ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କଲା ବିଜେଡି : ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦେଲା ସ୍ମାରକପତ୍ର
ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା : ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ରାଜ୍ୟପାଳଙ୍କୁ ଉତର ପ୍ରଦେଶ ଓ ଗୁଜୁରାଟରେ ଦଳିତମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଜୁ ଜନତା ଦଳ ଦଳିତ(ଏସସି) ସେଲ ପକ୍ଷରୁ ରାଜଭବବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦେ୍ଧଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି ବିଜେଡି ଦଳିତ ସେଲର ଆବାହକ ବିଷ୍ଣୁଚରଣ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଭାରତବର୍ଷରେ ବିଜେପି ଶାସିତ ରାଜ୍ୟଗୁଡିକରେ ନିରୀହ ଦଳିତମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି । ମୋଦି ସରକାର ଦଳିତମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାରମ୍ବାର ଓଡ଼ିଶା ଗସ୍ତ କରି ଦଳିତମାନଙ୍କ ଘରେ ଖାଇ ଭୋଟ ହାତେଇବା ପାଇଁ ଯୋଜନା କରୁଥିବା ବେଳେ ଶାସନ ଗାଦି ମାଡ଼ି ବସିଥିବା ଗୁଜରାଟ ଓ ଉତ୍ତରପ୍ରଦେଶ ରାଜ୍ୟରେ ଦଳିତମାନଙ୍କ ଘରମାନ ପୋଡ଼ିବା ସହିତ ହତ୍ୟା ଉଦ୍ୟମ ଜାରି ରଖିଛନ୍ତି ।
ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାରେ ୧୩ଜଣ ଦଳିତମାନଙ୍କୁ ହତ୍ୟା କରି ସେମାନଙ୍କ ଘର ସଂପୂର୍ଣ୍ଣ ଜାଳି ଦିଆଯାଇଛି । ସେହିପରି ମୋଦି ଯେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେହି ରାଜ୍ୟରେ ୧୭ବର୍ଷୀୟ ଦଳିତ ଯୁବକ ପିୟୁଷ ପାରମାର ସାଇକେଲ୍ ଚଳାଇ ଗ୍ରାମ ରାସ୍ତାରେ ଯାଉଥିବା ଯୋଗୁ ତାକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତବର୍ଷ ଜୁଲାଇରେ ଗୁଜରାଟର ଉନ୍ନାରେ ୪ଜଣ ଦଳିତ ସଂପ୍ରଦାୟର ଲୋକ ନିଜର କୌଳିକ ବୃତ୍ତି ଗାଈ ଚମଡ଼ା ଛଡ଼ାଇବା ବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ସେହିପରି ଦଳିତ ଯୁବକ କୁନାଲ ମେହେରିଆ ନିଶ ରଖିବା ଅଭିଯୋଗରେ ତାକୁ ଛୁରିମାଡ଼ କରାଯାଇଛି । ଉଚ୍ଚ ଜାତି ଦ୍ୱାରା ଆୟୋଜନ କରାଯାଇଥିବା ଗର୍ବା ନୃତ୍ୟ ଦଳିତ ଯୁବକ ଜୟ ସଲାଙ୍କି ଦେଖିଦେବାରୁ ତାଙ୍କୁ ପିଟି ପିଟି ଅତି ଅମାନୁଷିକ ଭାବେ ହତ୍ୟା କରାଗଲା ।
