-
କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ଓଡ଼ଗାଁ-ବାହାଡଝୋଲା ପୂର୍ତ୍ତ ରାସ୍ତା ଅବରୋଧ,
-
ତହସିଲଦାରଙ୍କ ଦ୍ବାରା ରେଡକ୍ରସ ପାଣ୍ଠିରୁ ୨୦ ହଜାର ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ,
ଓଡ଼ଗାଁ,୨୨।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ-ବାହାଡ଼ାଝୋଲା ପୂର୍ତ୍ତ ରାସ୍ତାର ଆନନ୍ଦପୁର ନିକଟରେ ଓଡି୨୫ଜି ୯୬୦୭ ନମ୍ବର ବିଶିଷ୍ଟ ଏକ ବାଇକ୍ ସହିତ ଗୋଟିଏ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକ ପୁତୁରାର ମୃତ୍ୟୁ ଘଟିଥିବା ବେଳେ ସହଯାତ୍ରୀ ଦାଦାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଏବଂ ପରେ ଚିକିତ୍ସା ନିମନ୍ତେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ମୃତ ବାଇକ୍ ଚାଳକ ଜଣକ ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ର(୨୦) । ଏବଂ ସହଯାତ୍ରୀ ଜଣକ ସେହି ଗ୍ରାମର ମନୋଜ ମହାପାତ୍ର(୩୧) । ଘଟଣା ସମ୍ପର୍କରେ ଖବର ପାଇ କୁରୁମବାଙ୍କତରା ଗ୍ରାମବାସୀ ଦୁର୍ଘଟଣା ସ୍ଥଳରେ ପହଁଚି ମୃତ ଶରୀର ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ଦ୍ଵାରା ପ୍ରାଥମିକ ଭାବେ ୨୦ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା । ଦୁର୍ଘଟଣା ଘଟିଥିବା ଆନନ୍ଦପୁର ଗାଁର ଟ୍ରାକ୍ଟର ମାଲିକ ତଥା ଚାଳକ କେଉଁଆଡେ ଚାଲି ଯାଇଥିବା ବେଳେ ଓଡ଼ଗାଁ ପୋଲିସ ଟ୍ରାକ୍ଟକୁ ଜବତ କରିଛି । ସୂଚନା ଅନୁସାରେ ଟ୍ରାକ୍ଟରଟି ଓଡ଼ଗାଁ ପଟୁ ବହାଡାଝୋଲା ଅଭିମୁଖେ ଯାଉଥିବା ବେଳେ ବାଇକଟି ବିପରିତ ଦିଗରୁ ଆସୁଥିଲା । ଏବଂ ଆନନ୍ଦପୁର ଠାରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଚାଳକ ଟ୍ରାକ୍ଟରଟିକୁ ନେଇ ଚାଲିଯାଇ ଏକ ଇଟା ଭାଟିରେ ରଖି କେଉଁଆଡେ ଚାଲି ଯାଇଥିଲା । ଖବର ପାଇ ବାଙ୍କତରା ଗ୍ରାମବାସୀ ଇଟାଭାଟିରେ ପହଞ୍ଚିଥିବା ବେଳେ ମାଲିକ ଜଣକ ସେମାନଙ୍କୁ ବେଇଜତ୍ ଓ ଗାଳିଗୁଲଜ କରିଥିଲା । ଉତକ୍ଷିପ୍ତ ଗ୍ରାମବାସୀ ଇଟାଭାଟି ମାଲିକକୁ ମୃତ ଶରୀର ପାଖରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ ଚାଲୁ ରଖିଥିଲେ । ତେବେ ତହସିଲଦାରଙ୍କ ରେଡକ୍ରସ ପାଣ୍ଠି ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିଥିଲେ ।