ଭୁବନେଶ୍ୱରରୁ ଚକ୍ରଧର ମାଝି : ପେନ୍ ଇନ୍ ବୁକ୍ସ, ଓଡ଼ିଶା ଷ୍ଟୋରୀ ଓ ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବକୁ ଓଡ଼ିଆ କବିତାର ଶିଖର ପୁରୁଷ ଜ୍ଞାନପୀଠ ବିଜେତା କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକ ଓ ରାଜନୈତିକ ବିଚାରବିମର୍ଶ ସହିତ କବିତାର ବହୁ ବିଧ ବିଭବ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଉଦ୍୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା । ଭିତ୍ତି ଭାଷଣ ପ୍ରଦାନ କରିଥିଲେ କବି ହରପ୍ରସାଦ ଦାସ । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କବି ଶରତ କୁମାର ଦାଶ । ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ସଭାପତି ଶଙ୍କର୍ଷଣ ପରିଡ଼ା । ଉଦ୍ଘାଟନୀ ଉତ୍ସବରେ ପୌରହିତ୍ୟ କରିଥିଲେ ଉତ୍ସବ ନିଦେ୍ର୍ଧଶକ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ।
ଉଦ୍ଘାଟନୀ ଉତ୍ସବରେ ଭାଗିରଥୀ ବେହେରା, ସୁକାନ୍ତି ରାଉତ, ଅର୍ଚନା , ନର୍ମଦା ସାହୁ, ଏଲିନା କାନୁନଗୋ, ସୁଭଦ୍ରା ପ୍ରିୟଦର୍ଶିନୀ, ବନ୍ଦନା ମହାନ୍ତି, ଅସିତ ସ୍ୱାଇଁ, ସୁମିତ ପଣ୍ଡା ଓ ଜୟନ୍ତୀ ବେହେରାଙ୍କୁ ‘ପେନ୍ ଇନ୍ ଯୁବ ଲେଖକ ସମ୍ମାନ ୨୦୧୭’ ପ୍ରଦାନ କରାଯାଇଥିଲା । ପ୍ରଥମ ଦିନର ପ୍ରଥମ ଅଧିବେଶନରେ ‘ମୋ କବିତା, ମୋ ଜୀବନ’ ଆଲୋଚନା ସଂପାନରେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ଗାୟତ୍ରୀବାଳା ପଣ୍ଡା, ପବିତ୍ର ମୋହନ କର, ସଂଗ୍ରାମ ଜେନା ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ସଂପାନ ‘ଓଡ଼ିଆ କଥା ସାହିତ୍ୟରେ ଓଡ଼ିଶା’ ପ୍ରସଙ୍ଗରେ ମତ ରଖିଥିଲେ କଥାଶିଳ୍ପୀ ଦାଶ ବେନହୁର, ଅଜୟ ସ୍ୱାଇଁ, ହିରଣ୍ମୟୀ ମିଶ୍ର, ଅରବିନ୍ଦ ରାୟ । ତୃତୀୟ ସଂପାନରେ ‘ମୋ ଭୂମି, ମୋ ଭାଷା’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଓଡ଼ିଆ କବି ଶକ୍ତି ମହାନ୍ତି ଓ ବଙ୍ଗଳା କବି ପ୍ରମିତା ଭୌମିକ । ପରେ ପରେ ପେନ୍ ଇନ୍ ବୁକ୍ସ ପ୍ରକାଶିତ ନିଜ ପ୍ରଥମ କବିତା ସଙ୍କଳନ ‘ମର୍ଣିଂ ମିଷ୍ଟ’ରୁ କବିତା ପାଠ କରିଥିଲେ କିଶୋରୀ କବି ସୃଜନୀ ମିଶ୍ର । ଚତୁର୍ଥ ସଂପାନରେ ‘କବିତା, ଗୀତ ଓ ସଂଗୀତ’ ଉପରେ ଚର୍ଚା କରିଥିଲେ ଦେବଦାସ ଛୋଟରାୟ, ଓମ ପ୍ରକାଶ ମହାନ୍ତି, ସୂର୍ଯ୍ୟ ଦେଓ ଓ ଦୁଷ୍ୟନ୍ତ କୁମାର ।
ପଂଚମ ସଂପାନରେ ‘କବିତାର ଭାଷା’ ସମ୍ପର୍କରେ ଆଲୋଚନା କରିଥିଲେ କବି ଦେବାଶିଷ ମହାପାତ୍ର, ଶଙ୍କର୍ଷଣ ପରିଡ଼ା, ପ୍ରଦୀପ ବିଶ୍ୱାଳ, ସତ୍ୟ ପଟ୍ଟନାୟକ, ସୁରେନ୍ଦ୍ର ପାଣିଗ୍ରାହୀ, ରକ୍ଷକ ନାୟକ, ଅମିୟ ରଂଜନ ମାହାପାତ୍ର । ପରବର୍ତୀ ସଂପାନରେ ପେନ୍ ଇନ୍ ଯୁବ ପୁରସ୍କାର ୨୦୧୭ ପ୍ରାପ୍ତ କବି ଓ କଥାକାରମାନେ ‘ମୁଁ କାହିଁକି ଲେଖେ’ ଶୀର୍ଷକ ବକ୍ତବ୍ୟ ରଖିଥିଲେ । ଶେଷରେ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ପୌରହିତ୍ୟରେ ସନ୍ଦୀପ ମହାପାତ୍ର ଓ ଗିରୀଶ ରଂଜନଙ୍କ ସଂଯୋଜନାରେ ୧୦ ଜଣ ଯୁବକବି କବିତା ପାଠ କରିଥିଲେ ।