ଏହିସବୁ ଜଘନ୍ୟ କାର୍ଯ୍ୟକଳାପ ବିଜେପି ଓ ସଂଘ ପରିବାର ଦ୍ୱାରା କରାଯାଉଛି ଏବଂ ଏହାକୁ ପ୍ରତିବାଦ ଜଣାଇ ପୂର୍ବ ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍ ଆନୁକୂଲ୍ୟରେ ସେଲ୍ର ଆବାହକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁଚରଣ ଦାସଙ୍କ ସଭାପତିତ୍ୱରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେଲ୍ର ଉପଦେଷ୍ଟା ତଥା ମନ୍ତ୍ରୀ ଶଶୀଭୂଷଣ ବେହେରା, ସେଲ୍ର ଉପ-ସଭାପତି ତଥା ବିଧାୟକ ଆଦିକନ୍ଦ ସେଠୀ, ବିଧାୟକ ସୁରେନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକ, ରବୀନ୍ଦ୍ର ଭୋଇ, ସାଧାରଣ ସଂପାଦକ ତଥା କାର୍ଯ୍ୟନିର୍ବାହୀ ସଭ୍ୟସଭ୍ୟା ଓ ୨୦୦୦ରୁ ଊଦ୍ଧ୍ୱର୍ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍ର ଭାଈଭଉଣୀମାନେ ଉପସ୍ଥିିତ ଥିଲେ ।
ଦଳିତମାନଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ରରେ ମୋଦି ସରକାର କିଭଳି ବିଫଳ ହୋଇଛି ଏବଂ ବିଭିନ୍ନ ରାଜ୍ୟ ବିଶେଷକରି ଉତ୍ତରପ୍ରଦେଶ ଓ ଗୁଜରାଟର ଦଳିତବର୍ଗର ଲୋକଙ୍କ ଉପରେ ଉଚ୍ଚବର୍ଗର ଅମାନୁଷିକ ଅତ୍ୟାଚାର, ହତ୍ୟା ଆଦି କିପରି ବିଜେପି କର୍ମୀ ନେତୃତ୍ୱ ତଥା ବିଜେପି ସରକାରଙ୍କ କାର୍ଯ୍ୟଧାରା ରୂପେ ପରିଗଣିତ ହୋଇଛି ତାହା ବିଭିନ୍ନ ବକ୍ତାମାନେ ଉପସ୍ଥାପନ କରିଥିଲେ । ବିଜେପି ସରକାରଙ୍କୁ ଚେତାବନୀ ଦେଇ ବିଜେଡି ଅନୁସୂଚିତ ଜାତି ସେଲ୍ ଏହାକୁ ଅତ୍ୟନ୍ତ ଗଭୀରତାର ସହିତ ଉଦ୍ବେଗ ପ୍ରକାଶ କରିବା ସହ ଶ୍ରୀ ଦାସ ଓ ଶ୍ରୀ ବେହେରା ଏହାକୁ ଦୃଢ଼ ନିନ୍ଦା କରିଥିଲେ । ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦହା କରାଯାଇଥିଲା ।
ଉତ୍ତରପ୍ରଦେଶ ଓ ଗୁଜରାଟର ଦଳିତବର୍ଗର ଲୋକଙ୍କ ଉପରେ ଉଚ୍ଚବର୍ଗର ଅମାନୁଷିକ ଅତ୍ୟାଚାର, ହତ୍ୟା ବିରୋଧରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ମହାମହିମ ରାଜ୍ୟପାଳଙ୍କ ମାଧ୍ୟମରେ ଶ୍ରୀ ଦାସ ଓ ଶ୍ରୀ ବେହେରାଙ୍କ ନେତୃତ୍ୱରେ ୧୦ଜଣିଆ ପ୍ରତିନିଧି ଦଳ ହସ୍ତାନ୍ତର କରିଥିଲେ । ବିଜେଡି ଅନୁସୂଚିତ ଜାତି ସେଲ୍ର ଏହି ଗଣଧାରଣାରେ ରାଜ୍ୟ ସାଧାରଣ ସଂପାଦକ ନିରଞ୍ଜନ ସେଠୀ, ଅଶୋକ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନରେନ୍ଦ୍ର ସେଠୀ, ରାଜ୍ୟ ସଂପାଦକ ସଂଜୟ କୁମାର ସେଠୀ, ସଂପାଦିକା ମୀନତି ଦାସ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ବିଜୟ ଲକ୍ଷ୍ମୀ ବେହେରା, ପୂର୍ବତନ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠୀ, ରାଜ୍ୟ ପରିଷଦ ସଭ୍ୟ ବିଜୟ ଶଙ୍କର ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ନାୟକ, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର୍ ପୁଷ୍ପାଞ୍ଜଳି ଦାସ, ପ୍ରଣତି ନାୟକ, ଦେବୀ ପ୍ରସାଦ ମଲ୍ଲିକ ଏବଂ ଅନୁସୂଚିତ ଜାତିର ଅନ୍ୟ କର୍ପୋରେଟର୍ମାନେ ଉପସ୍ଥିତ ଥିଲେ । ସେହିପରି ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଭୁବନେଶ୍ୱର-ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।