ନିରଞ୍ଜନଙ୍କୁ ଦାମଙ୍କ ଜବାବ ଚାଲୁଣି କହୁଛି ଛୁଂଚିକୁ ସରକାରୀ କର୍ମଚାରୀ-ଅଫିସର-ଶିକ୍ଷକ ନେଲେ ଦେଖାଗଲାନି ବିଚରା ବିଧାୟକର ବଢିଲା ବୋଲି ନିରଞ୍ଜନଙ୍କୁ ବାଧୁଛି
ଭୁବନେଶ୍ୱରରୁ ଚକ୍ରଧର ମାଝି : ମନ୍ତ୍ରୀ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପାଲଟା ଜବାବ ଦେଇଛନ୍ତି । ନିରଞ୍ଜନ ବାବୁ ନିର୍ବାଚନମଣ୍ଡଳୀରୁ ଆସୁଥିବା ଅସହାୟ ରୋଗୀ ବା ଗରୀବ ଲୋକଙ୍କୁ ହାଣ୍ଡଲ କରନ୍ତି କି ନାହିଁ ତାହା ତାଙ୍କୁ ଜଣା ଓ ଯଦି କରୁଥିବେ ତେବେ ବି ତାଙ୍କର ଉଭା ଯେତେ ପୋତା ସେତେ ହୋଇଥିବା ଯୋଗୁ ଜଣାପଡୁନଥିବ ବୋଲି କହିଛନ୍ତି ବିଜେଡିର ରିଆକ୍ସନ ଏଟିଏମ ତଥା ବରିଷ୍ଟ ମନ୍ତ୍ରୀ ଦାମୋଦର ରାଉତ ।
ସେ କହିଛନ୍ତି ଯେ, ମନ୍ତ୍ରୀଙ୍କର ଅଧିକ ଦରମା-ଚାଷୀଙ୍କୁ ଠେଙ୍ଗା’ ଶୀର୍ଷକ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କର ସମ୍ବାଦପତ୍ରକୁ ଦେଇଥିବା ବିବୃତି ବେଶ୍ ମୁଖରୋଚକ । ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ୬୦ ହଜାର ଶିକ୍ଷକ ଏବଂ ଅନ୍ୟ ବେତନଭୋଗୀମାନେ ସପ୍ତମବେତନ କମିଶନଙ୍କ ସୁପାରିଶ ଅନୁସାରେ ବର୍ଦ୍ଧିତ ଦରମା ନେଲେ । ଏମାନଙ୍କର ମୋଟ ସଂଖ୍ୟା ବୋଧହୁଏ ୧୦ ଲକ୍ଷରୁ ଅଧିକ ହେବ ନାହିଁ । ଲୋକସଂଖ୍ୟାର ଅବଶିଷ୍ଟ ୪ କୋଟି ୧୦ ଲକ୍ଷ ଲୋକଙ୍କ ପାଇଁ ନିରଞ୍ଜନ ବାବୁଙ୍କର ପ୍ରତିକ୍ରିୟା ସୃଷ୍ଟି ହେଲାନାହିଁ । ତେବେ ମନ୍ତ୍ରୀ ଏବଂ ବିଧାୟକ ମିଶି ୧୪୭ ଜଣ । ସେଥିରେ ତାଙ୍କ ଦଳର ମଧ୍ୟ ୧୬ଜଣ ବିଧାୟକ ଅଛନ୍ତି । ଏହି ୧୪୭ଜଣ ଲୋକ ପ୍ରତିନିଧିମାନଙ୍କର ମାସକୁ ୩୫ ହଜାର ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଏଥିରେ ରାଜକୋଷ ଖାଲି ହୋଇଯିବ ଏବଂ ନିରଞ୍ଜନ ବାବୁ ଦିନରାତି ଚାଷୀମାନଙ୍କର ଦୁର୍ଦ୍ଧଶା କଥା ଭାବି ଭାଙ୍ଗିପଡ଼ୁଥିବାର ଏକ ଭାବନା ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି । ନିରଞ୍ଜନ ବାବୁଙ୍କ ଘର କେଉଁଝର ଜିଲ୍ଲାରେ । ସେ ଜିଲ୍ଲାର ଖଣି ମାଲିକମାନେ ପାହାଡ଼ ଉପରୁ ଖଣି ଖୋଲିଲାବେଳେ ସେଥିରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ମେଟ୍ରିକ ଟନ୍ ଲୁହାଗୁଣ୍ଡ ମିଶା ମାଟି ପାହାଡ଼ ତଳକୁ ବର୍ଷାରେ ଧୋଇ ହୋଇ ଆସୁଛି ଏବଂ ପାହାଡ଼ ତଳେ ଥିବା ହଜାର ହଜାର ଚାଷୀଙ୍କ ଚାଷ ଜମି ଉପରେ ୧-୨ ଫୁଟ ବହଳରେ ବକଳ ବାନ୍ଧିଲାବେଳେ ସେ ଜିଲାର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଅଥଚ ତାଙ୍କ ଜିଲାର ଚାଷୀମାନଙ୍କର ଏ ଦୁଦ୍ଧଶା ତାଙ୍କ ଦୃଷ୍ଟିକୁ ଆସିପାରୁନାହିଁ । ସେ ଜିଲାରେ ଖଣି ମାଲିକଙ୍କର ରୋଜଗାର ଆକାଶ ଛୁଇଁଥିଲାବେଳେ ଚାଷୀମାନେ ମୁଣ୍ଡରେ ହାତଦେଇ ବସୁଛନ୍ତି । ଅଥଚ ବିଚରା ଲୋକପ୍ରତିନିଧି ମାସକୁ ୩୫ ହଜାର ଟଙ୍କା ଅଧିକ ବେତନ ପାଇଲେ ସେମାଙ୍କ୍ତଙ୍କର ସମ୍ପତି ଆକାଶ ଛୁଆଁ ହୋଇଗଲା ବୋଲି ନିରଞ୍ଜନ ବାବୁ ଭାବୁଛନ୍ତି । ନିର୍ବାଚିତ ଲୋକ ପ୍ରତିନିଧିଟିଏ ନିଜ ନିର୍ବାଚନ ମଣ୍ଡଳୀର ଦୁଃଖ ବୁଝିଲାବେଳେ କିଭଳି ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଏ ନିରଞ୍ଜନ ବାବୁଙ୍କ ଭଳି ଲୋକ ପ୍ରତିନିଧି ତାହା ତ ବୁଝିପାରିବେ ନାହିଁ ଏବଂ ତାଙ୍କର ଅଭିଯୋଗ ପଢ଼ିଲା ପରେ ମନେ ହେଉଛି ସତେ ଯେମିତି ଚାଲୁଣୀ ଛୁଂଚି ବିରୁଦ୍ଧରେ ଅଭିଯୋଗ କରି କହୁଛି “ତୋ ପଛରେ ଗୋଟିଏ କଣା ଅଛି’ । ଜଣେ ବିଧାୟକଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟ ଦେଇଥିବା ଗରିବ ରୋଗୀଟିଏ ହେଉ କିମ୍ବା ସାଧାରଣ ଗରିବ ଲୋକଟିଏ ହେଉ ଭୁବନେଶ୍ୱର ଆସି ବିଧାୟକଙ୍କୁ ଦେଖା କରି ସାରିବା ପରେ ବିଧାୟକ ତାଙ୍କ ସାଧ୍ୟମତେ ଗରୀବ ରୋଗୀଟିକୁ ଚିକିତ୍ସା ପାଇଁ କିଭଳି ସାହାଯ୍ୟ କରନ୍ତି ଅଥବା ଅଂଟାରେ ପଇସା ନଥିବା ଭୋଟରଟିଏ ବିଧାୟକଙ୍କ ପାଖକୁ ଆସି ଫେରିଲାବେଳେ ଗାଡ଼ି ଭଡ଼ା କେମିତି ନେବାକୁ ହୁଏ ନିରଞ୍ଜନ ବାବୁ ସେକଥା ଜାଣନ୍ତି ନାହିଁ । କାରଣ ତାଙ୍କ ପାଖରେ ତ “ଉଭା ଯେତେ ପୋତା ସେତେ’ । ଏ ପରିସ୍ଥିତିରେ ମନ୍ତ୍ରୀ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ସେ ବିବ୍ରତ ହେବା ସ୍ୱାଭାବିକ । ଗୋଟିଏ କଥା ସେ ଭୁଲିଯାଇଥିବେ ଯେ ତାଙ୍କ ଫଳ ସରକାରରେ ଥିଲାବେଳେ ଗରୀବ ଚାଷୀଙ୍କ ପାଇଁ କୃଷିଋଣ ଦେଉଥିଲେ ମାତ୍ର ୫୫୭ କୋଟି ଟଙ୍କା । ତାହା ପୁଣି ୫ ପ୍ରତିଶତ ଅଧିକ ସୁଧରେ । ବର୍ତମାନ ସରକାର କୃଷିଋଣ ନେଉଛନ୍ତି ୧୫ହଜାର କୋଟି ଟଙ୍କା । ତାହା ପୁଣି ୫୦ ହଜାର ପର୍ଯ୍ୟନ୍ତ ୧ ପ୍ରତିଶତ ସୁଧରେ ଏବଂ ତା ଠାରୁ ଅଧିକ ହେଲେ ୨ ପ୍ରତିଶତ ସୁଧରେ ।
ନିରଞ୍ଜନ ବାବୁଙ୍କୁ ମୋର ଅନୁରୋଧ କ୍ଷମତା ଲଢେ଼ଇରେ ମାତି ସେ ନିଜେ ଏବଂ ତାଙ୍କ ଦଳ ଓଡ଼ିଶାବାସୀଙ୍କୁ ସାଂପଦାୟିକତାର ବିଷ ବଳୟ ମଧ୍ୟକୁ ଅଧିକ ନଠେଲି ନିଜେ ଦଳକୁ ସଜାଡ଼ିବା ପାଇଁ ଯତ୍ନବାନ ହୁଅନ୍ତୁ ବୋଲି ଦାମ ବାବୁ ନିରଞ୍ଜନ ବାବୁଙ୍କୁ ପରାମର୍ଶ ଦେଇଛନ୍ତି ।