ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ : ୫ଦିନ ଧରି ଅନୁଷ୍ଠିତ ହେବ ସାଂସ୍କୃତିକ ମହାପର୍ବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ମହା-ଆଡମ୍ବରରେ ହେବାକୁ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ଜାନୁଆରୀ ମାସର ୧୦ ରୁ ୧୪ ତାରିଖ ୫ଦିନ ଧରି ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଅନ୍ୟ ପକ୍ଷରେ ଏହି ବୈଠକରେ ମୁଖ୍ୟତଃ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର , କୋଲକାତା ସହିତ ଯୋଗସୂତ୍ର ରକ୍ଷା କରି ତାର ମାଧ୍ୟମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ସବୁ ଆସି ଗଜପତି ଉତ୍ସବରେ ସେମାନଙ୍କର ପାରମ୍ପରିକ ନୃତ୍ୟ , ଲୋକନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।
ଦୀର୍ଘ ପାଞ୍ଚଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ କାର୍ଯ୍ୟକ୍ରମର ସୁ-ପରିଚାଳନା କରାଯିବା ଅବସରରେ ବିଭିନ୍ନ କମିଟି ଯଥା:- ଅଭ୍ୟର୍ଥନା , ମଞ୍ଚ ଓ ଷ୍ଟଲ ନିର୍ମାଣ , ସାଂସ୍କୃତିକ ଓ ମଞ୍ଚ ପରିଚାଳନା , ଅର୍ଥ , ରହିବା-ଉପଯୋଗୀ, ପରିବହନ , ଖାଦ୍ୟ , ସ୍ମରଣୀକା , ମଶାଲ-ଜ୍ୟୋତି ଓ ମେମୋଣ୍ଟ ପ୍ରଭୃତି କମିଟି ମାନ ସବୁ ପୂର୍ବ ବୈଠକରେ ଗଠନ କରାଯାଇଥିଲା ।
ସମ୍ପୂର୍ଣ୍ଣ ଭାବେ ଜିଲ୍ଲାସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଅନୁପମ ଶାହା ରହିଛନ୍ତି । ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଆସନ୍ତା ଜାନୁୟାରୀ ୧୦,୧୧,୧୨ ତିନି ଦିନ ଏବଂ ପଲ୍ଲୀଶ୍ରୀ ମେଳା ୧୦ ତାରିଖ ଠାରୁ ୧୪ ପର୍ଯ୍ୟନ୍ତ ଏହି ଭଳି ୫ଦିନ ଧରି ଅନୁଷ୍ଠିତ ହେବ ପାଇଁ ନିଷ୍ପତ୍ତି ହୋଇଥିଲା।
ଏହି ବୈଠକରେ ବ୍ଲକ ସ୍ତରୀୟ ଗଜପତି ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗୋଷଣୀ ବ୍ଲକରେ ଜାନୁଆରୀ ୨ ଓ ୩ ତାରିଖ , କାଶୀନଗର ବ୍ଲକରେ ଜାନୁଆରୀ ୩ ଓ ୪ ତାରିଖ , ଗୁମ୍ମା ବ୍ଲକରେ ଜାନୁଆରୀ ୮ ଓ ୯ ତାରିଖ , ରାୟଗଡ଼ ବ୍ଲକରେ ଜାନୁଆରୀ ୪ ଓ ୫ ତାରିଖ ,ନୂଆଗଡ ବ୍ଲକରେ ଜାନୁଆରୀ ୬ ଓ ୭ ତାରିଖ , ମୋହନା ବ୍ଲକରେ ଜାନୁଆରୀ ୭ ଓ ୮ ତାରିଖ, ଏବଂ ପାରଳା ପୌର ପରିଷଦରେ ଜାନୁଆରୀ ୫ ତାରିଖରେ ରାହାଗିରି ଓ ମଶାଲ ଶୋଭାଯାତ୍ରା ୨୦୧୯ ଡିସେମ୍ବର ୩୦ତାରିଖରେ ହେବା ପାଇଁ ସ୍ଥିର କରାଯାଇଥିଲା।
ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଗ୍ରନ୍ଥାଗାରକ ଅଚ୍ୟୁତା ନନ୍ଦ ବସ୍ତିଆ ଏଜେଣ୍ଡା ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ବୈଠକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀ , ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।