦାୟି ପୋଲିସ ମହାନିର୍ଦ୍ଦେଶକ କନଓ୍ବର ବ୍ରଜେଶ ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଦାୟତ୍ୱ ଗ୍ରହଣ ପରେ ନୂଆ ଡିଜିପି ଶର୍ମାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ପ୍ରକାଶ ଯେ, ବୁଧବାର ସନ୍ଧ୍ୟରେ ସରକାର ହଠାତ୍‌ କେ.ବି. ସିଂଙ୍କୁ ଡିଜିପି ପଦବୀରୁ ହଟାଇ ଦେଇଥିଲେ। ତାଙ୍କ ସ୍ଥାନରେ ଭିଲିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଡିଜିପି ଭାବେ ନିଯୁକ୍ତି ଦିଆଯାଇଥିଲା। କେ.ବି. ସିଂଙ୍କୁ ଓଡିଶା ସଡକ ପରିବହନ ନିଗମର ସିଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କ୍ରାଇମ୍‌ ବ୍ରାଞ୍ଚ ଡିଜି ବି.କେ. ଶର୍ମାଙ୍କୁ ବଦଳି କରାଯାଇ ଜେଲ ବିଭାଗ ଡିଜି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅତିରିକ୍ତ ଡିଜି ଅରୁଣ ରାୟଙ୍କୁ ପୋଲିସ ହେଡକ୍ୱାର୍ଟର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଡିଜିପି ଦୌଡରେ ଆର.ପି. ଶର୍ମା ଓ ବି.କେ. ଶର୍ମା ଥିଲେ। ଉଭୟ ୧୯୮୬ ବ୍ୟାଚ ଆଇପିଏସ। ତେବେ ଆର.ପି. ଶର୍ମା ରାଜ୍ୟ ସରକାରଙ୍କ ବିଶ୍ୱାସଭାଜନ ହୋଇ ପାରିଛନ୍ତି। ଆର.ପି. ଶର୍ମା ପୂର୍ବରୁ ନିଜର ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି। ପୋଲିସ କମିଶନର ଏବଂ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇ ଥିଲେ। ଡିଜିପି ଭାବେ ନିଯୁକ୍ତି ପାଇବା ପରେ ସେ କହିଥିଲେ ଯେ, ଓଡିଶା ପୋଲିସକୁ ଲୋକାଭିମୁଖୀ କରିବା ମୁଖ୍ୟ ଦାୟିତ୍ୱ । ଏହା ମୋ ପାଇଁ ବଡ ଚ୍ୟାଲେଞ୍ଜ ହେବ । ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ସେ କହିଥିଲେ। ସଞ୍ଜୀବ ମାରିକଙ୍କୁ ହଟାଇବା ପରେ ୨୦୧୫ ନଭେମ୍ବର ୯ରେ ପୂର୍ବତନ ଡିଜିପି କେ.ବି. ସିଂ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଡିଜିପି ପଦବୀରେ ୧ ବର୍ଷ ୯ ମାସ ରହିଥିଲେ। ତାଙ୍କ ସମୟରେ ୨୦୧୬ ଜୁଲାଇ ୮ ତାରିଖରେ କନ୍ଧମାଳ ଜିଲା ଗୁମୁଡିମାହାଠାରେ ମାଓବାଦୀ ସନ୍ଦେହରେ ପୋଲିସ ଗୁଳିରେ ମହିଳା ଓ ଶିଶୁ ସମେତ ୫ ଜଣ ଆଦିବାସୀଙ୍କର ପ୍ରାଣହାନି ଘଟିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପୋଲିସର ଭୂମିକା ଓ ଆଇନ ଶୃଙ୍ଖଳା ନେଇ ବିରୋଧୀମାନେ ସରକାରଙ୍କୁ କାଠଗଡାରେ ଛିଡା କରିଥିଲେ। ସେହିପରି ପଞ୍ଚାୟତ ନିର୍ବାଚନ ବେଳେ ମାଲକାନଗିରି ଜିଲାର ମାଥିଲି ନିର୍ବାଚନ ପରିଚାଳନା କରିବାକୁ ଯାଇଥିବା ସରକାରୀ କର୍ମଚାରୀଙ୍କୁ ମାଓବାଦୀମାନେ ଅପହରଣ କରିବା ଭଳି ଘଟଣା ସରକାରଙ୍କ ଛବିକୁ ମଳିନ କରିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଝାଡଖଣ୍ଡ, ଛତିଶଗଡରୁ ବହୁ ଅର୍ଥ ରାଜ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ପୋଲିସ ସେସବୁ ଜବତ କରିବାରେ ବିଫଳ ହୋଇଥିଲା। ଏଥିପାଇଁ ସିଂ ରାଜ୍ୟ ସରକାରଙ୍କ ଗୁଡ୍‌ ବୁକ୍‌ରେ ନ ଥିଲେ। ଏସବୁ କାରଣରୁ ତାଙ୍କୁ ହଠାତ୍‌ ବଦଳି କରାଯାଇଥିବା ନେଇ ଆଲୋଚନା ହେଉଛି।

Leave A Reply

Your email address will not be published.