“ଅଙ୍ଗ ଦାନ ଏକ ମହତ ଦାନ, ଆବଶ୍ୟକ ପଡ଼ିଲେ ହେଲିକପ୍‌ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ”

3

ପ୍ରଥମ କାଡାଭେରିକ୍‌ କିଡ୍‌ନି ପ୍ରତ୍ୟାରୋପଣ କରିଥିବା ଡାକ୍ତରୀ ଦଳଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର : ଗତ ୪ ତାରିଖରେ ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ମୃତ୍ୟୁ ପ‌ରେ ତାଙ୍କ କିଡ୍‌ନି ଦୁଇଟିକୁ ସଫଳତାର ସହ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରି ଦୁଇଟି ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ଡାକ୍ତରୀ ଦଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ବିରଳ, ସଫଳ  ତଥା ରାଜ୍ୟର ପ୍ରଥମ କାଡାଭେରିକ୍‌ କିଡ୍‌ନି ପ୍ରତ୍ୟାରୋପଣ କରିଥିବା ଏସ୍‌ସିବି ମେଡିକାଲ କଲେଜ ବିଶେଷଜ୍ଞ ଦଳ ଆଉ ଆପୋଲୋ ହସପିଟାଲର ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରଥମ କାଡାଭେରିକ୍‌ କିଡ୍‌ନି ପ୍ରତିରୋପଣକୁ ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭାବେ ବର୍ଣ୍ଣନା କରିବା ସହ ଡାକ୍ତରମାନଙ୍କ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ |  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରମାନଙ୍କ ଦକ୍ଷତାର ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ  ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ  ଏକ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇଥିଲେ। ପ୍ରଥମ କାଡାଭେରିକ୍‌ କିଡ୍‌ନି ପ୍ରତ୍ୟାରୋପଣ  ୫ ଟି ପ୍ରୟୋଗର ଏକ ସଫଳ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ ପ୍ରକାଶ କରିଥିଲେ |

ସୂଚନାଯୋଗ୍ୟ ଯେ, ମୃତ୍ୟୁ ପ‌ରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‘ସୂରଜ ସମ୍ମାନ’ ଘୋଷଣା କରିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କହି‌ଥିଲେ, ମୃତ ବ୍ୟକ୍ତିଙ୍କ ଅଙ୍ଗ ଦାନ ଏକ ମହତ ଦାନ। ଏହାଦ୍ବାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକପ୍‌ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ। କଟକ ଏସ୍‌ସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ କର ଏବଂ ଆପୋଲୋ ହସ୍‌ପିଟାଲ୍‌ର ୟୁରୋଲୋଜି ବିଭାଗର ମୁଖ୍ୟ ଏସ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

କିଡ୍‌ନି ପ୍ରତିରୋପଣ ହୋଇଥିବା ରୋଗୀ ଦ୍ବୟ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କଟକ ଏସ୍‌ସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଓ ୟୁରୋଲୋଜି ବିଭାଗର ପ୍ରଫେସର ‌ତଥା ଖ୍ୟାତନାମା ଚିକିତ୍ସକ ଡାକ୍ତର ‌ଦତ୍ତେଶ୍ବର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ସବ୍ୟସାଚୀ ପଣ୍ଡା, ସଞ୍ଜୟ ଚୌଧୁରୀ, କଲ୍ୟାଣୀବାଳା ନ‌ାୟକ, ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂହ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଏଲ୍‌.ଏନ୍‌ ବେହେରା ଏବଂ ଆପୋଲୋ ହସ୍‌ପିଟାଲ୍‌ର ସୁଧୀର ଦିଗିକର, ସମୀରନ ଦାସ ଅଧିକାରୀ, ଶର୍ମିଳି ସିହ୍ନା, ବିବେକାନନ୍ଦ ପଣ୍ଡା, ଦେବବ୍ରତ ଦାଶ, ସୁବ୍ରତ ସାହୁ, ନୀତୀଶ ମହାନ୍ତି ଓ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

Leave A Reply

Your email address will not be published.